ଓଡ଼ିଶାଲାଇଭ୍ ବ୍ୟୁରୋ

ଚୁତର୍ଥ ଅଲୌକିକ କଳିଙ୍ଗ ମହୋତ୍ସବରେ ପଦ୍ମବିଭୂଷଣ ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି।

  • ଚତୁର୍ଥ ଅଲୌକିକ କଳିଙ୍ଗ ମହୋତ୍ସବ ଉଦଘାଟିତ
  • ଦ୍ୱିଭାଷୀ ଲେଖକ ମନୋଜ ଦାସଙ୍କୁ ମିଳିଲା କଳିଙ୍ଗ ସାହିତ୍ୟ ସମ୍ମାନ
  • ଆଧୁନିକ କବିତା ସାହିତ୍ୟରେ ସୁନ୍ଦର ବିଦ୍ରୂପ ସହିତ ଭେଜାଲ ମଧ୍ୟ ରହୁଛି : ମନୋଜ ଦାସ
  • ଶ୍ରେଷ୍ଠ ସାହିତ୍ୟିକ କୃତିର ଉତ୍ସ ଆଧ୍ୟାତ୍ମବାଦ : ପ୍ରତିଭା ରାୟ

“ଦୈବିକ ପ୍ରଗଳଭତା ଏକ ଅନୁଭବ ଯାହାର ଧର୍ମ, ସଂପ୍ରଦାୟ  ସହିତ କୌଣସି ସମ୍ପର୍କ ନାହିଁ। ଏହା ଜଣେ ବ୍ୟକ୍ତିକୁ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଶକ୍ତି ଦେଇଥାଏ। ପଞ୍ଚଦଶ ଶତାବ୍ଦୀରେ ଫ୍ରାନ୍ସ ଦେଶର ଯୋଦ୍ଧା ଜୋଆନ ଅଫ ଆର୍କ ଅଳ୍ପ ବର୍ଷରେ ମୃତ୍ୟୁବରଣ କରିଥିଲେ ମଧ୍ୟ ଏହି ଅନୁଭବ ଦ୍ୱାରା ତାଙ୍କ ଦେଶର ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆଣିପାରିଥିଲେ।”

ଅଲୌକିକ କଳିଙ୍ଗ ସାହିତ୍ୟ ମହୋତ୍ସବର ଚତୁର୍ଥ ସଂସ୍କରଣରେ ଯୋଗଦେଇ ଲେଖକ ତଥା ପଦ୍ମବିଭୂଷଣ ବିଜେତା ମନୋଜ ଦାସ ଏପରି କହିଛନ୍ତି। ଦୁଇ ଦିନଧରି ହେବାକୁ ଥିବା ଏହି ମହୋତ୍ସବ ଶନିବାରଠାରୁ ଆରମ୍ଭ ହୋଇଛି।

ଏଥିରେ ଅତିଥି ଭାବେ ଯୋଗଦେଇ ମନୋଜ ଦାସ କହିଥିଲେ ଯେ ଆଧୁନିକ ସାହିତ୍ୟ ବିଶେଷ କରି ଆଧୁନିକ କବିତାରେ ସାହିତ୍ୟର ମାନ ଅନେକାଂଶରେ କ୍ଷୁର୍ଣ୍ଣ ହେଉଛି। ଆଧୁନିକ କବିତାରେ ସୁନ୍ଦର ବିଦ୍ରୂପ ରହିବା ସହିତ ଅନେକ ପରିମାଣରେ ଭେଜାଲ ମଧ୍ୟ ରହୁଛି ବୋଲି ସେ କହିଥିଲେ। ଏଥିସହିତ ବିରଳ ରହସ୍ୟବାଦକୁ ନେଇ ଏହି ସାହିତ୍ୟ ମହୋତ୍ସବ ଆୟୋଜନ ହେଉଥିବାରୁ ଏଥିପ୍ରତି ସେ ନିଜର ଖୁସି ଜାହିର କରିଥିଲେ।

ମନୋଜ ଦାସଙ୍କ ସହିତ ଏହି ମହୋତ୍ସବରେ ସୀତାକାନ୍ତ ମହାପାତ୍ର, ରାମାକାନ୍ତ ରଥ, ପ୍ରତିଭା ରାୟଙ୍କ ଭଳି ଓଡିଆ ସାହିତ୍ୟର ପ୍ରମୁଖ ବ୍ୟକ୍ତିତ୍ଵଗଣ ଉପସ୍ଥିତ ରହିଥିଲେ। ଏହି ଅବସରରେ ସୀତାକାନ୍ତ ମହାପାତ୍ର ନିଷ୍କାମ ଜ୍ଞାନ ଓ କର୍ମ ସହିତ ଭକ୍ତି ଭାବ ଉପରେ ଗୁରୁତ୍ଵ ପ୍ରଦାନ କରିବାକୁ କହିଥିଲେ। ସେହିପରି ସାରଳାଙ୍କଠାରୁ ଆରମ୍ଭ କରି ରମାକାନ୍ତ ରଥ ଯାଏଁ, ଫକୀରମୋହନଙ୍କ ଠାରୁ ଆରମ୍ଭ କରି ମନୋଜ ଦାସଙ୍କ ଯାଏଁ ସମସ୍ତ ଶ୍ରେଷ୍ଠ ସାହିତ୍ୟିକ କୃତିର ଉତ୍ସ ହେଉଛି ଆଧ୍ୟାତ୍ମବାଦ ବୋଲି କହିଥିଲେ ପ୍ରତିଭା ରାୟ।

ଅଲୌକିକ କଳିଙ୍ଗ ମହୋତ୍ସବର ପ୍ରଥମ ଦିନରେ ସାତଟି ଅଧିବେଶନ ହୋଇଥିଲା। ଭକ୍ତି, ଆଧ୍ୟାତ୍ମବାଦ ଓ କଳାର ଏହି ମହୋତ୍ସବର ପ୍ରଥମ ଦିନରେ ଦ୍ଵିଭାଷୀ ଲେଖକ ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ତାଙ୍କୁ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।

Comment