ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କ ଇସ୍ତଫାକୁ ନେଇ ଦିଦି ଚିନ୍ତାରେ ରହିଥିବାବେଳେ, ଏବେ ଜାତୀୟ ରାଜନୀତିକୁ ନେଇ ସକ୍ରିୟ ହୋଇଛନ୍ତି। ତେଣୁ ଏବେଠାରୁ ରାଜନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ମିଶି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

କରୋନା ମହାମାରୀ ପାଇଁ ଶୁକ୍ରବାର ବିଶୋଧନ କାରଣରୁ ସଚ୍ଚିବାଳୟ ବନ୍ଦ ରହିଥିଲା। ତେଣୁ ମମତା ବାନାର୍ଜୀଙ୍କ ବାସଭବନରେ ପ୍ରାୟ ତିନି ଘଣ୍ଟା ଧରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଥିଲେ ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର। ଯାହାଙ୍କ ଗୋଟି ଚାଳନାରେ ଟିଏମସି ଆଜି ପଶ୍ଚିମବଙ୍ଗ ଗାଦି ହାସଲ କରିବାରେ ସକ୍ଷମ ହୋଇପାରିଛି।ଆସନ୍ତା ସପ୍ତାହରେ ଟିଏମସିର ଜିଲ୍ଲା ସ୍ତରୀୟ ସଂଗଠନରେ ବଡ଼ ପରିବର୍ତ୍ତନ କରିବା ନେଇ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଟିଏମସିର ଜଣେ ନେତାଙ୍କ ଅଧିନରେ ଗୋଟିଏ ପଦ ରଖାଯିବ ଏବଂ ଯେଉଁମାନଙ୍କ ପାଖରେ ଏକାଧିକ ପଦ ରହିଛି, ସେମାନଙ୍କୁ ପରିବର୍ତ୍ତନ କରାଯିବ। କେବଳ ସେତିକି ନୁହେଁ ଜାତୀୟ ରାଜନୀତି ପାଇଁ ଟିଏମସିର ରଣନୀତି ପ୍ରସ୍ତୁତକୁ ନେଇ ଦିଦି ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ହୋଇଥିଲା।ଅନ୍ୟପଟେ ବିଧାନସଭା ନିର୍ବାଚନ ଜିତିବାପରେ ଜାତୀୟ ରାଜନୀତିରେ ଭାଗନେବାକୁ ଏବେ ମମତା ବାନାର୍ଜୀ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ଟିଏମସି ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ଯାହାକି ଆସନ୍ତା ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସରେ ସାର୍ବଜନୀନ କରାଯିବ। ଯେଉଁ ରାଜ୍ୟରେ ଟିଏମସି ବିଜୟ ହାସଲ କରିବାର ଅଧିକ ସମ୍ଭାବନା ରହିଛି କିମ୍ବା କେଉଁ ନୀତିକୁ ଆଧାର କରି ଦଳକୁ ଆଗକୁ ନେଇହେବ, ସେ ସମ୍ପର୍କରେ ମଧ୍ୟ ଉକ୍ତ ବୈଠକରେ ଚର୍ଚ୍ଚା କରାଯାଇଥିବା ଜଣାପଡ଼ିଛି।

Comment