ଓଡ଼ିଶାଲାଇଭ୍ ବ୍ୟୁରୋ

ଲକ୍‌ଡାଉନ୍ ସମୟରେ ଭୋକିଲା ପଶୁପକ୍ଷୀଙ୍କ ମୁହଁରେ ଆହାର ଦେଉଛନ୍ତି କୋରାପୁଟର ଦୁଇ ଭାଇଭଉଣୀ କେ ଭବାନି ରେଡ୍ଡି ଓ ସହଦେବ ଦୁର୍ଗା। ଜୟପୁର ସହରରେ ଗାଈଗୋରୁ, ବୁଲା କୁକୁର ଏବଂ ପକ୍ଷୀମାନଙ୍କୁ ନିଜ ଖର୍ଚ୍ଚରେ ଖାଇବାକୁ ଦେଉଛନ୍ତି ଏହି ଦୁଇ ଭାଇଭଉଣୀ।

ରାଜ୍ୟରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସରକାର ଲକ୍‌ଡାଉନ୍ ଜାରି କରିଛନ୍ତି। ଏଥିପାଇଁ ଦୋକାନବଜାରଗୁଡ଼ିକ ବନ୍ଦ ରହିଛି। ମହାମାରୀର ଏହି ସ୍ଥିତିରେ ମଣିଷ ସିନା ଯେମିତି ସେମିତି କରି ବଞ୍ଚିଯାଉଛି। କିନ୍ତୁ ପଶୁପକ୍ଷୀମାନେ ଖାଦ୍ୟ ନପାଇ ହଇରାଣ ହେଉଛନ୍ତି। ପଶୁପକ୍ଷୀଙ୍କ ଏହି ଦୁଃଖକୁ ବୁଝିପାରିଛନ୍ତି କୋରାପୁଟର କେ ଭବାନି ରେଡ୍ଡି ଓ ସହଦେବ ଦୁର୍ଗା।ଦୁଇ ଜଣଙ୍କର ରୋଜଗାରର ପନ୍ଥା କହିଲେ, ଭଉଣୀ କେ ଭବାନି ସିଲେଇ କରି ଓ ଭାଇ ସହଦେବ ଚିକେନ୍ ଦୋକାନ କରି ଚଳନ୍ତି। ଆଉ ସେଥିରୁ କିଛି ଟଙ୍କା ସଞ୍ଚୟ କରି ଏବେ ଲକ୍‌ଡାଉନ୍ ସମୟରେ ପଶୁପକ୍ଷୀଙ୍କ ମୁହଁରେ ଆହାର ଯୋଗାଉଛନ୍ତି। ଜୟପୁର ସହରର ଗଳିକନ୍ଦି ବୁଲି ଗହମ, ଚାଳଉ, ମାଣ୍ଡିଆ, ପନିପରିବା, ରନ୍ଧା ଖାଦ୍ୟ, ମାଂସ, ଅଣ୍ଡା ଇତ୍ୟାଦି ପଶୁପକ୍ଷୀଙ୍କୁ ଖାଇବାକୁ ଦେଉଛନ୍ତି।“ଲକ୍‌ଡାଉନ୍ ସମୟରେ ଭୋକିଲା ମଣିଷଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନେକ ଅନୁଷ୍ଠାନ ଓ ସରକାରୀ ସ୍ତରରୁ ପ୍ରୟାସ କରାଯାଉଛି। କିନ୍ତୁ ପଶୁପକ୍ଷୀଙ୍କୁ ଖୁବ୍ କମ୍ ଲୋକ ଖାଦ୍ୟ ଯୋଗାଉଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଖାଇବାକୁ ଦେଇ ଆମକୁ ଖୁସି ଲାଗୁଛି। ପୂର୍ବବର୍ଷ ଲକ୍‌ଡାଉନ୍ ସମୟରେ ଭୋକିଲା ଲୋକଙ୍କୁ ଖାଇବାକୁ ଦେଇଥିଲୁ। କିନ୍ତୁ ଏବେ ପଶୁପକ୍ଷୀଙ୍କ ସେବା କରୁଛୁ” କହିଛନ୍ତି ଭାଇଭଉଣୀ।

ଭାଇଭଉଣୀଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବାବେଳେ, ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।

Comment