ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଟିକାକରଣ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ପହିଲାରୁ ୧୮ରୁ ୪୫ ବର୍ଷୀୟ ଲୋକଙ୍କୁ କରୋନା ଟିକା ଦିଆଯିବ। ଏଣୁ ତା ପୂର୍ବରୁ ସରକାରଙ୍କୁ ସ୍ଥିର କରିବା ପାଇଁ ହେବ ଲୋକେ ମାଗଣା ଟିକା ପାଇବେ କି ଏଥିପାଇଁ ସେମାନଙ୍କୁ ଅର୍ଥ ଦେବାକୁ ପଡ଼ିବ। ତୃତୀୟ ପର୍ଯ୍ୟାୟ ଟିକା ଦାନରେ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ଏହା ନିଃଶୁଳ୍କ କରାଯାଇପାରେ।

ଓଡ଼ିଶା ସରକାରଙ୍କର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି ଯେ ଯଦି ୧୮-୪୫ ବର୍ଷରୁ ସମସ୍ତ ଲୋକଙ୍କୁ ମାଗଣାରେ ଟିକା ଦିଆଯାଏ ସରକାରଙ୍କୁ ଏଥିପାଇଁ ୧୬୦୦ କୋଟି ଟଙ୍କାର ବୋଝ ବହନ କରିବାକୁ ହେବ।

ଏହି ବର୍ଗର ଲୋକଙ୍କ ସଂଖ୍ୟା ହେଉଛି ପ୍ରାୟ ୨ କୋଟି। ଏହି ଟଙ୍କା କେଉଁଠୁ ଆସିବ ଓ କିଭଳି ଏହି ପ୍ରକ୍ରିୟା ଆରମ୍ଭ କରାଯିବ ସେନେଇ ବିଚାର ବିମର୍ଶ ଚାଲିଥିବା ଜଣାପଡିଛି। ଏହି ଦୁଇ କୋଟି ଲୋକଙ୍କ ଭିତରୁ କିଛି ଲୋକଙ୍କୁ ଆର୍ଥିକ ବୋଝରୁ ବାଦ ଦିଆଯିବାର ସମ୍ଭାବନା ରହିଛି।

ସରକାରୀ ସ୍ତରରେ ଯେଉଁ ବିଚାର ଚାଲିଛି ତାହାର ଦୁଇଟି ଦିଗ ରହିଛି। ଗୋଟିଏ ଦିଗ ହେଉଛି ବିପିଏଲ, ଏସସି ଓ ଏସ୍‌ଟି, ଗର୍ଭବତୀ ମହିଳା ଓ ସଦ୍ୟ ଶିଶୁ ଜନ୍ମ କରିଥିବା ମହିଳାଙ୍କୁ ମାଗଣାରେ ଟିକା ଉପଲବ୍ଧ ହେବ। ଦ୍ଵିତୀୟ ଦିଗଟି ହେଉଛି ଆୟ ଭିତ୍ତିରେ ଟିକା ଦାନ ସଶୁଳ୍କ କି ନିଃଶୁଳ୍କ କରାଯିବ। ଯାହା ହେଲେ ବି ଏପ୍ରିଲ ୨୮ ସୁଦ୍ଧା ଏନେଇ ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ କାରଣ ଏହି ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ। ଉଲ୍ଲେଖ କରାଯାଇପାରେ ଯେ ମେ ପହିଲାରୁ ରାଜ୍ୟରେ ୧୮ରୁ ୮୦ ସମସ୍ତେ କରୋନା ଟିକା ନେବେ।

ଏଥିସହିତ ଓଡ଼ିଶା ସରକାରଙ୍କୁ ଟିକା ଦାନ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରିବା ପାଇଁ ହେବ। ଇତି ମଧ୍ୟରେ କଂଗ୍ରେସ ଓ ବିଜେପି ଦାବି କରିଛନ୍ତି ଯେ ରାଜ୍ୟ ସରକାର ସମଗ୍ର ଟିକା ଖର୍ଚ୍ଚକୁ ବହନ କରିବା ଦରକାର।

Comment