ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି। କରୋନାର ସ୍ଥିତି ବଦଳିବା ସହ ବୟସ ଓ ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଛି। ପ୍ରଥମ ଲହରୀରେ ବୟସ୍କ ଓ ବହୁବିଧ ରୋଗରେ ପିଡ଼ିତ ଥିବା ବ୍ୟକ୍ତିଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଉଥିବାବେଳେ, ଛୋଟପିଲାମାନେ ଦ୍ୱିତୀୟ ଲହରୀର ଶିକାର ହେଉଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ୫ଟି ରାଜ୍ୟରେ ସମୁଦାୟ ୭୯ ହଜାର ୬୮୮ଜଣ ଛୋଟପିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଛୋଟପିଲାଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି କରୋନା ପ୍ରତିଷେଧକ ବାହାରି ନାହିଁ। କେନ୍ଦ୍ର ମନ୍ତ୍ରାଳୟର ସୂଚନା ଅନୁସାରେ, ମାର୍ଚ୍ଚ ୧ରୁ ଏପ୍ରିଲ ୪ ମଧ୍ୟରେ କେବଳ ମହାରାଷ୍ଟ୍ରରେ ୬୦ହଜାର ୬୮୪ ଜଣ ଛୋଟ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ହଜାର ୮୮୨ ଜଣଙ୍କ ବୟସ ୫ ବର୍ଷରୁ କମ ରହିଥିବା ଜଣାପଡ଼ିଛି।

ଛତିଶଗଡ଼ରେ ୬ ହଜାର ୯୪୦ ଜଣ ଛୋଟପିଲା କରୋନା ଆକ୍ରାନ୍ତ ହୋଇଥିବାବେଳେ ୯୨୨ଜଣଙ୍କ ବୟସ ୫ ବର୍ଷରୁ କମ ରହିଛି। ସେହିପରି କର୍ଣ୍ଣାଟକରେ ୭ହଜାର ୩୨୭ ଜଣ ଛୋଟପିଲାଙ୍କ ମଧ୍ୟରୁ ୮୭୧ ଜଣଙ୍କ ବୟସ ୫ ବର୍ଷରୁ କମ ରହିଛି। ଉତ୍ତର ପ୍ରଦେଶରେ ୩୦୦୪ ଜଣ ଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରେ ୪୭୧ଙ୍କ ବୟସ ୫ ବର୍ଷରୁ କମ ରହିଛି।

ବିଶେଷଜ୍ଞମାନଙ୍କ ମତରେ, ଶ୍ୱାସକ୍ରିୟା ଦୃଷ୍ଟିରୁ ଛୋଟପିଲାମାନେ ସଠିକ୍ ଭାବରେ ମାସ୍କ ପିନ୍ଧି ପାରିନଥାନ୍ତି । ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଥିବାରୁ, ସେମାନେ ଖୁବଶୀଘ୍ର କରୋନାରେ ଆକ୍ରାନ୍ତ ହେଉଛନ୍ତି । କରୋନାର ଦ୍ୱିତୀୟ ଲହରୀ ସମୟରେ ଛୋଟ ପିଲାଙ୍କୁ ସତର୍କ ଓ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି ।

Comment