ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲେଖକ ମନୋଜ ଦାସଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଘଟଣା-୧

ପଦ୍ମଶ୍ରୀ ମନୋଜ ଦାସ ସେତେବେଳେ ଦଶମ ଶ୍ରେଣୀର ଛାତ୍ର। ବାଲେଶ୍ୱର ମହାବିଦ୍ୟାଳୟର କେତେକ ଛାତ୍ର ବମ୍ବେ ବୁଲିବାକୁ ଯାଇଥାନ୍ତି। ଏହି ଅବସରରେ ‘କୁଙ୍କୁମ’ ପତ୍ରିକାର ସଂପାଦକ ଦେବ ମହାପାତ୍ରଙ୍କୁ ସେମାନେ ଭେଟିବାକୁ ପହଞ୍ଚିଲେ। ‘କୁଙ୍କୁମ’ର ଆଗାମୀ ସଂଖ୍ୟାରେ ମନୋଜ ଦାସଙ୍କ ଗୋଟିଏ ଲେଖା ଥାଏ। ତାହାକୁ ଦେଖି ଜଣେ ଛାତ୍ର ସ୍ୱତଃପ୍ରବୃତ୍ତ ଭାବେ କହିପକାଇଲେ-‘ଏ ସଂଖ୍ୟାରେ ବି ଆମ ମନୋଜର ଲେଖା ଅଛି।’ ଦେବ ମହାପାତ୍ର ସାମାନ୍ୟ ବିରକ୍ତ ହେଲେ। କହିଲେ- ତମେ ଜଣେ ଛାତ୍ର। ମନୋଜ ଦାସଙ୍କ ଭଳି ଜଣେ ବଡ଼ ଲେଖକଙ୍କ ଲେଖାକୁ ତମେ ମନୋଜର ବୋଲି କେମିତି ସମ୍ବୋଧନ କରିପାରୁଛ? ବଡ଼ଲୋକଙ୍କୁ କେମିତି ସମ୍ମାନ ଦିଆଯାଏ ତମେ କ’ଣ ତାହା ଶିଖିନାହଁ।

ଏଭଳି ବାକ୍ୟରେ ସେହି ଛାତ୍ର ଜଣକ ଟିକେ ବିସ୍ମିତ ହୋଇ ପଚାରିଲେ-‘ଏ ମନୋଜ କ’ଣ ଆମ ବାଲେଶ୍ୱରର ମନୋଜ ନୁହନ୍ତି କି? ଦେବ ମହାପାତ୍ର କହିଲେ-ହଁ, ସେ ବାଲେଶ୍ୱରର। ଏହାପରେ ଛାତ୍ର ଜଣକ କହିଲେ ବାଲେଶ୍ୱରର ମନୋଜ ଦାସ ତ ଏବେ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଛନ୍ତି। ଏଭଳି କଥା କୁଙ୍କୁମ ଭଳି ପତ୍ରିକାର ସମ୍ପାଦକ ଦେବ ମହାପାତ୍ରଙ୍କୁ ଚକିତ କରିଦେଇଥିଲା।

ଘଟଣା-୨

୧୯୫୫-୫୬ ମସିହା। ମନୋଜ ଦାସ ତରୁଣ ଏବଂ ସେତେବେଳେ ଆଇନ ପାଠ ପଢୁଥାନ୍ତି। ବିରାଟ ଛାତ୍ର ଆନ୍ଦୋଳନକୁ ସେ ନେତୃତ୍ୱ ଦେଉଥିଲେ। ହଠାତ୍ ତାଙ୍କୁ କଟକ ଲାଲବାଗ ପୋଲିସ ଗିରଫ କରି ନେଇଗଲା।  ମଧ୍ୟାହ୍ନରେ ଜଣେ ଯୁବ ପୋଲିସ ଅଧିକାରୀ ଆସି ମନୋଜଙ୍କୁ ଡାକିଲେ। ତାଙ୍କ ଆଗରେ ବାଢ଼ିଦିଆଗଲା ନାନା ପ୍ରକାର ସୁସ୍ୱାଦୁ ଖାଦ୍ୟ। ପୋଲିସ କର୍ମଚାରୀଙ୍କ ଏଭଳି ସୌହାର୍ଦ୍ଧ୍ୟପୂର୍ଣ୍ଣ ବ୍ୟବହାର ମନୋଜଙ୍କୁ ଆଶ୍ଚର୍ଯ୍ୟ କଲା। ସେ ଉତ୍କଣ୍ଠିତ ହୋଇ ପଚାରିଲେ- ଗିରଫ ହୋଇ ଥାନାକୁ ଅଣାଯାଇଥିବା ଲୋକଙ୍କୁ କ’ଣ ଏଇଭଳି ସୁସ୍ୱାଦ୍ୟ ଖାଦ୍ୟ ଦିଆଯାଏ?

ପୋଲିସ ଅଧିକାରୀ ସ୍ମିତ ହସି କହିଲେ- ନା। ଆପଣଙ୍କ ପାଇଁ ହିଁ କେବଳ ଏପରି ବ୍ୟବସ୍ଥା କରିଛି। ମୋ ସହଧର୍ମିଣୀ ଆପଣଙ୍କ ଲେଖାର ଜଣେ ମୁଗ୍ଧ ପାଠିକା। ନିଜ ତାରୁଣ୍ୟରେ ମନୋଜ ଦାସ ଅର୍ଜିଥିବା ଲେଖକୀୟ ଶ୍ରଦ୍ଧାର ଏ ହେଉଛି ଏକ ଦୃଷ୍ଟାନ୍ତ।

ଘଟଣା-୩

ମନୋଜ ଦାସଙ୍କର ବହୁଚର୍ଚ୍ଚିତ ଗଳ୍ପ ହେଉଛି ‘ଆରଣ୍ୟକ’। ତାଙ୍କ ବନ୍ଧୁ ତଥା ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକ ସେତେବେଳେ ଗୋଟିଏ ପତ୍ରିକାର ସହକାରୀ ସଂପାଦକ ଥାଆନ୍ତି। ପତ୍ରିକା ଲାଗି ମନୋଜ ଦାସଙ୍କଠାରୁ ସେ ଗୋଟିଏ ଗଳ୍ପ ଆମନ୍ତ୍ରଣ କରିଥିଲେ। ବିଭୂତି ପଟ୍ଟନାୟକଙ୍କୁ ମିଳିଲା ଏଇ ‘ଆରଣ୍ୟକ’ ଗଳ୍ପ। ସେ ତାକୁ ସିନା ନେଇଗଲେ, କିନ୍ତୁ ପତ୍ରିକାର ମୁଖ୍ୟ ସଂପାଦକ ଜଣକ ଗଳ୍ପଟିକୁ ନଛାପି ବହୁଦିନ ଧରି ପକେଇ ରଖିଲେ।

ପତ୍ରିକାର ଦୁଇ ତିନିଟା ସଂଖ୍ୟା ଛପାଯିବା ପରେ ମଧ୍ୟ ଗଳ୍ପଟି ବାହାରିଲା ନାହିଁ। ତେଣୁ ମନୋଜ ଦାସ ବନ୍ଧୁ ବିଭୂତି ପଟ୍ଟନାୟକଙ୍କୁ ସେହି ଗଳ୍ପଟିକୁ ଫେରାଇଦେବାକୁ ଅନୁରୋଧ କଲେ। ସେତେବେଳେ ମନୋଜ ନିଜେ ପ୍ରକାଶ କରୁଥିବା ‘ଦିଗନ୍ତ’ ପତ୍ରିକାରେ ତାହାକୁ ଛାପିବା ପାଇଁ ଚିନ୍ତା କରିଥିଲେ। ପ୍ରକୃତ କଥା ପରେ ଜଣାପଡ଼ିଲା। ପତ୍ରିକାର ପ୍ରବୀଣ ସଂପାଦକ ଜଣକ କୁଆଡେ଼ କହିଥିଲେ- ବିଭୂତି, ତୁମର ବିଶ୍ୱାସ ହେଉଛି କି, ଏ ଗଳ୍ପ ଓଡ଼ିଶାର ଜଣେ ଲୋକ ଲେଖିଥିବ?

ସଂପାଦକ ଜଣକ ଭାବୁଥିଲେ- ଏହା କୌଣସି ବିଦେଶୀ ଗଳ୍ପରୁ ଆଦୃତ ହୋଇଛି। ମନୋଜ ଦାସ ନିଜ ଲେଖାଟିକୁ ଫେରାଇ ଆଣିବା ପରେ ଯାହା ହେଲା, ତାହା ଇତିହାସ। ଭାରତୀୟ ଭାଷା ସାହିତ୍ୟରେ ଆରଣ୍ୟକ ଏକ ସର୍ବକାଳୀନ ଐତିହାସିକ ଗପର ମାନ୍ୟତା ପାଇଲା। ଏହା ଉପରେ ନିର୍ମିତ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ବହୁ ପୁରସ୍କାର ପାଇଛି।

LEAVE A REPLY

Please enter your comment!
Please enter your name here