ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ସୀମାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ସୀମାନ୍ତ ଇଲାକାରେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇ ଥିଲେ ହେଁ ସେମାନେ ଖାତିର ନକରି ଗଳା ବାଟ ଦେଇ ଓଡ଼ିଶାରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି।

ସଂକ୍ରମଣ ରୋକିବାକୁ କରାଯାଇଥିବା ବାଧ୍ୟତାମୂଳକ ପଞ୍ଜୀକରଣ, ସ୍କ୍ରିନିଂ ଓ କ୍ୱାରେଣ୍ଟାଇନକୁ ଏଡ଼ାଇ ପ୍ରବାସୀମାନେ ଓଡ଼ିଶାରେ ଗୁପ୍ତ ଭାବରେ ପ୍ରବେଶ କରୁଥିବା ଦେଖାଯାଉଛି। ଯଦିଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାନ୍ତ ଅଞ୍ଚଳରେ ଥିବା ହାଇୱେ ଓ ମୁଖ୍ୟ ରାସ୍ତା ସିଲ୍ କରାଯାଇଛି, କିନ୍ତୁ ସେମାନେ ଗାଁ ଭିତରେ ଥିବା ନିଛାଟିଆ ରାସ୍ତା ଦେଇ ଫେରୁଛନ୍ତି। ବିଶେଷକରି ରାତି ସମୟରେ ପ୍ରଶାସନର କୋହଳ ମନୋଭାବ ଦେଖି ଅନେକ ସଂଖ୍ୟକ ପ୍ରବାସୀ ଘରକୁ ଫେରୁଥିବା ଦେଖିବାକୁ ମିଳିଛି।

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘଟଣାରେ ବିଶେଷ ତତ୍ପରତା ପ୍ରକାଶ ପାଉନାହିଁ ବୋଲି କୁହାଯାଉଛି। ନିକଟରେ ଗୁରୁବାର ୯୩ଜଣ ପ୍ରବାସୀ ଏକ ମାଲ୍‌ବାହୀ ଟ୍ରକରେ ଆସି ନରସିଂହପୁର ବ୍ଲକ ଅନ୍ତର୍ଗତ ରେଗେଡ଼ା ଗାଁ ପାଖରେ ଓହ୍ଲାଇଥିଲେ। ଜଣେ ସ୍ଥାନୀୟ ବ୍ୟକ୍ତି ସେମାନଙ୍କ ପିଛା କରିବାରୁ ସେମାନେ ଗୋଟିଏ ମନ୍ଦିରରେ ଲୁଚି ରହିଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ସେହି ବ୍ୟକ୍ତି ଜଣକ ତହସିଲଦାର ଆଲୋକ କୁମାର ଦେହୁରିଙ୍କୁ ଜଣାଇବାପରେ, ସେମାନଙ୍କର କୋଭିଡ୍ ପରୀକ୍ଷା କରାଯାଇ ସେମାନଙ୍କୁ ଏକ ଅସ୍ଥାୟୀ ମେଡ଼ିକାଲ ସେଣ୍ଟରରେ ରଖାଯାଇଛି।

Comment