ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ନେଇଛନ୍ତି ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌। କରୋନା କଟକଣା ଭିତରେ ରାଜ୍ୟପାଳ ବନଓ୍ୱରିଲାଲ ପୁରୋହିତ ଷ୍ଟାଲିନ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଚେନ୍ନାଇ ରାଜଭବନରେ ତାଙ୍କ ସହିତ ଅନ୍ୟ ୩୩ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି।

ତାମିଲନାଡୁରେ ଗତ ୧୦ ବର୍ଷ ଧରି ଏଆଇଏଡିଏମକେ କ୍ଷମତା ଥିଲା। ଚଳିତ ନିର୍ବାଚନରେ ଏଆଇଏଡିଏମକେକୁ ହରାଇ ଡିଏମ୍‌କେ ସରକାର ଗଢ଼ିଛି।

ଷ୍ଟାଲିନଙ୍କ ରାଜନୈତିକ କ୍ୟାରିଅର

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେର ପ୍ରତିଷ୍ଠାତା ଏମ କରୁଣାନିଧିଙ୍କ ପୁଅ ହେଲେ ଷ୍ଟାଲିନ। ୧୯୫୩ ମାର୍ଚ୍ଚ ୧ରେ ତାଙ୍କର ଜନ୍ମ। ୧୪ ବର୍ଷ ବୟସରୁ ଷ୍ଟାଲିନ୍‌ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ।

୧୯୬୭ ନିର୍ବାଚନରେ, ପ୍ରଥମ ଥର ପାଇଁ ସେ ଡିଏମ୍‌କେ ଦଳ ପାଇଁ ପ୍ରଚାର କରିଥିଲେ। ୧୯୭୩ରେ ଡିଏମକେ ସାଧାରଣ କମିଟିର ସଦସ୍ୟ ହୋଇଥିଲେ ଷ୍ଟାଲିନ। ସେ ସମୟରେ ସେ ତାଙ୍କ ପାଠପଢ଼ା ମଧ୍ୟ ଜାରି ରଖିଥିଲେ ଏବଂ ମାଡ୍ରାସ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରେସିଡେନ୍ସି କଲେଜରୁ ସ୍ନାତକ ହାସଲ କରିଥିଲେ।। ୧୯୭୩ରୁ ଷ୍ଟାଲିନ ଦଳ ପାଇଁ କାମ କରିବା ଆରମ୍ଭ କରିଥିଲେ।

୧୯୭୫ରେ ମିସା (ଜରୁରୀ ପରିସ୍ଥିତି ବିରୋଧରେ) ଆନ୍ଦୋଳନ କରିବା ଅଭିଯୋଗରେ ଷ୍ଟାଲିନ୍‌ଙ୍କୁ ଗିରଫ କରାଯାଇଥିଲା। ଜେଲ ଭିତରେ ତାଙ୍କୁ ଅନେକ ଅତ୍ୟାଚାର ସହିବାକୁ ପଡ଼ିଥିଲା। ଜେଲ୍‌ରୁ ବାହାରିବା ପରେ ସାରାରାଜ୍ୟରେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ।

୧୯୮୪ରେ ଷ୍ଟାଲିନ ପ୍ରଥମ ଥର ପାଇଁ ଥାଉଜାଣ୍ଡ ଲାଇଟ୍ସ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ତାଙ୍କୁ ଏହି ନିର୍ବାଚନରେ ​​ପରାଜୟ ସାମ୍ନା କରିବାକୁ ପଡିଥିଲା। ଏହା ପରେ, ସେ ସମାନ ନିର୍ବାଚନମଣ୍ଡଳୀରୁ ୧୯୮୯, ୧୯୯୬ ,୨୦୦୧ ଏବଂ ୨୦୦୬ରେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ। ଏହାପରେ ସେ ୨୦୧୧ ଏବଂ ୨୦୧୬ରେ କୋଲାଥୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଏହା ସହିତ ଷ୍ଟାଲିନ ୧୯୯୬ରୁ ୨୦୦୦ ପର୍ଯ୍ୟନ୍ତ ଚେନ୍ନାଇର ମେୟର ମଧ୍ୟ ରହିଥିଲେ। ୨୦୦୯ରେ ଷ୍ଟାଲିନ୍‌ ତାମିଲନାଡୁର ଉପ-ମୁଖ୍ୟମନ୍ତ୍ରୀ ପଦ ହାସଲ କରିଥିଲେ ଷ୍ଟାଲିନ୍‌।

୨୦୧୮ରେ ଡିଏମ୍‌କେର ମଙ୍ଗ ଧରିଥିଲେ ଷ୍ଟାଲିନ୍‌

୨୦୧୮ରେ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ ଷ୍ଟାଲିନ୍‌ ଡିଏମକେର ମଙ୍ଗ ଧରିଥିଲେ। କିନ୍ତୁ କରୁଣାନିଧିଙ୍କ ପରେ ଦଳରେ କ୍ଷମତା ଲଢ଼େଇ ଜୋରଦାର ଚାଲିଥିଲା। ଷ୍ଟାଲିନ୍‌ ଦଳର ଅଧ୍ୟକ୍ଷ ହେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଭାଇ ତଥା ବହିଷ୍କୃତ ଡିଏମ୍‌କେ ନେତା ଏମ୍‌କେ ଆଲାଗିରି କ୍ଷମତାକୁ ଆସିବାକୁ ଚାହୁଁଥିଲେ। ତେଣୁ ଡିଏମ୍‌କେରେ ଯୋଗଦେବାକୁ ସେ ଦାବି କରିଥିଲେ। ତାଙ୍କୁ ଦଳରେ ସାମିଲ୍‌ କରାନଗଲେ, ଷ୍ଟାଲିନ୍‌ ଭୟଙ୍କର ଫଳାଫଳ ଭୋଗିବେ ବୋଲି ଆଲାଗିରି ଧମକ ଦେଇଥିଲେ। କିନ୍ତୁ ଭାଇଙ୍କ ଧମକକୁ ବେଖାତିର କରି ଷ୍ଟାଲିନ୍ ଅଧ୍ୟକ୍ଷ ପଦ ହାତେଇଥିଲେ। ଏବଂ ତାମିଲନାଡୁ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ସର୍ବେସର୍ବା ପାଲଟିଥିଲେ ଷ୍ଟାଲିନ୍‌।

କାହିଁକି ନାଁ ଷ୍ଟାଲିନ୍‌ ଦିଆଯାଇଥିଲା?

ମାର୍ଚ୍ଚ ୫, ୧୯୫୩ରେ ୠଷର ଏକଛତ୍ରବାଦୀ ଶାସକ’ ଜୋସେଫ ଷ୍ଟାଲିନଙ୍କ ମୃତ୍ୟୁ ହୋଇଥିଲା। ଏହାର ୪ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧ରେ ଏମକେ ଷ୍ଟାଲିନଙ୍କ ଜନ୍ମ ହୋଇଥିଲା। ହେଲେ ସେତେବେଳେ ତାଙ୍କ ନାଁ ଦିଆ ଯାଇନଥିଲା। ଯେତେବେଳେ କରୁଣାନିଧି ଜାଣିବାକୁ ପାଇଲେ ଯେ ଜୋସେଫ୍‌ଷ୍ଟାଲିନଙ୍କ ମୃତ୍ୟୁ ଘଟିଛି ସେତେବେଳେ ସେ ତାଙ୍କ ପୁଅର ନାଁ ‘ଏମ.କେ ଷ୍ଟାଲିନ’ ଦେଇଥିଲେ। ‘ଷ୍ଟାଲିନ୍’ର ଅର୍ଥ ହେଉଛି’ ଆଇରନ୍ ମ୍ୟାନ୍।

Comment