ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ପରେ ଏବେ କଟକରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏଣିକି ଦିବ୍ୟାଙ୍ଗ ଓ ୭୦ବର୍ଷରୁ ଅଧିକ ବୟସ୍କ ଯେଉଁମାନେ କୋଭିଡ୍ ଟେଷ୍ଟିଂ ସେଣ୍ଟରକୁ ଯାଇପାରୁ ନାହାନ୍ତି ସେମାନଙ୍କ ଘରକୁ ଯାଇ ସାମ୍ପଲ ସଂଗ୍ରହ କରିବ ସିଏମ୍‌ସି। ବୁଧବାର ଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏନେଇ ସିଏମ୍‌ସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।କୋଭିଡ୍ ପରୀକ୍ଷା ପାଇଁ ସିଏମ୍‌ସିର ଟ୍ରୋଲ ଫ୍ରି ନମ୍ଵର ୭୨୦୫୩୩୭୨୧୭କୁ କଲ୍ କରି ଯୋଗାଯୋଗ କରିପାରିବେ। ଏଥିସହ ଟିକାକରଣ ପାଇଁ ୯୭୭୭୦୬୭୨୯୭କୁ କଲ୍ କରିପାରିବେ। ଏହି ସୁବିଧା ପାଇବାକୁ ଥିବା ବ୍ୟକ୍ତିମାନେ ସକାଳ ୧୦ଟାରୁ ଅପରାହ୍‌ଣ ୩ଟା ଭିତରେ କଲ୍ କରି ବୁକିଂ କରିପାରିବେ। ବୁକିଂ ପ୍ରକ୍ରିୟା ପ୍ରତି ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲୁ ରହିବ। ବୁକିଂ କରିବା ସମୟରେ ବ୍ୟକ୍ତି ନିଜର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବେ ବୋଲି ସିଏମ୍‌ସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

ଏଭଳି ସୁବିଧା ଦ୍ୱାରା ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନେ ନିରାପଦରେ ଟେଷ୍ଟିଂ ଓ ଟିକାକରଣ କରାଇପାରିବେ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି। ଏଯାବତ୍ ଭୁବନେଶ୍ୱରରେ ପ୍ରାୟ ୩୦୦ବରିଷ୍ଠ ନାଗରିକଙ୍କ ଘରେ ଟେଷ୍ଟିଂ ସୁବିଧା ଯୋଗାଇ ଦିଆଯାଇଥିବା ଜଣାପଡିଛି। କଟକରେ ଏହି ସୁବିଧା ୭୦ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ରହିଥିବାବେଳେ, ଭୁବନେଶ୍ୱରରେ ୬୦ ବର୍ଷରୁ ଅଧିକ ବୟସ୍କ ଏହାର ସୁବିଧା ପାଉଛନ୍ତି।

Comment