ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍’ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ିଆସୁଛି। ମେ’ ୨୬ ମଧ୍ୟାହ୍ନରେ ଏହା ସ୍ଥଳଭାଗ ଛୁଇଁବ। ପାରାଦୀପ ଓ ସାଗରଦ୍ୱୀପ ମଝିରେ ବାଲେଶ୍ୱର ପାଖାପାଖି ଏହା ଲ୍ୟାଣ୍ଡଫଲ୍‌ କରିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଅଧିକ ପ୍ରଭାବିତ ହେବ। ଓଡ଼ିଶାଲାଇଭ୍‌କୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ।“ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ସମୁଦ୍ର ଜୁଆର ଫୁଲି ସ୍ଥଳଭାଗକୁ ପ୍ରଭାବିତ କରିବ। ବିଶେଷକରି ୩ଟି ଜିଲ୍ଲା ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ସମୁଦ୍ର ଅଶାନ୍ତ ରହିବ। ବାଲେଶ୍ଵରର କୁମ୍ଭୀରଗାରିଠାରେ ସମୁଦ୍ର ଜୁଆରର ଉଚ୍ଚତା ସାଧାରଣ ଉଚ୍ଚତାଠାରୁ ୨.୧ରୁ ୩.୮ ମିଟର ଅଧିକ ରହିବ। ଏହାର ପ୍ରଭାବରେ ଉପକୂଳଠାରୁ ୨.୩ କିଲୋମିଟର ପର୍ଯ୍ୟନ୍ତ ପାଣି ସ୍ଥଳଭାଗ ଆଡ଼କୁ ମାଡ଼ିଆସିପାରେ। ସେହିପରି ଭଦ୍ରକର ମୋହନପୁରଠାରେ ସମୁଦ୍ର ଜୁଆର ସାଧାରଣ ଜୁଆରଠାରୁ ୦.୯ରୁ ୨.୧ ମିଟର ପର୍ଯ୍ୟନ୍ତ ଅଧିକ ରହିବ। ଏହାର ପ୍ରଭାବରେ ଉପକୂଳଠାରୁ ୭.୨ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ପାଣି ସ୍ଥଳଭାଗ ଆଡ଼କୁ ମାଡ଼ିଯାଇପାରେ। ସେହିପରି କେନ୍ଦ୍ରାପଡ଼ାର ଟିକାୟତନଗରଠାରେ ସମୁଦ୍ର ଜୁଆରର ଉଚ୍ଚତା ସାଧାରଣ ଜୁଆରର ଉଚ୍ଚତା ଅପେକ୍ଷା ୦.୫ରୁ ୧.୫ ମିଟର ପର୍ଯ୍ୟନ୍ତ ଅଧିକ ରହିବ। ଏହାର ପ୍ରଭାବରେ ଉପକୂଳଠାରୁ ୨.୬ କିଲୋମିଟର ପର୍ଯ୍ୟନ୍ତ ପାଣି ସ୍ଥଳଭାଗ ଆଡ଼କୁ ମାଡ଼ିଆସିପାରେ”, କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା

ସେ ଆହୁରି ମଧ୍ୟ କହିଛନ୍ତି ଯେ ବାତ୍ୟାର ସର୍ବାଧିକ ପ୍ରଭାବ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ରହିବ, କିନ୍ତୁ ଏହା ପ୍ରଭାବରେ ଉପକୂଳ ସଂଲଗ୍ନ ଜିଲ୍ଲା, ଯେପରିକି ଖୋର୍ଦ୍ଧା, କଟକ, କେନ୍ଦୁଝର ଆଦିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଶେଷକରି ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ଭୁବନେଶ୍ଵରରେ ୧୨ରୁ ୧୫ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।୨୬ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବାତ୍ୟାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ। ଏହିସବୁ ଜିଲ୍ଲାଗୁଡ଼ିକରେ ୨୦ ସେଣ୍ଟିମିଟରରୁ ଅଧିକ ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।ଫନିଠାରୁ କମ୍ ରହିପାରେ ପ୍ରଭାବ

ବାତ୍ୟା ୟାସ୍, ୨୦୧୯ରେ ହୋଇଥିବା ବାତ୍ୟା ଫନିଠାରୁ ପ୍ରଭାବରେ କମ୍ ରହିପାରେ। ପୁରୀ ଉପକୂଳରେ ଫନି ସ୍ଥଳଭାଗ ଛୁଇଁଲା ବେଳେ ଏହାର ଘଣ୍ଟାପ୍ରତି ପବନର ବେଗ ୨୦୦ କିଲୋମିଟର ରହିଥିବା ବେଳେ ଝଟ୍‌କା ପବନର ବେଗ ୨୨୦ କିଲୋମିଟର ରହିଥିଲା। କିନ୍ତୁ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁଲା ସମୟରେ ଏହାର ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଏବଂ ଝଟ୍‌କା ପବନର ବେଗ ୧୮୦ କିଲୋମିଟର ପ୍ରତିଘଣ୍ଟା ରହିପାରେ। ଫନି ଏକ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ହୋଇଥିବା ବେଳେ ୟାସ୍ ଅତି ଭୀଷଣ ସାମୁଦ୍ରିକ ଝଡ଼ ହେବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

Comment