ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର କରୋନା ସଂକ୍ରମଣ ଗ୍ରାଫ୍‌ରେ ଦିନକୁ ଦିନ ସୁଧାର ଆସିବାରେ ଲାଗିଛି। ସୋମବାର ଦିନ ରାଜ୍ୟରେ କରୋନାର ଟେଷ୍ଟ ପଜିଟିଭ୍ ହାର ବା ଟିପିଆର ୫ ପ୍ରତିଶତ ତଳକୁ ଖସିଛି। ରବିବାର ଦିନ ଏହି ହାର ୫ ପ୍ରତିଶତରୁ ଅଧିକ ରହିଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୧ ହଜାର ଲୋକଙ୍କ ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିଲା। ଏଥିରୁ ମାତ୍ର ୩୦୩୧ ଜଣଙ୍କ ରିପୋର୍ଟ ପିଜିଟିଭ ବାହାରିଛି, ଯାହାକି ମୋଟ୍ ଟେଷ୍ଟର ୫ ପ୍ରତିଶତରୁ କମ୍।ଗତ କିଛି ଦିନ ଧରି ରାଜ୍ୟରେ ଟେଷ୍ଟ ପଜିଟିଭ୍ ହାର ଲଗାତାର କମ ହେବାରେ ଲାଗିଛି। ସୋମବାର ଦିନ ଯେଉଁମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କଟକ, ବାଲେଶ୍ୱର ଓ ଯାଜପୁରରୁ ସର୍ବାଧିକ ସକ୍ରିୟ ମାମଲା ଥିବା ଜଣାପଡିଛି। ଏହା ଫଳରେ ବର୍ତ୍ତମାନ ୩୦ ଭିତରୁ କେବଳ କଟକ, ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ଵର ଏହି ୪ଟି ଜିଲ୍ଲା ରେଡ୍ ଜୋନରେ ଅଛି।ରାଜ୍ୟରେ ଏବେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ ରହିଥିବା ବେଳେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ରହିଛି ୮ ଲକ୍ଷ ୪୦ ହଜାର ୨୧୪। ସେହିପରି ରାଜ୍ୟରୁ ଏଯାଏଁ ୩,୬୩୩ଟି କୋଭିଡ୍ ମୃତ୍ୟୁ ରେକର୍ଡ ହୋଇଛି। ଏବେ ରାଜ୍ୟରେ ସକ୍ରିୟ କୋଭିଡ୍ କେସ୍ ରହିଛି ୩୬ ହଜାର ୬୩୩।

Comment