ଓଡ଼ିଶାଲାଇଭ୍ ବ୍ୟୁରୋ

ଭୀମଟାଙ୍ଗୀ ପ୍ରିୟଙ୍କା ହତ୍ୟା ମାମଲାରେ ନୂଆ ଟ୍ଵିଷ୍ଟ ଆଣିଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ହ୍ଵାଟ୍ସଆପ୍ ଚାଟ୍। ଘଟଣାର ଖିଅ ଖୋଜିବାକୁ ପୋଲିସ ଚଳାଇଛି ତନାଘନା।

“ବାପା, ମାଆ, ବଡ଼ଭାଇ, ଭାଉଜ ଆଉ ମୋର ସବୁ ସାନ ବଡ଼ ଭାଇ ଭଉଣୀମାନେ ମତେ କ୍ଷମା କରିଦେବ। ମୁଁ ଆଜି ଦୁନିଆ ଛାଡି ଯାଉଛି, କେବେ ମଜାରେ କି ରାଗରେ କାହାକୁ କିଛି କହିଥିଲେ କ୍ଷମା କରିବେ। ଯାହାକୁ ଭଲ ପାଉଥିଲି ସେ ମତେ ବର୍ବାଦ କରି ଦେଇଛି। ମୁଁ କ’ଣ କରିବି, ବାଧ୍ୟରେ ଯାଉଛି, ତୁମମାନଙ୍କୁ ବହୁତ ମିସ୍ କରିବି। ଏ କଷ୍ଟ ଆଉ ସହି ପାରିଲିନି, ମୋର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ। ମୁଁ ମୋର ମାନସିକ ଭାରସାମ୍ୟ ହରାଇ ବସିଛି। ମୁଁ ଆଉ ଫେରିବିନି।” – ସୋମବାର ଦିନ ଭୁବନେଶ୍ଵର ଭୀମଟାଙ୍ଗୀ ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଅଭିଯୁକ୍ତ ଥିବା ଜଗନ୍ନାଥ ପ୍ରଧାନ ନିଜ ଫ୍ୟାମିଲି ହ୍ଵାଟ୍ସଆପ୍ ଗ୍ରୁପ୍‌ରେ ଏଭଳି ମେସେଜ କରିଥିଲେ। ପ୍ରାଥମିକ ଭାବେ ଏହି ମେସେଜରୁ ହତ୍ୟାକାଣ୍ଡର ରହସ୍ୟ ଭେଦିବାକୁ ଉଦ୍ୟମ ଆରମ୍ଭ କରିଛି ପୋଲିସ।କ’ଣ ଥିଲା ଘଟଣା?

ସୋମବାର ସକାଳର ଘଟଣା ଭୀମଟାଙ୍ଗୀସ୍ଥିତ ହାଉସିଂ ବୋର୍ଡ କଲୋନୀବାସିନ୍ଦା ରାକେଶ ସାହୁଙ୍କ ହ୍ଵାଟ୍ସଆପ୍‌କୁ ଏକ ଅଜଣା ନମ୍ଵରରୁ ଭିଡିଓ କଲ୍ ଆସିଲା। ସେତେବେଳେ ରାକେଶ ଅଫିସ କାମରେ ବ୍ୟସ୍ତ ଥିଲେ। ତେଣୁ ସେ କଲ୍‌ଟିକୁ ରିସିଭ୍ କରିପାରିଲେ ନାହିଁ। ଏହାପରେ ତାଙ୍କ ହ୍ଵାଟ୍ସଆପ୍‌କୁ ଏକ ଫଟୋ ଆସିଲା। ସେଥିରେ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ (ରିଙ୍କି) ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରେ ପଡ଼ିଥିବା ସେ ଦେଖିଲେ। ଏହାପରେ ସେ ଘର ମାଲିକଙ୍କୁ ଫୋନ କରି ଏ ବିଷୟରେ ଜଣାଇଥିଲେ। ଏହାପରେ ପୋଲିସକୁ ଫୋନ କରି ଘଟଣାସ୍ଥଳରେ ପହଞ୍ଚିଥିଲେ ରାକେଶ। ଭିତରପଟୁ ତାଙ୍କ ଘର କବାଟ ବନ୍ଦ ଥିଲା। ତେଣୁ ସେମାନେ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ। ଘର ଭିତରେ ସେମାନେ ଯାହା ଦେଖିଲେ, ତାଙ୍କ ଆଖିକୁ ତାହା ବିଶ୍ଵାସ ହେଉ ନଥିଲା।

ଘର ଚଟାଣ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରିୟଙ୍କାଙ୍କ ମୃତଦେହ ପଡ଼ିଥିଲା। ଅତି ନିର୍ମମ ଭାବେ ପ୍ରିୟଙ୍କାଙ୍କ ବେକକୁ ବାରମ୍ଵାର ଛୁରୀରେ ହାଣି ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ପାଖରେ ଜଣେ ଅଜଣା ଯୁବକ ମଧ୍ୟ ବିଷ ପିଇ, ହାତ କାଟି ଛଟ୍‌ପଟ୍ ହେଉଥିଲେ। ପୋଲିସ ପକ୍ଷରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରୁ ରକ୍ତ ଲଗା ସୁଇସାଇଡ୍ ନୋଟ୍ ପାଇଥିଲା ପୋଲିସ। ସେଥିରେ ଲେଖାଥିଲା ପ୍ରିୟଙ୍କା ଓ ତାଙ୍କ ପୁଅକୁ ମୁଁ ଜୀବନରୁ ମାରିବି ଆଉ ନିଜେ ମରିବି।

ଘଟଣାର ପ୍ରାଥମିକ ତଦନ୍ତରୁ ଯାହା ଆହତ ଯୁବକଜଣକ ଯାଜପୁରର ଜଗନ୍ନାଥ ପ୍ରଧାନ ବୋଲି ପୋଲିସ ଜାଣିବାକୁ ପାଇଲା। ତେବେ ପ୍ରିୟଙ୍କାଙ୍କ ଘରକୁ ଜଗନ୍ନାଥ କାହିଁକି ଆସିଥିଲେ, କିଏ ଏଭଳି ବିଭତ୍ସ ଭାବେ ପ୍ରିୟଙ୍କାଙ୍କୁ ମାରିଛି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପୋଲିସ ଆରମ୍ଭ କରିଥିଲା ତନାଘନା।ଜଗନ୍ନାଥ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ

ଘଟଣାର ପର୍ଦ୍ଦାଫାସ୍ କରିବାକୁ ପୋଲିସ ଜଗନ୍ନାଥଙ୍କ ଘର ଲୋକଙ୍କୁ ପଚରା ଉଚରା କରିଥିଲା। ଜଗନ୍ନାଥଙ୍କ ମା’ ପୋଲିସକୁ ପ୍ରିୟଙ୍କା ଆଉ ତାଙ୍କ ପୁଅର ପ୍ରେମ କାହାଣୀ ବିଷୟରେ କହିଥିଲେ। ୧୦ ବର୍ଷ ପୂର୍ବ ପ୍ରିୟଙ୍କା ଓ ଜଗନ୍ନାଥଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ପ୍ରିୟଙ୍କା ଅନ୍ୟତ୍ର ବାହାହୋଇ ଭୁବନେଶ୍ଵର ଚାଲିଆସିଲେ। ଏହାପରେ ସେମାନେ ପରସ୍ପର ସହିତ ଯୋଗାଯୋଗରେ ରହି ନଥିଲେ। ଜଗନ୍ନାଥ ମଧ୍ୟ ବେଙ୍ଗାଳୁରୁର ଏକ ଘରୋଇ କମ୍ପାନିରେ କାମ କରିବାକୁ ଚାଲିଗଲେ।

ବାହଘରର କିଛି ବର୍ଷ ପରେ ରାକେଶ ଆଉ ପ୍ରିୟଙ୍କାଙ୍କର ଗୋଟିଏ ପୁଅ ହେଲା। ଏହାପରେ ସୋସିଆଲ ମିଡିଆରେ ପ୍ରିୟଙ୍କା, ଜଗନ୍ନାଥଙ୍କୁ ଯୋଗାଯୋଗ କଲେ। କରୋନା ପାଇଁ ଜଗନ୍ନାଥ ୨୦୨୦ରେ ଗାଁକୁ ଆସି ମେଡିସିନ୍ ରିପ୍ରେଜେନଟେଟେଭ୍ ଭାବେ କାମ କଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ ପୁଣି କଥାବାର୍ତ୍ତା ବଢ଼ିବାକୁ ଲାଗିଲା। ରାକେଶ ଅଫିସ ଯିବା ପରେ ଉଭୟ ପରସ୍ପରକୁ ଦେଖା ସାକ୍ଷାତ କରୁଥିଲେ। ଗତ ସୋମବାର ସକାଳୁ ଜଗନ୍ନାଥ ଗାଧୋଇ ସାରି ବଜାରକୁ ଯାଉଛି ବୋଲି ମା’ଙ୍କୁ କହି ଘରୁ ବାହାରିଥିଲେ। ହେଲେ ସିଧା ଆସି ପହଞ୍ଚିଥିଲେ ଭୀମଟାଙ୍ଗୀସ୍ଥିତ ପ୍ରିୟଙ୍କାଙ୍କ ଘରେ।

ଉଭୟଙ୍କ ମଧ୍ୟରେ ଜୋର୍‌ରେ ପାଟିତୁଣ୍ଡ ହୋଇଥିଲା। ଉପରେ ରହୁଥିବା ଘର ମାଲିକ ଏହି ଝଗଡ଼ା ଶୁଣିଥିଲେ, କିନ୍ତୁ ରାକେଶ ଆଉ ପ୍ରିୟଙ୍କାଙ୍କ ମଧ୍ୟରେ ପାରିବାରିକ କଳହ ହେଉଥିବା ଭାବି ଧ୍ୟାନ ଦେଇ ନଥିଲେ।   

ଘଟଣାର ରହସ୍ୟ ଖୋଲିଲା ହ୍ଵାଟ୍ସଆପ୍ ଚାଟ୍‌

ପ୍ରିୟଙ୍କାଙ୍କ ହତ୍ୟା ପୂର୍ବରୁ ଜଗନ୍ନାଥ ତାଙ୍କ ଫ୍ୟାମିଲି ହ୍ଵାଟ୍ସଆପ୍ ଗ୍ରୁପ୍‌ରେ ଏକ ଲମ୍ବା ମେସେଜ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, “ମୁଁ ଦୁନିଆ ଛାଡ଼ିକି ଯାଉଛି…ପ୍ଲିଜ ମୋତେ କ୍ଷମା କରିଦେବେ…ଏ ରିଙ୍କି…ମୁଁ ଯାହାକୁ ଭଲ ପାଉଥିଲି, ସେ ମୋତେ ବର୍ବାଦ କରିଦେଲା…ମୁଁ ‌ଆଉ ବଞ୍ଚିବା ପରିସ୍ଥିତିରେ ନଥିଲି…ସରି ଭାଇମାନେ ମୋତେ କ୍ଷମା କରିଦେବ…ମୁଁ ମାନସିକ ଭାରସାମ୍ୟ ହରାଇ ବସିଥିଲି…ମୁଁ ଆଉ ଫେରିବିନି…ତୁମମାନଙ୍କ ଭଲ ପାଇବା ସାଥିରେ ନେଇକି ମୁଁ ଯାଉଛି…ମୋ ପାଖରେ ଆଉ କିଛି ରାସ୍ତା ନାହିଁ…ବଡ଼ଭାଇମାନଙ୍କୁ ମୋ ଅନୁରୋଧ…ମୋ ବାଇକରେ ବାକିଥିବା କିସ୍ତି ସବୁ ମିଶିକି ଦେଇଦେବେ…ଫାଇନାନ୍ସକୁ ବାଇକ୍ ଦେବେ ନାହିଁ…ରହିଲି…ବାବାଜୀ ପରିବାରରୁ ମୁଁ ବିଦାୟ ନେଉଛି ସବୁଦିନ ପାଇଁ….।”

ପ୍ରିୟଙ୍କାଙ୍କ ଦାମ୍ପତ୍ୟ ଜୀବନ ଭଲ ଥିଲା

ପରକ୍ରୀୟା ପ୍ରୀତି ପାଇଁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପ୍ରିୟଙ୍କା ଓ ତାଙ୍କ ସ୍ଵାମୀ ରାକେଶଙ୍କ ବୈବାହିକ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ରାକେଶ ଆଉ ପ୍ରିୟଙ୍କାଙ୍କ ମଧ୍ୟରେ ଖୁବ୍ ଭଲ ସମ୍ପର୍କ ଥିଲା। ଦୁହେଁ ଦୁହିଁଙ୍କ ସହ ବେଶ୍ ଖୁସିରେ ସଂସାର କାଟୁଥିଲେ। ପ୍ରିୟଙ୍କାଙ୍କ ସାନ ଭାଇଙ୍କ କହିବା ଅନୁସାରେ ତାଙ୍କ ଭଉଣୀ ଭିଣୋଇଙ୍କ ମଧ୍ୟରେ କେବେ ଝଗଡ଼ା ହେବା ସେ ଦେଖି ନାହାନ୍ତି। ତେବେ ପ୍ରିୟଙ୍କାଙ୍କ ହତ୍ୟା ପଛରେ ପରକ୍ରୀୟା ପ୍ରୀତି ନା ଆଉ କିଛି ରହିଛି ତାହା ଏବେ ସନ୍ଧେହ ଘେରରେ।  ହସ୍ପିଟାଲରେ ଥିବା ଜଗନ୍ନାଥଙ୍କୁ ଜେରା କରିବ ପୋଲିସ

ପ୍ରିୟଙ୍କା ହତ୍ୟାକାଣ୍ଡର ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ପ୍ରଧାନ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ସ୍ଵାସ୍ଥ୍ୟାବସ୍ଥା ଖରାପ ଥିବାରୁ ପୋଲିସ ତାଙ୍କୁ ଜେରା କରିପାରି ନାହିଁ। ତେବେ ପ୍ରିୟଙ୍କାଙ୍କ ମୃତଦେହ ପାଖରେ ଜଗନ୍ନାଥ ବିଷ ପିଇ, ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଆଉ ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ମିଳିବା ପରେ ଜଗନ୍ନାଥଙ୍କ ଏହି ହତ୍ୟା ଘଟଣାରେ ସଂପୃକ୍ତି ଥିବା ଆହୁରି ଦୃଢ଼ତା ଆଣିଛି। ଏଥିପାଇଁ ପୋଲିସ ପକ୍ଷରୁ ଜଗନ୍ନାଥଙ୍କୁ ଜେରା କରାଯାଇ ଘଟଣା ପଛର ରହସ୍ୟକୁ ବାହାରକୁ ଅଣାଯିବ ବୋଲି ଭୁବନେଶ୍ଵର ଡିସିପି ଉମାଶଙ୍କର ଦାଶ କହିଛନ୍ତି।

Comment