ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପୁରାତନ ଛାତ୍ର ସଂଘ ‘ଇମ୍‍କା’ ଓଡ଼ିଶା ଶାଖାର ‘କନେକସନ-୨୦୨୧’ (ସଂଯୋଗ ୨୦୨୧) ଅନୁଷ୍ଠିତ ହୋଇଛି। ରବିବାର ପୂର୍ବାହ୍‌ଣରେ ସଂସ୍ଥାନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କର ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ।

“ଶୈକ୍ଷିକ ଅନୁଷ୍ଠାନଗୁଡ଼ିକ ସହିତ ପୁରାତନ ଛାତ୍ରଛାତ୍ରୀଙ୍କର ସମ୍ପର୍କ ରହିବା ଆବଶ୍ୟକ। ତା’ ସହ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଏକ ପାରସ୍ପରିକ ସମ୍ପର୍କ ରହିବା ଜରୁରୀ। ବିଶ୍ୱାସର ଭିତ୍ତି ଉପରେ ହିଁ ଏ ସମ୍ପର୍କ ଛିଡ଼ା ହୋଇଥାଏ”, କହିଥିଲେ ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀ।ପ୍ରଫେସର ଚାଟ୍ଟାର୍ଜୀ ଆହୁରି ମଧ୍ୟ କହିଥିଲେ ଯେ କୌଣସି ଅନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କର ଆବେଗିକ ସମ୍ପର୍କ ସ୍ଥାପନ ପାଇଁ କୋଠାବାଡ଼ି କି କାଳଖଣ୍ଡର ବିଶେଷ ଭୂମିକା ନ ଥାଏ, ବରଂ ସମ୍ପର୍କର ସାନ୍ଧ୍ରତା, ନିବିଡ଼ତା ଓ ସ୍ମୃତି ଉପରେ ନିର୍ଭର କରିଥାଏ। ଆଜିକାଲି ଭାରତବର୍ଷରେ ଅନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କର ଗଭୀର ସମ୍ପର୍କ ରହୁନାହିଁ। ବିଶ୍ୱାସ ଧୀରେ ଧୀରେ କମି କମି ଯାଉଛି। ଏହା ପ୍ରତ୍ୟେକ ଅନୁଷ୍ଠାନ ପାଇଁ ବିପଦ ସଙ୍କେତ। ତେଣୁ ପୁଣିଥରେ ପ୍ରତ୍ୟେକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଓ ବିଶ୍ୱାସ ଆଣିବାକୁ ହେବ।

“ଆଇଆଇଏମ୍‍ସିରେ ପଢ଼ିବା ପରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଜୀବନରେ ମୋଡ଼ ନେଇଥାଏ। ବୃତ୍ତିଗତ କ୍ଷେତ୍ରରେ ଏକ ପରିଚୟ ଦେଇଥାଏ। ସଂସ୍ଥାନକୁ ଏହି ଶ୍ରେୟ ଦେବା ସହ ପାଠପଢ଼ା ସମୟର ସ୍ମୃତିକୁ ସଞ୍ଜୀବିତ କରିବା ପାଇଁ ‘କନେକ୍‍ସନ’ ଆୟୋଜନ କରାଯାଉଛି। ପ୍ରତ୍ୟେକ ରାଜ୍ୟ ସହ ବିଦେଶରେ ମଧ୍ୟ ଏହା ଆୟୋଜନ କରାଯାଉଛି। ସମସ୍ତ ପୁରାତନ ଓ ନୂତନ ଛାତ୍ରଛାତ୍ରୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହ ବୃତ୍ତିଗତ କ୍ଷେତ୍ରରେ ସମସ୍ତେ ସମସ୍ତଙ୍କୁ ସହଯୋଗ କରିବାରେ ସଂଘ ପ୍ରମୁଖ ଭୂମିକା ନେଉଛି”, କହିଥିଲେ ‘ଇମ୍‍କା’ ଓଡ଼ିଶା ଶାଖାର ସଭାପତି ସଞ୍ଜୟ ସାହୁ।ଇମ୍‌କାର ସାଧାରଣ ସମ୍ପାଦକ ତଥା ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର ସଭା ପରିଚାଳନା ସହ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଚଳିତ ବର୍ଷ ‘କୋଭିଡ-୧୯’ର ଭୟାବହତା ଦୃଷ୍ଟିରୁ କାର୍ଯ୍ୟକ୍ରମକୁ ସୀମିତ କରାଯାଇଛି । କଟକଣା ଭିତରେ ମଧ୍ୟ ସଂଘର ବିଭିନ୍ନ ପୁରସ୍କାର ବିତରଣ ନେଇ ପ୍ରକ୍ରିୟା ଜାରି ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆବଶ୍ୟକ କରୁଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯାଉଥିବା ନେଇ ଡକ୍ଟର ମହାପାତ୍ର ସୂଚନା ଦେଇଥିଲେ।

ଡିଜିଟାଲ ସାମ୍ବାଦିକତା ପାଠ୍ୟକ୍ରମରେ ଶୀର୍ଷ ସ୍ଥାନ ଗ୍ରହଣ କରିଥିବା ୨୦୧୯-୨୦ ବର୍ଷର ଇଂରାଜୀ ବିଭାଗର ଛାତ୍ରୀ ପ୍ରାଚୀ ରାଠି, ଓଡ଼ିଆ ବିଭାଗର ଛାତ୍ରୀ ଦେବଶ୍ରୀ ଦେବସ୍ମିତା ସାହୁ ଓ ଆରତୀ ବେହେରାଙ୍କୁ ୫ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।

କୋଭିଡ ପାଇଁ ଚଳିତ ବର୍ଷ କାର୍ଯ୍ୟକ୍ରମ ଫିକା ଲାଗୁଛି ବୋଲି ପୁରାତନ ଛାତ୍ରୀ ତଥା ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ କହିଥିଲେ। ବରିଷ୍ଠ ସାମ୍ବାଦିକା ତଥା ପୁରାତନ ଛାତ୍ରୀ ସଙ୍ଗୀତା ଅଗ୍ରୱାଲ, ଛାତ୍ରୀ ନିଳାଦ୍ରୀ ନିବାସିନୀ, ଛାତ୍ର ଅମନ ଆୟୁଷ୍ମାନ ଦାସ ପ୍ରମୁଖ ପାଠପଢ଼ା ସମୟର ସ୍ମୃତିଚାରଣ କରିଥିଲେ। ଚଳିତ ବର୍ଷର ଛାତ୍ରୀ ମୋନାଲି ସାହୁ ଆଇଆଇଏମ୍‍ସିକୁ ନେଇ ରଚିତ ଏକ କବିତା ପାଠ କରିଥିଲେ। ଶେଷରେ ପୁରାତନ ଛାତ୍ର ତଥା ସହକାରୀ ପ୍ରଫେସର ସମ୍ବିତ୍‍ ପାଲ ଧନ୍ୟବାଦ ଦେଇଥିଲେ। ସେକ୍ସନ ଅଫିସର କେଦାରନାଥ ଜେନା, ବୈଷିୟକ ସଂଯୋଜକ ବଦ୍ରିନାଥ ଜେନା, ଏକାଡେମିକ ଆସିଷ୍ଟାଣ୍ଟ ପଦ୍ମଲୋଚନ ପ୍ରଧାନଙ୍କ ସମେତ ବହୁ ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comment