ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପେଟ୍ରୋଲ ଦର ଆକାଶ ଛୁଆଁ। କରୋନା ପରିସ୍ଥିତିରେ ମଧ୍ୟ ଦେଶରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ପେଟ୍ରୋଲ ଦର ଲିଟର ପିଛା ୧୦୦ଟଙ୍କା ୫୬ପଇସା ହୋଇଛି। ରବିବାର ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ଟଙ୍କା ୨୯ପଇସା ରହିଥିଲା।

କୋରାପୁଟ ଜିଲ୍ଲାରେ ରବିବାର ପେଟ୍ରୋଲ ଦର ଲିଟର ପିଛା ୯୯.୫୭ଟଙ୍କା ରହିଥିବାବେଳେ, ଆଜି ୯୯.୮୪ଟଙ୍କା ରହିଛି। ସେହିପରି କନ୍ଧମାଳରେ ୯୭.୦୪, କଳାହାଣ୍ଡିରେ ୯୮.୧୮, ବଲାଙ୍ଗୀରରେ ୯୭.୭୫, ଅନୁଗୁଳରେ ୯୭.୦୫, ଗଜପତିରେ ୯୭.୭୪, ନବରଙ୍ଗପୁରରେ ୯୯.୯୯, ରାୟଗଡ଼ାରେ ୯୮.୯୮, ଭୁବନେଶ୍ୱରରେ ୯୫.୪୯ ରହିଛି।ଅନ୍ୟପକ୍ଷେ ଦେଶରେ ଅନ୍ୟାନ୍ୟ ରାଜ୍ୟମାନଙ୍କରେ ମଧ୍ୟ ତେଲ ଦରରେ ବୃଦ୍ଧି ଘଟିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଆଦି ରାଜ୍ୟରେ ତେଲ ଦର ଶହେ ଟପିଛି। ଭୁବନେଶ୍ୱରରେ ଏକ୍ସଟ୍ରା ପ୍ରିମିୟମ୍ ତେଲ ଦର ୧୦୪ଟଙ୍କା ୨୪ ପଇସାରେ ପହଞ୍ଚିଛି। ସୋମବାର ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଦରରେ ୨୭ ପଇସା ଓ ଡିଜେଲ୍ ଦରରେ ୨୮ ପଇସା ବଢାଇଛନ୍ତି। ମେ’ ୪ ତାରିଖ ପରଠାରୁ ଏହା ପେଟ୍ରୋଲ ଦାମ୍‌ରେ ୨୦ତମ ବୃଦ୍ଧି ବୋଲି ଜଣାପଡ଼ିଛି।

ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବଢ଼ୁଥିବାରୁ ରାଜ୍ୟମାନଙ୍କରେ ତେଲ ଦର ବୃଦ୍ଧି ପାଉଛି। ଆଗକୁ ଏହି ଦର ଆହୁରି ବଢ଼ିପାରେ ବୋଲି ସମ୍ଭାବନା ରହିଛି। ଏଭଳି ହୁ ହୁ ହୋଇ ବୃଦ୍ଧି ପାଉଥିବା ତେଲ ଦରକୁ ନେଇ ଚିନ୍ତାରେ ସାଧାରଣ ଜନତା।

Comment