ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ  କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତଙ୍କୁ କରୋନା କଟକଣା ମାନି ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ସଚେତନ କରାଯାଉଛି।

ଅନ୍ୟପକ୍ଷରେ ଦେଶରେ କରୋନାରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମଧ୍ୟପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, ଛତିଶଗଡ଼, ହରିୟାଣା ପ୍ରଭୃତି ସ୍ଥାନରୁ ଆସୁଥିବା ବ୍ୟକ୍ତିଙ୍କ ପ୍ରତି ନଜର ରଖିଛି ପ୍ରଶାସନ। ସରକାରଙ୍କ ବ୍ୟବସ୍ଥା ଅନୁସାରେ ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କରାଯାଇଛି।

ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡଲାଇନ୍ ଆସନ୍ତା ଏପ୍ରିଲ ୧୨ରୁ ରାଜ୍ୟରେ କଡ଼ାକଡ଼ି ଭାବରେ ପାଳନ କରାଯିବ। ଯେଉଁମାନେ ଗାଇଡଲାଇନ୍ ଉଲଙ୍ଘନ କରିବେ, ପ୍ରଶାସନ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ।

ନୂଆ ଗାଇଡଲାଇନ୍‌

  • କରୋନା କାଳରେ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ। ଏଥିସହ ହାତକୁ ବାରମ୍ବାର ଧୋଇବେ ଏବଂ ସାନିଟାଇଜ୍ ବ୍ୟବହାର କରିବେ। ଆବଶ୍ୟକ ନଥିଲେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ ବାରଣ କରାଯାଇଛି।
  • ଓଡ଼ିଶା ଭିତରେ ପ୍ରବେଶ କରିବାକୁ ହେଲେ ସାଙ୍ଗରେ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ନେଇ ଆସିବାକୁ ପଡ଼ିବ। ଆରଟିପିସିଆର ରିପୋର୍ଟ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଜରୁରୀ। ଏଥିସହ ଓଡ଼ିଶା ଆସୁଥିବା ବ୍ୟକ୍ତି କରୋନା ଟିକା ନେଇଥିବା ଜରୁରୀ। ଯଦି କେହି ରିପୋର୍ଟ ନନେଇ ଆସିଛନ୍ତି, ତେବେ ସେ ୭ଦିନ କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ହୋମ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ।
  • କରୋନା କାଳରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜା, ଗଜପତି, ରାୟଗଡ଼ା, କେଉଁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜିଲ୍ଲାରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ସ୍ଥାପନ କରି କାର୍ଯ୍ୟକ୍ଷମ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ କ୍ୱାରେଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରିବାକୁ କୁହାଯାଇଛି।
  • ଏପ୍ରିଲ ୧୦ରୁ ୩୦ତାରିଖ ପର୍ଯ୍ୟନ୍ତ ଓଡ଼ିଶାରୁ ଛତିଶଗଡ଼କୁ ଏବଂ ଛତିଶଗଡ଼ରୁ ଓଡ଼ିଶାକୁ ଗମନାଗମନ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ। ସୀମାରେ ଥିବା ଚେକ୍ ପୋଷ୍ଟଗୁଡ଼ିକରେ କରୋନା କଟକଣାକୁ କଡ଼ାକଡ଼ି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
  • ସୀମା ଦେଇ ଓଡ଼ିଶାରେ ପ୍ରବେଶ କରୁଥିବା ବ୍ୟକ୍ତି ସାଙ୍ଗରେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ନେଇ ଆସିବେ। ସେହି ରିପୋର୍ଟ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ। ନହେଲେ ସେମାନେ ୭ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟ। ସୀମାରେ ପ୍ରବେଶ କରୁଥିବା ବ୍ୟକ୍ତ ନିଜର ନାଁ, କେଉଁଠାକୁ ଯିବେ, ମୋବାଇନ ନମ୍ବର ସହ ସମ୍ପୂର୍ଣ୍ଣ ବିବରଣୀ ଦେଇକି ଯିବେ।
  • ସମସ୍ତ ଶିକ୍ଷାକେନ୍ଦ୍ର, ଶିଳ୍ପପ୍ରତିଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ କେନ୍ଦ୍ରଗୁଡ଼ିକ ସରକାରଙ୍କ କୋଭିଡ଼ ଗାଇଡଲାଇନକୁ କଡ଼ାକଡ଼ିଭାବେ ପାଳନ କରିବେ। ନିଜ ନିଜ ସଂସ୍ଥାରେ ଆଇସୋଲେସନର ବନ୍ଦୋବସ୍ତ ମଧ୍ୟ କରିବେ। ଏଥିସହ କେନ୍ଦ୍ରରେ କୋଭିଡ ପରିଚାଳନା ପାଇଁ ଜଣଙ୍କୁ ନିଯୁକ୍ତି କରାଇବେ।

Comment