ଓଡ଼ିଶାଲାଇଭ୍ ବ୍ୟୁରୋ

ଦାୟିତ୍ୱ ନେବାପରେ ୨୪ଘଣ୍ଟିଆ ୧୯୨୯ କଲ୍ ସେଣ୍ଟର ପରିଦର୍ଶନ କରିଛନ୍ତି ନବ ନିଯୁକ୍ତ ବିଏମ୍‌ସି କମିସନର ସଞ୍ଜୟ ସିଂ। ସେଠାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ହେଲ୍ପ ଡେସ୍କକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି କମିସନର। ପ୍ରତିଦିନ ଏଠାକୁ କେତେ କଲ୍ ଆସୁଛି, ଡାକ୍ତରଙ୍କ ସହ ସଠିକ୍ ଭାବରେ ଯୋଗାଯୋଗ ହୋଇପାରୁଛି କି ନାହିଁ ଏବଂ ଏହିଠାରୁ କେତେ କଲ୍ ଯାଉଛି, ସେ ସମ୍ପର୍କରେ ପଚାରି ବୁଝିଥିଲେ।

ଭୁବନେଶ୍ୱରରେ କୋଭିଡ୍ ରୋଗୀମାନଙ୍କୁ ଫୋନ୍ କଲ୍ ମାଧ୍ୟମରେ ଡାକ୍ତରମାନେ ପରାମର୍ଶ ଦେବା ପାଇଁ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ତାଙ୍କ ବିଷୟରେ ସୂଚନା ଦେବାପାଇଁ ଟୋଲ୍ ଫ୍ରି ନମ୍ବର ୧୯୨୯ ଜାରି କରାଯାଇଛି। ବର୍ତ୍ତମାନ ଏ ଦିଗରେ ୨୫ଟି କଲ୍ ସେଣ୍ଟର କାର୍ଯ୍ୟ କରୁଥିବାବେଳେ, ଆଉ ୫ଟି ନୂଆ ସେଣ୍ଟର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିସନର। ଏହି ସେଣ୍ଟରମାନଙ୍କରେ କାର୍ଯ୍ୟ କରୁଥିବା ଡାକ୍ତର ଓ କଲ୍ ସେଣ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବିଶ୍ରାମ ପାଇଁ ସୁବିଧା କରିବାକୁ କହିଛନ୍ତି।

ନୂତନ ବ୍ୟବସ୍ଥା ଅନୁଯାୟୀ ସମ୍ କୋଭିଡ୍ ହସ୍ପିଟାଲରେ ୬ଜଣ, କିମ୍‌ସ କୋଭିଡ୍ ହସ୍ପିଟାଲରେ ୫ଜଣ, ହାଇଟେକ୍‌ରେ ୩ଜଣ, ହାଦିତ୍ୟ ଅଶ୍ୱିନୀ ଓ ବ୍ଲୁହ୍ୱେଲରେ ଜଣେ ଲେଖାଏଁ ହେଲ୍‌ପ ଡେକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ନିୟୋଜିତ ହେବେ। ଏମାନେ ଗୁରୁତର କରୋନା ରୋଗୀଙ୍କ ସ୍ଥିତି ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବେ।

ତଥ୍ୟ ଅନୁସାରେ, ମଙ୍ଗଳବାର ପର୍ଯ୍ୟନ୍ତ ଏହି କଲ୍ ସେଣ୍ଟରକୁ ମୋଟ ୩୫ ହଜାର ୦୬୮ଟି କଲ୍ ଆସିଥିବା ବେଳେ ୩୧ ହଜାର ୩୩୪ଟି ଗ୍ରହଣ କରାଯାଇଛି ଓ ୮୫୫୧ ଜଣଙ୍କୁ ସ୍ୱାସ୍ଥ୍ୟଗତ ପରାମର୍ଶ ଦିଆଯାଇଛି। ଏହି କଲ ସେଣ୍ଟରରେ ଦିନରେ ୭ ଜଣ ଓ ରାତିରେ ୪ ଜଣ ଡାକ୍ତର ରହିବା ସହ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଥିବା ହେଲ୍ପ ଡେସ୍କର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଯୋଗାଯୋଗ ସୁବିଧା ପାଇଁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ ବିଏମ୍‌ସି କମିଶନର ସଞ୍ଜୟ ସିଂ ନିର୍ଦ୍ଦେଶ ଦେଇଛନ୍ତି।

Comment