ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀର ଦ୍ଵିତୀୟ ଲହର କିଛି ମାତ୍ରାରେ ଥମିବା ସହିତ ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନରେ ଢିଲା ଦିଆଯାଇଛି। କିନ୍ତୁ କିଛି ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଡେଲ୍ଟା ପ୍ଲସ୍ ଏବେ ଚିନ୍ତା ବଢ଼ାଇ ଦେଇଛି। ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ଲକଡାଉନ ନିୟମରେ ବେଶ କିଛି କୋହଳ କରାଯାଇଛି। ସେଠାରେ ଜିମ୍ ଓ ଯୋଗ କେନ୍ଦ୍ରଗୁଡ଼ିକରେ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଦିଆଯାଇଛି। ତଥାପି ମହାମାରୀର ବିପଦ ଏଯାଏଁ ଯାଇନାହିଁ।ସଂକ୍ରମଣରେ ଲଗାତାର ହ୍ରାସ ପାଇଥିବାରୁ ଦିଲ୍ଲୀରୁ ଅନେକ କଟକଣା ହଟାଇ ଦିଆଯାଇଛି। ଶନିବାର ଦିନ ଦିଲ୍ଲୀରେ ୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ହୋଇଥିଲା, ଯାହାକି ଏବର୍ଷରେ ସବୁଠାରୁ କମ୍। ସେହିପରି ପଜିଟିଭିଟି ହାର ମଧ୍ୟ ଦିଲ୍ଲୀରେ ଢେର ପରିମାଣରେ କମିଛି। ଏହା ଏବେ ୦.୧୨ ପ୍ରତିଶତ ରେକର୍ଡ କରାଯାଇଛି। ଏହା ସତ୍ତ୍ୱେ ଦିଲ୍ଲୀରେ ତୃତୀୟ ଲହରର ଆଶଙ୍କା ସମସ୍ତଙ୍କୁ ଘାରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜେ ଏହି ଆଶଙ୍କା ପ୍ରକଟ କରିଛନ୍ତି। ତେଣେ ସରକାରଙ୍କ ପକ୍ଷରୁ ଯାବତୀୟ ପ୍ରସ୍ତୁତି ଆରମ୍ଭ ହୋଇଛି।ସେହିଭଳି ଦେଶର ବ୍ୟବସାୟ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ମଧ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସବୁ କିଛି କଡ଼ାକଡ଼ି କରାଯାଇଛି। ମହାରାଷ୍ଟ୍ର ସରକାର ପୂରା ରାଜ୍ୟକୁ ୫ଟି ଅଲଗା ଅଲଗା ସ୍ତରରେ ବାଣ୍ଟିଛନ୍ତି। ସେହି ଅନୁଯାୟୀ ସ୍ଥିର କରିଛନ୍ତି କେଉଁ ଅଞ୍ଚଳରେ କି କି ପ୍ରକାର କଟକଣା ଜାରି ରହିବ। ଅକ୍ସିଜେନ ବେଡ୍ ଦରକାର କରୁଥିବା ରୋଗୀ, ପଜିଟିଭିଟି ହାର ଇତ୍ୟାଦିକୁ ବିଚାରକୁ ନେଇ ସବୁ ସହରର ପାହ୍ୟା ନିର୍ଦ୍ଧାରିତ ହୋଇଥିଲା ଯାହାଫଳରେ କି ମୁମ୍ବାଇ ଲେଭେଲ ୧କୁ ଆସିଯାଇଥିଲା।

ତେବେ ଡେଲ୍ଟା ପ୍ଲସ ଭାରିଏଣ୍ଟର ନୂଆ ମାମଲା ମହାରାଷ୍ଟ୍ର ସମେତ ୧୧ ରାଜ୍ୟରେ ଠାବ କରାଯାଇଛି। କରୋନା ମହାମାରୀର ଏହି ନୂଆ ଭାରିଏଣ୍ଟ କେବଳ ଓଡ଼ିଶା, ବା ଭାରତ କାହିଁକି ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି।corona testଦକ୍ଷିଣ ଦିଲ୍ଲୀର ଏକ ହସ୍ପିଟାଲରୁ ଇତି ମଧ୍ୟରେ ଚମକାଇବା ଭଳି ଏକ ଖବର ମିଳିଛି। ଏହି ହସ୍ପିଟାଲର ୧୮୦୦ କର୍ମଚାରୀଙ୍କ ମଧ୍ୟରୁ ୧୬୦୦ କର୍ମଚାରୀ ଗତ ଏପ୍ରିଲ ମାସରୁ କରୋନାର ଦୁଇଟି ଯାକ ଟିକା ନେଇସାରିବା ପରେ ବି ୧୦ ପ୍ରତିଶତ କର୍ମଚାରୀ ସଂକ୍ରମିତ ହୋଇଥିଲେ ଆଉ ଏଥିରୁ ୭୦ ପ୍ରତିଶତ କର୍ମଚାରୀଙ୍କ ଠାରେ ଡେଲ୍ଟା ପ୍ଲସ ଭାରିଏଣ୍ଟ ମିଳିଥିଲା। ଏଣୁ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି କରୋନା ଟିକା କଣ ଡେଲ୍ଟା ଭାରିଏଣ୍ଟକୁ ଅଟକାଇ ପାରୁନାହିଁ? ଅବଶ୍ୟ ଏହି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପାଇବା ପାଇଁ ହେଲେ ଆମକୁ ଏଦିଗରେ ଆହୁରି ଅଧ୍ୟୟନ କରିବାକୁ ହେବ।

ଏସବୁ ସମସ୍ୟା ଓ ଆଶଙ୍କା ସତ୍ତ୍ୱେ ଟିକା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଆବଶ୍ୟକ। ଯେତେ ଅଧିକ ଲୋକ ଓ ଯେତେ ଶୀଘ୍ର ଟିକା ନେବେ ସଂକ୍ରମଣକୁ ସେତେ ଶୀଘ୍ର କାବୁ କରାଯାଇପାରିବ। ଲୋକେ ଅନ୍‌ଲକ ଚାହୁଁଥିବା ବେଳେ ସେମାନଙ୍କୁ କରୋନାର ଯାବତୀୟ ନିୟମ ବି ମାନିବା ଦରକାର।

Comment