ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ ୬୧୬୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୫୭୫ଜଣ ହୋଇଥିବାବେଳେ, ୨୫୮୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସବୁବେଳେ ସର୍ବଧିକ ପଜିଟିଭ୍ ଚିହ୍ନଟ ହେଉଥିବାବେଳେ, ଆଜିର ତଥ୍ୟ ଅନୁସାରେ ରେକର୍ଡ ସଂଖ୍ୟକ ୧୧୩୨ କରୋନା ପଜିଟିଭ୍ ଏହି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୪୫୯, କଳାହାଣ୍ଡିରୁ ୪୫୨, ଝାରସୁଗୁଡ଼ାରୁ ୩୫୫ ଓ କଟକରୁ ୩୬୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ୍ ସଂଖ୍ୟା ୩ଲକ୍ଷ ୮୮ହଜାର ୪୭୯ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୨୦୦୯ଜଣଙ୍କୁ ମିଶାଇ ସମୁଦାୟ ୩ଲକ୍ଷ ୫୧ହଜାର ୩୮୬ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ରାଜ୍ୟରେ ୩୫ହଜାର ୦୭୫ ସକ୍ରିୟ ମାମଲା ରହିଛି।

ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁସାରେ ଗତ ଦୁଇ ଦିନ ହେବ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ରହିଥିବାବେଳେ, ଆଜି ଏହା ୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ହୋଇଥିବାବେଳେ, ଗଞ୍ଜାମ ଓ ରାୟଗଡ଼ାରୁ ୨ଜଣଙ୍କର ଜୀବନ ନେଇଛି କରୋନା। ଏଥିସହ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୬୫ରେ ପହଞ୍ଚିଛି।

ରାଜ୍ୟରେ ଜାରି ରହିଛି ଟିକାକରଣ। ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୧ଲକ୍ଷ ୨ହଜାର ୪୦୭ ହିତାଧିକାରୀଙ୍କୁ ଟିକା ଦିଆସରିଛି। କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ସବୁଠାରେ ମାସ୍କ ଚେକିଂକୁ ଜୋରଦାର୍ କରାଯିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ସଜାଗ ରହିଛି।

Comment