ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ କବଳରେ ଓଡ଼ିଶା। ଖୋର୍ଦ୍ଧା ଜିଲ୍ଲାରେ ଲଗାତାର ସଂକ୍ରମଣ ବୃଦ୍ଧିକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସୂଚନା।

କରୋନାର ଦ୍ୱିତୀୟ ଲହର ସ୍ଥିତି ବିଗିଡ଼ିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବା ସଙ୍ଗେସଙ୍ଗେ ରାଜ୍ୟରେ ମଧ୍ୟ ସ୍ଥିତି ଖରାପ ଦିଗକୁ ଗତି କରୁଛି। ପ୍ରତିଦିନ ରାଜ୍ୟରୁ ହଜାର ହଜାର ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ କରୋନାରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି।

ଖୋର୍ଦ୍ଧାରେ ସଂକ୍ରମଣ ବୃଦ୍ଧିକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, “ଲୋକ ସଚେତନ ନାହାନ୍ତି। ତେଣୁ ସଂକ୍ରମଣ ଆହୁରି ବଢ଼ିବ। ରାଜଧାନୀରେ ଲୋକମାନେ ନିୟମ ମାନୁ ନାହାନ୍ତି । ଯାହାଦ୍ୱାରା ଖୋର୍ଦ୍ଧାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ପ୍ରଥମ ପର୍ଯ୍ୟାୟରେ ଅଧିକ ବୟସ୍କ ଲୋକ ଏହି ମହାମାରୀର ଶିକାର ହୋଇଥିଲେ। କିନ୍ତୁ ଏବେ ଯୁବବର୍ଗ କରୋନାରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ମହାମାରୀ କେବେ କମିବ ତାହା କେହି କହିପାରିବେ ନାହିଁ। ବିଶେଷଜ୍ଞମାନଙ୍କ ମତରେ ମେ’ ମାସ ପରଠାରୁ ସଂକ୍ରମଣ କମିପାରେ।”

ସେ ଆଉ ମଧ୍ୟ କହିଛନ୍ତି, “ବୟସ୍କ ଲୋକଙ୍କୁ କରୋନା ହେଲେ ଭାବବିହ୍ୱଳ ନହୋଇ ସେମାନଙ୍କୁ ସଙ୍ଗରୋଧରେ ରଖନ୍ତୁ। କରୋନା ମୃତ୍ୟୁ ସଂଖ୍ୟା ବଢ଼ିବ କି କମିବ ତାହା କହି ହେବନାହିଁ। ସ୍ୱାସ୍ଥ୍ୟବିଭାଗ ଓ ସରକାରଙ୍କ ପକ୍ଷରୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ରାଜ୍ୟରେ ତ୍ୱରିତ ସଂକ୍ରମଣ ଚିହ୍ନଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଚିକିତ୍ସା ପାଇଁ ଆହୁରି ଅଧିକ ଶଯ୍ୟାର ବ୍ୟବସ୍ଥା କରାଯିବ।”

ଆଜି ରାଜ୍ୟରୁ ସମୁଦାୟ ୩୧୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୫ଶହରୁ ଅଧିକ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୧୫ରେ ୪୩୮, ୧୪ରେ ୩୪୮, ୧୩ତାରିଖରେ ୨୦୧ ଚିହ୍ନଟ ହୋଇଥିଲେ। କ୍ରମାଗତ ଭାବେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ବ୍ୟକ୍ତି ଭୁବେଶ୍ୱରର ଅଞ୍ଚଳର ବୋଲି ବିଏମ୍‌ସି ପକ୍ଷରୁ ସୂଚନା ରହିଛି। ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ କଟକ ସମେତ ଅନ୍ୟାନ୍ୟ ୧୮ଟି ଜିଲ୍ଲାରେ ଲାଗୁହେବ ନାଇଟ କର୍ଫ୍ୟୁ। କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଯିବ।

Comment