ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ରଥଖଳାରୁ ବାହାରିଲେ ୧୦ପଜିଟିଭ୍। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାବେଳେ, ରଥ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି କରୋନା। ଗୁରୁବାର ରଥଖଳାରୁ ୮ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଶୁକ୍ରବାର ପୁଣି ୧୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏଯାବତ୍ ରଥଖଳାରୁ ୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୨ଜଣ ମହାରଣା ହୋଇଥିବାବେଳେ, ୬ଜଣ ଭୋଇ ସେବାୟତ ରହିଛନ୍ତି। ରଥ ନିର୍ମାଣ କାର୍ଯ୍ୟରେ ଯେଭଳି କୌଣସି ବାଧା ନଉପୁଜିବ ସେଥିପାଇଁ ପ୍ରଶାସନ ସଜାଗ ହୋଇଛି। ସେବାୟତମାନଙ୍କ ଟିକାକରଣ, ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯେଉଁ ସେବାୟତମାନେ ରଥ କାର୍ଯ୍ୟରେ ନିୟୋଜିତ ସେମାନଙ୍କ ପାଇଁ ବାୟୋ ବବଲ୍ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ସେବାୟତମାନେ କରୋନା ଭୂତାଣୁ ସଂକ୍ରମିତ ହେବେନାହିଁ ଏବଂ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦିତ ହେବ।ଅନ୍ୟପକ୍ଷରେ ପୁରୀରୁ ପ୍ରତିଦିନ ୪ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ସର୍ବାଧିକ ୫୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ମେ’୨୦ରେ ୪୨୪, ମେ’୧୯ରେ ୩୫୬, ମେ’୧୮ରେ ୪୭୨ ଓ ମେ’ ୧୭ ତାରିଖରେ ୩୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିସହ ଆଜି ପୁରୀ ଜିଲ୍ଲାର ଜଣେ ୩୫ବର୍ଷୀୟା ମହିଳାଙ୍କ ଜୀବନ ନେଇଛି କରୋନା।

Comment