ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ନିର୍ମିତ ନୂତନ ଜଜ୍‌ କୋର୍ଟକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଏସ୍‌ ମୁରଲୀଧର ଉଦ୍‌ଘାଟନ କରିଛନ୍ତି। ସୋମବାର ଦିନ ଭର୍ଚ୍ଚୁଆଲ ସମାରୋହରେ ଏହି କୋର୍ଟ ଉଦ୍‌ଘାଟନ କରାଯାଇଛି।

ହାଇକୋର୍ଟ ଅନ୍ୟତମ ବିଚାରପତି ଡକ୍ଟର ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ପ୍ରମୋଦ ପଟ୍ଟନାୟକ ଏହି ଭର୍ଚ୍ଚୁଆଲ ସମାରୋହରେ ଉପସ୍ଥିତ ଥିଲେ। ଓଡ଼ଗାଁ କୋର୍ଟ ପରିସରରେ ନୟାଗଡ଼ ଜିଲ୍ଲା ଜଜ୍‌ ରୂପଶ୍ରୀ ଚୌଧୂରୀ ଓ ନବନିଯୁକ୍ତ ଜଜ୍‌ ଶିବାଷିଶ ଗିରୀଙ୍କ ସହିତ ବିଚାର ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ଓଡଗାଁର ଜଜ୍‌ କୋର୍ଟରେ ଉଭୟ ଫୌଜଦାରୀ ଓ ଜମିଜମା ମାମଲାର ବିଚାର କରାଯିବ। ପୂର୍ବରୁ ନୟାଗଡ଼ ଜଜ୍‌ କୋର୍ଟ ଉପରେ ନିର୍ଭର କରୁଥିବା ଓଡ଼ଗାଁ ବ୍ଲକର ଲକ୍ଷାଧିକ ବାସିନ୍ଦା ଏବେ ସହଜରେ ନିଜ ଗାଁରେ ନ୍ୟାୟିକ ସୁବିଧା ପାଇପାରିବେ।

କୋର୍ଟ ଉଦ୍‌ଘାଟନ ସମାରୋହରେ ସ୍ଥାନୀୟ ବାର ଆସୋସିଏସନର ସଭାପତି ଆଇନଜୀବୀ ପବିତ୍ର ମୋହନ ସାହୁ, ସମ୍ପାଦକ ବସନ୍ତ କୁମାର ମହାନ୍ତିଙ୍କ ସମେତ ଅନ୍ୟ ଆଇନଜୀବୀ ଓ ସରକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment