ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶିକ୍ଷାଦାନର ଏକ ଅନୁକୂଳ ପରିବେଶ ସୃଷ୍ଟି ନକରିବା ଓ ଶିକ୍ଷକତା ପ୍ରତି ଯୁବବର୍ଗଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଥିବା ଦର୍ଶାଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ସ୍ଥାୟୀ, ଅସ୍ଥାୟୀ, ନିର୍ଦ୍ଦିଷ୍ଟ ଅବଧି, ଠିକା ଓ ଶିକ୍ଷା ସହାୟକ ଏତେ ପ୍ରକାରର ଶିକ୍ଷକ ପଦବୀ କ’ଣ ପାଇଁ ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଚାରପତି।

ଏତେ ପ୍ରକାର ଶିକ୍ଷକ ପଦବୀ ସୃଷ୍ଟି କରି ସରକାର ଶିକ୍ଷକତା ବୃତ୍ତି ଭିତରେ ଯେଉଁ ବିଭାଜନ ସୃଷ୍ଟି କରିଛନ୍ତି ତାହା ଅନ୍ୟ କୌଣସି ଚାକିରୀରେ ନାହିଁ। ଏଥିରୁ ଶିକ୍ଷା ପାଇଁ ନୀତି ପ୍ରଣୟନକାରୀଙ୍କ ମନୋଭାବ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ହାଇକୋର୍ଟ।

ଜଷ୍ଟିସ ବି ଷଡ଼ଙ୍ଗୀ ତାଙ୍କ ରାୟରେ କହିଛନ୍ତି ଯେ, “ସରକାର ବିଭିନ୍ନ ନାଁରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଉଛନ୍ତି। ସେମାନଙ୍କୁ କମ୍ ଦରମା ଦିଆଯାଉଛି ଓ ଭିନ୍ନ ଭିନ୍ନ କାମ କରିବା ପାଇଁ କୁହାଯାଉଛି।”

କୋଡ଼ିଏରୁ କମ ପିଲା ଥିବା ସ୍କୁଲ ଗୁଡିକୁ ପାଖ ସ୍କୁଲରେ ମିଶାଇବା ସମ୍ପର୍କିତ ମାମଲାର ଖାରଜ କରିବା ସମୟରେ ଜଷ୍ଟିସ ଷଡ଼ଙ୍ଗୀ ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସ୍କୁଲ ଶିକ୍ଷା ପ୍ରତି ସରକାରୀ ଅଫିସରମାନଙ୍କ ଦ୍ୱେଷ ମନୋଭାବ ଯୋଗୁଁ ବର୍ତ୍ତମାନ ଏହି ଅବସ୍ଥା ସୃଷ୍ଟି ହୋଇଛି। ଏବେ କୁମ୍ଭୀର କାନ୍ଦଣା କାନ୍ଦିବା ଆବଶ୍ୟକ ନାହିଁ। ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲରେ ନପଢ଼ିବାର କାରଣ ନଖୋଜି କମ୍ ଉପସ୍ଥାନ ଥିବା ସ୍କୁଲ ଗୁଡିକୁ ବନ୍ଦ କରିଦେଉଛନ୍ତି ସରକାର। ଏହା ରୋଗ ନଚିହ୍ନି ଚିକିତ୍ସା କରିବା ସହ ସମାନ ବୋଲି ଜଷ୍ଟିସ କହିଛନ୍ତି।

LEAVE A REPLY

Please enter your comment!
Please enter your name here