ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବଢ଼ୁଛି କରୋନା। କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ପ୍ରତିଦିନ ଚିହ୍ନଟ ହେଉଛନ୍ତି ପୁଳା ପୁଳା ସଂକ୍ରମିତ। ଏହାରି ମଧ୍ୟରେ ଦେଶର କିଛି ପ୍ରମୁଖ ଡାକ୍ତରଖାନାର ଡାକ୍ତରମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଗତ ଦୁଇଦିନରେ ସମଗ୍ର ଦେଶରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ଡାକ୍ତର, ନର୍ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ, ଦିଲ୍ଲୀ ସ୍ଥିତ ଏମ୍‌ସ ହସ୍ପିଟାଲରୁ ୩୫ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ନୌ କେଜିଏମ୍‌ୟୁରୁ ୪୦ ଡାକ୍ତର, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଏପ୍ରିଲ ୮ରେ ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲରୁ ୩୭ଡାକ୍ତର ଚିହ୍ନଟ ହୋଇଥିଲେ। ରିପୋର୍ଟ ପଜିଟିଭ ଆସିଥିବା ୩୭ ଡାକ୍ତରଙ୍କ ମଧ୍ୟରୁ ୩୨ ଜଣ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ୫ ଜଣ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। କିନ୍ତୁ ଏସମସ୍ତ ଡାକ୍ତର କରୋନା ଟିକା ନେଇଥିବାବେଳେ, କେମିତି ସଂକ୍ରମଣର ଶିକାର ହେଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କରୋନା କାଳରେ ଜନସାଧାରଣଙ୍କର ଏକମାତ୍ର ଭରସା ହେଉଛନ୍ତି ଡାକ୍ତର। ଏଭଳି ଭୟଙ୍କର ସ୍ଥିତିରେ ଡାକ୍ତରମାନେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଅନ୍ୟପଟେ ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ଟିକାକରଣ ଚାଲିଛି। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ଟିକାକରଣ ସତ୍ତ୍ୱେ ଅନେକ ସ୍ଥାନରେ କରୋନା ଚିହ୍ନଟ ହେଉଥିବା ମଧ୍ୟ ନଜିର ରହିଛି।

Comment