ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ପାଇଁ ସିବିଏସଇ ଦଶମ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଛି। ସେହିପରି ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କରୋନାର ଦ୍ୱିତୀୟ ଲହର ଖୁବ୍ କ୍ଷୀପ୍ର ଗତିରେ ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି ଟୁଇଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ।

ଜୁନ ୧ରେ ପରିସ୍ଥିତି ସମୀକ୍ଷା ପରେ, ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ପରୀକ୍ଷାର ୧୫ଦିନ ଆଗରୁ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ଶିକ୍ଷାମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ଦଶମ ବୋର୍ଡ ପରୀକ୍ଷା ମେ’ ୪ରୁ ଜୁନ୍ ୭ ଏବଂ ଦ୍ୱାଦଶ ପରୀକ୍ଷା ମେ’ ୪ରୁ ଜୁନ୍ ୧୫ ପର୍ଯ୍ୟନ୍ତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଜରୀଆରେ ରେଜଲ୍ଟ ଘୋଷଣା କରାଯିବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ପରୀକ୍ଷାର ମାର୍କ ଅନୁସାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ଯେଉଁମାନେ ନିଜ ମାର୍କକୁ ନେଇ ସନ୍ତୁଷ୍ଟ ନଥିବେ, ସେମାନେ ପରିସ୍ଥିତି ସ୍ୱାଭାବିକ୍ ହେବାପରେ ପୁଣିଥରେ ପରୀକ୍ଷା ଦେଇପାରିବେ। କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣ। ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼, ପଞ୍ଜାବ ଆଦି ସ୍ଥାନରେ କରୋନା ମହାମାରୀ ଭୟଙ୍କର ରୂପ ନେଇଛି। ଏଭଳି ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ବେଶି ଗୁରୁତ୍ୱ ଦେଇ, ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ବିଭିନ୍ନ ମହଲରୁ ଶିକ୍ଷାମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖାଯାଇଥିଲା। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ, ପରୀକ୍ଷା ଉପରେ ନିଷ୍ପତ୍ତି ନିଆଯାଇଛି।

Comment