ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲା ବୁଷ୍ଟର ଡୋଜ ନେବାର ନିୟମ। ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। ଏଣିକି ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ନେଇହେବ ବୁଷ୍ଟର ଡୋଜ।

କୋଭିଡରୁ ସୁରକ୍ଷା ପାଇଁ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି। ବର୍ତ୍ତମାନ ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଥିରୁ ସୁରକ୍ଷା ପାଇଁ ସରକାର ବୁଷ୍ଟର ଡୋଜ ନିୟମରେ ପରିବର୍ତ୍ତନ କରିଛନ୍ତି। ଏବେ ବୁଷ୍ଟର ଡୋଜ ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ନେଇ ହେବ। ଯେଉଁମାନେ କୋଭିଡର ଦୁଇଟି ଡୋଜ ପୂରା କରିଥିବେ, ଦ୍ଵିତୀୟ ଡୋଜର ୬ ମାସ ବା ୨୬ ସପ୍ତାହ ପରେ ସେମାନେ ବୁଷ୍ଟର ଡୋଜ ନେଇପାରିବେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୧୮ରୁ ୫୯ ବର୍ଷ ବୟସର ସମସ୍ତ ଲୋକଙ୍କୁ ଏବେ ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ବୁଷ୍ଟର ଡୋଜ ଦିଆଯିବ। ଟିକାକରଣ ନେଇ ସରକାରଙ୍କ ପରାମର୍ଶଦାତା ସଂସ୍ଥା ନ୍ୟାସନାଲ ଟେକ୍ନିକାଲ ଆଡଭାଇଜାରୀ ଗ୍ରୁପ ଅନ୍ ଇମ୍ୟୁନାଇଜେସନ(ଏନଟିଏଜିଆଇ) ଦ୍ଵିତୀୟ ଟିକା ଏବଂ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିବାକୁ ସୁପାରିଶ କରିଥିଲେ।

ବୁଷ୍ଟର ଡୋଜର ନିୟମ ପରିବର୍ତ୍ତନ ହୋଇଥିବା ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ପ୍ରଶାସନକୁ ଚିଠି ଲେଖି ଅବଗତ କରିଛନ୍ତି। ଘରୋଇ ଟିକାକରଣ କେନ୍ଦ୍ର (ସିଭିସିଏସ)ରେ ଦ୍ଵିତୀୟ ଡୋଜ ତାରିଖଠାରୁ ୬ ମାସ ବା ୨୬ ସପ୍ତାହ ପୂର୍ଣ୍ଣ ହେବା ପରେ ୧୮ରୁ ୫୯ ବର୍ଷର ସମସ୍ତ ଲୋକ ବୁଷ୍ଟର ଡୋଜ ନେଇପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

ସ୍ଵାସ୍ଥ୍ୟ ସଚିବଙ୍କ ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ୬୦ ବର୍ଷ ବା ତା’ଠାରୁ ଅଧିକ ବୟସ୍କ, ସ୍ଵାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ ଓ୍ଵାରକର୍ସଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ। କୋଭିଡଠାରୁ ସୁରକ୍ଷା ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ବୁଷ୍ଟର ଡୋଜ ନେବା ପାଇଁ ୯ ମାସ ଅପେକ୍ଷା କରିବାକୁ ପଡ଼ୁଥିଲା।

Tags: #Health #Covid #CoronaVirus #Vaccine #Vaccination #BoosterDose

LEAVE A REPLY

Please enter your comment!
Please enter your name here