ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରୁ କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଶା ଇଂରାଜୀ ଗବେଷଣା ପରିଷଦ’ ଓ ‘ମନୋଜାୟନ’ର ମିଳିତ ସହଯୋଗରେ ‘ମନୋଜ ଦାସଙ୍କ ସାହିତ୍ୟରେ ଆଧ୍ୟାତ୍ମିକତା’ ଶୀର୍ଷକ ଏକ ନ୍ୟାସ୍‌ନାଲ ସେମିନାର ବାଲଶ୍ଵରର ଆତିଥ୍ୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ମନୋଜ ଦାସଙ୍କ ଭିତରେ ଆଧ୍ୟାତ୍ମିକତାର ଅନ୍ଵେଷଣ ବାଲ୍ୟକାଳରୁ ଆସିଥିଲା। ପରବର୍ତ୍ତୀ ସମୟରେ ଏହା ତାଙ୍କ ସାହିତ୍ୟର ପ୍ରତିଫଳିତ ହେଇଥିଲା। ସେ ହେଉଛନ୍ତି ଭାରତୀୟ ସଂସ୍କୃତି ଓ ସଂସ୍କାରର ଜଣେ ବିଶ୍ଵସ୍ତ ପ୍ରତିନିଧି। ତାଙ୍କ ଆଧ୍ୟାତ୍ମର ଅନ୍ଵେଷଣ ତାଙ୍କ ଜୀବନର ନିର୍ମାଣରେ ମଧ୍ୟ ଦୃଶ୍ୟମାନ ହୁଏ। ମାତ୍ର ୪ ବର୍ଷ ବୟସରୁ ତାଙ୍କ ଭିତରେ ଆଧ୍ୟାତ୍ମିକତାକୁ ନେଇ ଖୋଜାଲୋଡା ଆରମ୍ଭ ହୋଇଥିଲା। ପ୍ରାଥମିକ ଜୀବନରୁ ସେ ତାଙ୍କର ଏହି ଅନ୍ଵେଷଣ ଜାରି ରଖିଥିଲେ। ଯାହା ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ରୂପ ଧାରଣା କରିଥିଲା। ଜୀବନର ଗଭୀରତମ ପ୍ରଦେଶକୁ ଉନ୍ମୋଚିତ କରିବା ତାଙ୍କର ଲକ୍ଷ୍ୟ ହୋଇଥିବାବେ‌ଳେ ସାହିତ୍ୟରେ ଦେଖା ଯାଉଥିବା ବ୍ୟଙ୍ଗ ଓ ହାସ୍ୟରସ ଏକ ଆବରଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

 

ଓଡ଼ିଶା ଇଂରାଜୀ ଗବେଷଣା ପରିଷଦର ସଭାପତି ଡକ୍ଟର ସାନ୍ତ୍ଵନା ହାଲଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଅଧିବେଶନରେ ଉତ୍ତରାଖଣ୍ଡ ମୁକ୍ତ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର୍ ଡକ୍ଟର ଏଚ୍ ପି ଶୁକ୍ଳା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର୍ ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ‘ମନୋଜାୟନ’ର ସଭାପତି ପ୍ରଫେସର୍ ରବିନାରାୟଣ ଦାଶଙ୍କ ପୌରୋହିତ୍ୟରେ ମନୋଜ ସାହିତ୍ୟ ଉପରେ ଏକ ଦ୍ୱିଭାଷୀ ସମାଲୋଚନା ଗ୍ରନ୍ଥ ‘ମନୋଜାୟନ’ ଲୋକାର୍ପିତ ହୋଇଥିଲା।

ସେହିପରି ଦ୍ଵିତୀୟ ଅଧିବେଶନରେ ସାଗରିକା ସିଂ, ଡକ୍ଟର ସୁକାନ୍ତି ମହାପାତ୍ର, ଡକ୍ଟର ସନ୍ତୋଷ କୁମାର ନାୟକ ଏବଂ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ‘ମନୋଜ ସାହିତ୍ୟରେ ଆଧ୍ୟାତ୍ମିକତା’ ଉପରେ ପର୍ଯ୍ୟବେସିତ ସ୍ଵରଚିତ ନିବନ୍ଧମାନ ପାଠ କରିଥିଲେ। ସହରର ବୁଦ୍ଧିଜୀବୀ, ସାହିତ୍ୟିକ ଓ ମନୋଜପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Comment