ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୀତ ମାଧ୍ୟମରେ କରୋନା ସଚେତନତା। ଗାଁ ମଝିରେ ହାତରେ ମାଇକ୍ ଧରି, ଗୀତ ଗାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି ଅଙ୍ଗନବାଡ଼ି କର୍ମୀ। ସୁବର୍ଣ୍ଣପୁର ଜିଲ୍ଲା ସିଂହ ବହାଲି ଗାଁର ଅଙ୍ଗନବାଡ଼ି କର୍ମୀ ଛାୟା ମହାନନ୍ଦ ଲୋକଙ୍କୁ କରୋନା ସଚେତନତା ଦେବା ଲାଗି ଏମିତି ବାଟ ଆପଣେଇଛନ୍ତି ।

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି। ଏଥିରେ ଅଙ୍ଗନବାଡ଼ି କର୍ମୀ ଛାୟା ମହାନନ୍ଦ ସାମିଲ ହୋଇ ନିଜର କାହାଣୀ କହିଛନ୍ତି।

‘‘ଗୀତ ଶୁଣିଲେ ଲୋକ ଖୁସି ହୁଅନ୍ତି। ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳେ। ତେଣୁ କୋଭିଡ ସଚେତନତା ପାଇଁ ମୁଁ ଏକ ଗୀତ ଲେଖିଲି।  ଗୀତ ମାଧ୍ୟମରେ ଲୋକଙ୍କ ନିକଟରେ କୋଭିଡ୍‌ ସଚେତନତା ପହଞ୍ଚାଇବି ବୋଲି ଭାବିଲି’’, କହିଛନ୍ତି ଛାୟା ମହାନନ୍ଦ।

ସକାଳ ସାଢ଼େ ୭ଟାରୁ ଖାତା ପତ୍ର ଧରି ଘରୁ ବାହାରି ଯାଆନ୍ତି ଛାୟା ଦିଦି। ଗୀତ ଗାଇ ଘରେ ଘରେ କରୋନା ସଚେତନା କରାଇବା, ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ ଗାଁରେ ଘର ଘର ବୁଲି ପିଲାଙ୍କ ପୋଷଣ ପାଇଁ ଟେକ୍ ହୋମ୍ ରାସନ ଦେଉଛନ୍ତି । କେବଳ ଏତିକି ନୁହେଁ, ଗାଁରେ ଯେତେଜଣ ଗର୍ଭବତୀ ମହିଳା ଅଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ରଖିଥାନ୍ତିା ସେ।

‘‘କରୋନା ସମୟରେ ଯେମିତି ଗର୍ଭବତୀ ମହିଳା, ପ୍ରାକ ବିଦ୍ୟାଳୟ ଶିଶୁମାନେ କୌଣସି ସେବାରୁ ବଞ୍ଚିତ ନେହେବେ ସେଥିପ୍ରତି ମୁଁ ବିଶେଷ ଦୃଷ୍ଟି ଦେଉଛି। ତାଙ୍କର ପୁଷ୍ଟିସାଧନ ଓ ବିକାଶ ଲାଗି ସବୁ ସେବା ପହଞ୍ଚାଇ ଦେଉଛି’’, କହିଛନ୍ତି ଛାୟା ମହାନନ୍ଦ।

କରୋନା ଭଳି ଏକ ସଙ୍କଟ ସମୟରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଛାୟା ମହାନନ୍ଦ। ବିପଦ ବେଳେ ଲୋକଙ୍କୁ ସହାୟତା ଦେଇପାରୁଥିବାରୁ ବେଶ୍ ଖୁସି ମଧ୍ୟ ଅଛନ୍ତି ସେ। ଏ ସମ୍ପର୍କରେ ସେ କହନ୍ତି, ‘‘କୋଭିଡ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ମୁଁ କାମ କରୁଥିବାରୁ ମତେ ଖୁସି ଲାଗୁଛି। ଆଗାମୀ ଦିନରେ ବି ଏହି କାମ ଜାରି ରଖିବି”।

କରୋନା ସମୟରେ ଗାଁ ଲୋକଙ୍କ ସୁରକ୍ଷା ଲାଗି ନିଜକୁ ସମର୍ପି ଦେଇଛନ୍ତି ଛାୟା ମହାନନ୍ଦ। ଲୋକଙ୍କୁ ସଚେତନ କରାଇବା ପାଇଁ ସେ ଆପଣେଇଛନ୍ତି ନିଆରା ଶୈଳୀ। ତାଙ୍କର ଏହି କାମ ଯୋଗୁଁ ଏବେ ସେ ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ।

କୋଭିଡ ସମୟରେ ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, କରୋନା ଯୋଦ୍ଧାଙ୍କ କାହାଣୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ, ୟୁନିସେଫର ଭୂମିକା ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍ ୨। ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତକାର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ଏମ୍‌ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେଉଛି।

Comment