ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଦ୍ୱିତୀୟ ଲହର ସଂକ୍ରମଣରେ ଓଡ଼ିଶାର ୧୯ଜିଲ୍ଲା ଏବେ ରେଡ୍ ଜୋନ୍ ଭିତରେ ରହିଛି। ସେହିପରି ଅନ୍ୟାନ୍ୟ ୭ଜିଲ୍ଲା ୟେଲୋ ଜୋନ୍‌ରେ ରହିଥିବାବେଳେ, ଆଉ ୪ଟି ଗ୍ରୀନ ଜୋନ୍‌ରେ ରହିଛି। କିଛିଦିନ ହେବ ଲଗାତାର ୧୭ଟି ଜିଲ୍ଲା ରେଡ୍ ଜୋନ୍‌ରେ ରହିଆସୁଥିଲା। ଆଜିର ତଥ୍ୟ ଅନୁସାରେ ଆଉ ଦୁଇ ନୂଆ ଜିଲ୍ଲା ନୟାଗଡ଼(୨୧୮) ଓ ରାୟଗଡ଼ା(୧୯୯) ଏହି ଜୋନ୍‌ରେ ସାମିଲ ହୋଇଛି।

ଏହି ମହାମାରୀ ଅଳ୍ପ ସମୟ ବ୍ୟବଧାନରେ ଅନେକଙ୍କୁ ସଂକ୍ରମିତ କରୁଛି। ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ଦୈନିକ ସଂକ୍ରମଣ ସଂଖ୍ୟା ୫ହଜାର ତଳେ ରହୁଥିବାବେଳେ, ତୃତୀୟ ସପ୍ତାହରୁ ଏହା ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୧୦ହଜାରରେ ପହଞ୍ଚିଛି। ଏଥିସହ ପ୍ରତିଦିନ ୧୦ଜଣରୁ ଅଧିକ ଲୋକଙ୍କ ଜୀବନ ନେଉଛି କରୋନା।

କେମିତି ଜୋନ୍ ନିର୍ଦ୍ଧାରିତ କରାଯାଏ?

ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଦିଆଯାଉଥିବା କରୋନା ତଥ୍ୟ ଅନୁସାରେ ଜୋନ୍ ନିର୍ଦ୍ଧାରିତ କରାଯାଇଥାଏ। ଏହି ଜୋନ୍‌କୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ରେଡ, ୟେଲୋ, ଗ୍ରୀନ । ୧ରୁ ୫ଶହ ଭିତରେ ଥିବା ସକ୍ରିୟ ଆକ୍ରାନ୍ତକୁ ନେଇ ଗ୍ରୀନ ଜୋନ୍ ଗଠିତ ହୋଇଥାଏ। ୫ଶହରୁ ୧ହଜାର ସକ୍ରିୟ ଆକ୍ରାନ୍ତ ଥିଲେ ୟେଲୋ ଜୋନ୍ ଏବଂ ଯେଉଁ ଜିଲ୍ଲାରେ ୧ହଜାରରୁ ଅଧିକ ଆକ୍ରାନ୍ତ ସକ୍ରିୟ ରହିଥାନ୍ତି, ସେହି ଜିଲ୍ଲା ରେଡ୍ ଜୋନ୍ ପରିସରରେ ଯାଏ।

କରୋନାରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା

କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ପାଖାପାଖି ସବୁ ଜିଲ୍ଲାରେ କ୍ରମାଗତ ଭାବରେ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା, ସୁନ୍ଦରଗଡ଼, କଳାହାଣ୍ଡି ସମେତ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକ ରହିଛି । ଓଡ଼ିଶା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ଛତିଶଗଡ଼।

ସର୍ବାଧିକ ସକ୍ରିୟ ଆକ୍ରାନ୍ତଙ୍କ ସହ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି। ଜିଲ୍ଲାରେ ୧୨ ହଜାରରୁ ଅଧିକ ସକ୍ରିୟ ସଂକ୍ରମଣ ମାମଲା ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ଟିଭ୍ କେସ୍ ୬ ହଜାର ଉପରେ ରହିଛି। କଟକ ଜିଲ୍ଲାରେ ୪ ହଜାରରୁ ଅଧିକ ଆକ୍ରାନ୍ତ ରହିଥିବା ବେଳେ, କଳାହାଣ୍ଡିରେ ୩ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି।

Comment