ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ସଂକ୍ରମଣ ମାମଲା ଏବେ ଲକ୍ଷେ ମୁହାଁ ହୋଇଛି। ମାତ୍ର କିଛି ଦିନ ଭିତରେ ଏତେ ସଂଖ୍ୟକ ନୂଆ ମାମଲା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ବୈଜ୍ଞାନିକଙ୍କ ମତରେ ଏବେ କରୋନା ସଂକ୍ରମଣରେ ଯେଉଁ ବୃଦ୍ଧି ଘଟିଛି ତାହା ଏକ ଝଲକ ମାତ୍ର। ଏପ୍ରିଲ ଦ୍ୱିତୀୟ ସପ୍ତାହରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବ। ଏପ୍ରିଲ ମାସ ପରେ ପୁଣିଥରେ କରୋନା ସଂକ୍ରମଣରେ ହ୍ରାସ ଘଟିବ।

ଶୁକ୍ରବାର କ୍ୟାବିନେଟ ସଚିବ ରାଜୀବ ଗୌବା କରୋନାରେ ସର୍ବାଧିକ ପ୍ରଭାବିତ ୧୧ଟି ରାଜ୍ୟର ମୁଖ୍ୟ ସଚିବ, ପୋଲିସ ଡିଜି ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ସଂକ୍ରାମକ ହୋଇଛି ବୋଲି ଶୁକ୍ରବାର ବୈଠକରେ କହିଥିଲେ ରାଜୀବ ଗୌବା।

କରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ

ଦେଶରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ସବୁଠୁ ଅଧିକ କରୋନା ବ୍ୟାପିଛି। ସେହି ସବୁ ରାଜ୍ୟ ମଧ୍ୟରେ ରହିଛି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, କେରଳ, ଛତିଶଗଡ, ଚଣ୍ଡିଗଡ଼, ଗୁଜୁରାଟ, ମଧ୍ୟପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଏବଂ ହରିୟାଣା। ଗତ ୧୫ ଦିନ ମଧ୍ୟରେ ଏହି ରାଜ୍ୟଗୁଡିକରେ ୯୦ ପ୍ରତିଶତ କରୋନା ସଂକ୍ରମଣ ଏବଂ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗତବର୍ଷ ସେପ୍ଟେମ୍ବରରେ କରୋନା ମାମଲା ୯୭ ହଜାର ପାର୍‌ କରିଥିଲା

ଗତବର୍ଷ ସେପ୍ଟେମ୍ବରରେ ଦେଶରେ କରୋନା ମାମଲା ୯୭ ହଜାର ଅତିକ୍ରମ କରିଥିଲା। କିନ୍ତୁ ଚଳିତ ବର୍ଷ ଏପ୍ରିଲ ଆରମ୍ଭରେ କରୋନାର ନୂଆ ମାମଲା ୯୦ ହଜାର ସଂଖ୍ୟା ଛୁଇଁବାକୁ ବସିଛି। ଗତ ୨୪ ଘଣ୍ଟାରେ ଦେଶରେ ୮୯ ହଜାର ପଜିଟିଭ ଚିହ୍ନଟ ହୋଇଥିଲା ବେଳେ କେବଳ ମହାରାଷ୍ଟ୍ରରୁ ୪୭ ହଜାର, ୮୨୭ ମାମଲା ରିପୋର୍ଟ ହୋଇଛି।

Comment