ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ୧୭ ବର୍ଷ ବୟସରୁ ରାଜନୀତିକ ଯାତ୍ରା ଆରମ୍ଭ କରିଥିବା ମମତା ବାନାର୍ଜୀ କେମିତି ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜାଣନ୍ତୁ।

ମମତା ବାନାର୍ଜୀ, ଭାରତୀୟ ରାଜନୀତିରେ ଜଣେ ସ୍ୱତନ୍ତ୍ର ଚେହେରା। ଧଳା ଶାଢ଼ି, ରବର ଚପଲ ଓ ଅତି ସାଧାରଣ ଜୀବନଶୈଳୀ ହେଉଛି ତାଙ୍କର ଅନ୍ୟ ଏକ ପରିଚୟ। ବାହାରକୁ ଶକ୍ତ ଓ ଜିଦିଆ ଦେଖାଯାଉଥିବା ମମତା ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ହେଲେ କେବେ ହାର୍‌ ନମାନି ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଆଗକୁ ବଢ଼ିଛନ୍ତି ଓ ୨୦୧୧ରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି।

ବର୍ତ୍ତମାନର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ହେଲେ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ତାଙ୍କ ସମର୍ଥକମାନେ ତାଙ୍କୁ ଦିଦି ବୋଲି ଡାକନ୍ତି। ୧୯୫୫ ଜାନୁଆରି ୫ରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିବା ମମତା କେନ୍ଦ୍ରରେ ଦୁଇ ଥର ରେଳମନ୍ତ୍ରୀ ରହିଛନ୍ତି। ସେ ଦେଶର ପ୍ରଥମ ମହିଳା ରେଳମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି। ତେବେ ଭାରତୀୟ ରାଜନୀତିରେ ସ୍ୱତନ୍ତ୍ର ଚେହେରା ପାଲଟିଥିବା ମମତା ବାନାର୍ଜୀ କେମିତି ରାଜନୀତିକୁ ଆସିଥିଲେ?

କଲେଜ୍‌ ଦିନରୁ ରାଜନୀତି ସହିତ ଜଡ଼ିତ ଥିଲେ ମମତା

ମମତା ବାନାର୍ଜୀ କଲେଜ ସମୟରୁ ରାଜନୀତି ସହିତ ଜଡ଼ିତ ଅଛନ୍ତି। ୧୯୭୦ରେ ତାଙ୍କୁ ପଶ୍ଚିମବଙ୍ଗ ମହିଳା କଂଗ୍ରେସର ମହାସଚିବ କରାଯାଇଥିଲା। ସେ ସମୟରେ ମମତା କଲେଜରେ ପଢ଼ୁଥିଲେ। ଏହି ସମୟରେ ମମତାଙ୍କ ବାପାଙ୍କ ପରଲୋକ ହୋଇଥିଲା। ଫଳରେ ମମତାଙ୍କ ଉପରେ ପରିବାର ଦାୟିତ୍ୱ ଆସିଲା। ପରିବାର ଚଳାଇବା ବାଇଁ ମମତା ସେତେବେଳେ ଗାଈ ପାଳନ କରି କ୍ଷୀର ବିକ୍ରି କରୁଥିଲେ। ଭାଇ ଭଉଣୀଙ୍କ ପାଳନ ପୋଷଣ ପାଇଁ ମମତା ଆଗକୁ ଆସିଥିଲେ।ମମତାଙ୍କ ପାଠପଢ଼ା ଓ ଡିଗ୍ରୀ

ମମତା ଦକ୍ଷିଣ କୋଲକାତାର ଯୋଗମାୟା ଦେବୀ କଲେଜରୁ ଇତିହାସରେ ଅନର୍ସ ଡିଗ୍ରୀ ହାସଲ କରିଥିଲେ। ଏହାପରେ କୋଲକାତା ବିଶ୍ୱ ବିଦ୍ୟାଳୟରୁ ଇସଲାମିକ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏହାପରେ ଶ୍ରୀଶିକ୍ଷାୟତନ କଲେଜରୁ ସେ ବି.ଏଡ ଡିଗ୍ରୀ ହାସଲ କରିଥିଲେ। ଏହାପରେ ମମତା କୋଲକାତାର ଯୋଗେଶ ଚନ୍ଦ୍ର ଚୌଧୁରୀ ଲ’ କଲେଜ୍‌ରେ ଲ’ ପଢ଼ିଥିଲେ।

ରାଜନୀତିରେ ପ୍ରବେଶ

୧୯୭୦ରୁ ସକ୍ରିୟ ରାଜନୀତିରେ ମମତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ସେ କଂଗ୍ରେସରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୬ରୁ ୧୯୮୦ ପର୍ଯ୍ୟନ୍ତ ସେ ରାଜ୍ୟ ମହିଳା କଂଗ୍ରେସର ମହାସଚିବ ରହିଥିଲେ। ୧୯୮୪ରେ ମମତା ଲୋକସଭା ନିର୍ବାଚନରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କୁ ହରାଇଥିଲେ। ଏହାପରେ ସେ ଦେଶର ସର୍ବପ୍ରଥମ ମହିଳା ଯୁବ ସାଂସଦ ହେବାର ଗୌରବ ହାସଲ କରିଥିଲେ।

ଏହାପରେ ମମତା ଅଲ ଇଣ୍ଡିଆ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ହୋଇଥିଲେ। ହେଲେ ୧୯୮୯ରେ ପରବର୍ତ୍ତୀ ନିର୍ବାଚନରେ ​​ତାଙ୍କୁ କଂଗ୍ରେସ ବିରୋଧୀ ଲହର ପାଇଁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ପରାଜୟ ପରେ ୧୯୯୧ରେ ସେ ଦକ୍ଷିଣ କୋଲକାତା ଲୋକସଭା ଆସନରୁ ପୁଣି ନିର୍ବାଚନ ଲଢ଼ିଥିଲେ ମମତା। ପରେ ୧୯୯୬, ୧୯୯୮, ୧୯୯୯, ୨୦୦୪ ଏବଂ ୨୦୦୯ ଲଗାତର ଭାବେ ସଂସଦୀୟ ନିର୍ବାଚନରେ ​​ଜିତିଥିଲେ।

ନରସିଂହ ରାଓଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ

୧୯୯୧ ମସିହାରେ ଦକ୍ଷିଣ କୋଲକାତାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ମମତାଙ୍କୁ ନରସିହ୍ମା ରାଓ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସେ ନରସିଂହ ରାଓ ସରକାରରେ ମାନବ ସମ୍ବଳ ବିକାଶ, ଯୁବ ବ୍ୟାପାର ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ହୋଇଥିଲେ।କଂଗ୍ରେସ ସହିତ ମତଭେଦ, ନୂଆ ଦଳ ଗଠନ

୧୯୯୬ରେ କଂଗ୍ରେସ ସହିତ ମମତାଙ୍କ ମତଭେଦ ହୋଇଥିଲା। ଏହାପରେ ସେ କଂଗ୍ରେସ ଛାଡ଼ି ଦେଇଥିଲେ। କଂଗ୍ରେସ ଛାଡ଼ିବାର ଗୋଟିଏ ବର୍ଷ ପରେ ସେ ନିଜର ଦଳ ଗଠନ କରିଥିଲେ। ଯାହାର ନାଁ ସେ ଟିଏମ୍‌ସି (ତୃଣମୂଳ କଂଗ୍ରେସ) ରଖିଥିଲେ। ସେ ପାର୍ଟିର ଅଧ୍ୟକ୍ଷ ସେ ନିଜେ ହେଲେ।

ଚାରି ବର୍ଷ ପରେ, ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ମମତାଙ୍କ ଦଳ ୨୨୬ ଟି ଆସନରେ ନିର୍ବାଚନ ଲଢ଼ି ୬୦ଟି ସିଟ୍ରେ ଜିତିଥିଲା। ସେହିପରି ୧୯୯୮ ଲୋକସଭା ନିର୍ବାଚନରେ ମମତାଙ୍କ ଦଳ ୮ଟି ଆସନରେ ବିଜୟୀ ହୋଇଥିଲା।

ଏନଡିଏ ସହିତ ଟିଏମସି ସାମିଲ

୧୯୯୯ରେ ମମତାଙ୍କ ପାର୍ଟି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ସାମିଲ ହୋଇଥିଲା। ଏହାପରେ ମମତାଙ୍କୁ ରେଳମନ୍ତ୍ରୀ କରାଯାଇଥିଲା। ମମତା ଯେତେବେଳେ ତାଙ୍କର ପ୍ରଥମ ରେଳ ବଜେଟ ଉପସ୍ଥାପନ କରିଥିଲେ ସେତେବେଳେ ପଶ୍ଚିମବଙ୍ଗ ଅଧିକ ଗୁରୁତ୍ୱ ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ମମତାଙ୍କୁ ନେଇ ବିବାଦ ଜୋର ଧରିଲା। ୨୦୦୧ରେ ମମତାଙ୍କ ପାର୍ଟି ଏନଡିଏଠାରୁ ଅଲଗା ହୋଇଥିଲା। ୨୦୦୪ରେ ପୁଣି ମମତାଙ୍କ ପାର୍ଟି ଏନଡିଏରେ ମିଶିଥିଲା। ମମତାଙ୍କ କୋଇଲା ଏବଂ ଖଣି ମନ୍ତ୍ରୀ ପଦ ମିଳିଥିଲା।

୨୦୦୬ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ଖରାପ ପ୍ରଦର୍ଶନ କରିଥିଲା। ଏହପରେ ଟିଏମ୍‌ସି ୟୁପିଏ ସରକାର ସହିତ ସାମିଲ ହୋଇଥିଲା।  ଉଭୟ କେନ୍ଦ୍ର ଓ ରାଜ୍ୟରେ ନିଜର ଦବଦବା ଜମାଇ ସାରିବା ପରେ ମମତାଙ୍କ ଦଳ ୨୦୧୨ରେ ୟୁପିଏଠାରୁ ପୁଣି ଅଲଗା ହୋଇଗଲା।

୨୦୧୧ରେ ମୁଖ୍ୟମନ୍ତ୍ରୀ ହେଲେ ମମତା

୨୦୧୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେଲା। ଟିଏମସି ‘ମା’ ମାଟି ମାନୁଷ’ ନାରା ଦେଇ ନିର୍ବାଚନରେ ଭାରି ବହୁମତ ହାସଲ କରଥିଲା।  ୩୪ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନରେ ଥିବା ବାମଦଳକୁ ହଟାଇ କ୍ଷମତାକୁ ଆସିଥିଲା ମମତାଙ୍କ ଦଳ। ମମତା ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୧ରୁ ମମତା ପଶ୍ଚିମବଙ୍ଗରେ ରାଜୁତି କରୁଛନ୍ତି।

Comment