ଓଡ଼ିଶାଲାଇଭ୍ ବ୍ୟୁରୋ

ପେଗାସସ ସ୍ପାଇୱେରକୁ ନେଇ ଦେଶରେ ଦେଖା ଦେଇଥିବା ବିବାଦ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ। ଏହି ବିବାଦକୁ ନେଇ ସଂସଦରେ ଅଚଳାବସ୍ଥା ମଧ୍ୟ ଜାରି ରହିଛି। ତେବେ କେନ୍ଦ୍ର ସରକାର ଏହାକୁ ହାଲକା ଭାବେ ନେଇଥିବାବେଳେ, ଏହି ବିବାଦ ଯାଇ ପହଞ୍ଚିଛି ସୁପ୍ରିମକୋର୍ଟଙ୍କ ନିକଟରେ। ଅନ୍ୟପଟେ ପେଗାସସ ଏକ ମୁଖ୍ୟ ପ୍ରସଙ୍ଗ ନୁହେଁ, ଏହାକୁ ନେଇ ସଂସଦରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।

ପେଗାସସ୍‌ ଦ୍ୱାରା ଭାରତରେ ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଗୋପନୀୟ ତଥ୍ୟ ଚୋରି କରାଯାଉଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇବାପରେ ଏହାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ବିରୋଧୀ। ଏଥିପାଇଁ ଏକାଧିକ ଆବେଦନ ମଧ୍ୟ କରିଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରାମଣା ଆସନ୍ତା ସପ୍ତାହରେ ଆବେଦନର ଶୁଣାଣି କରିବେ ବୋଲି ସୂଚନା ଦେଇଛନ୍ତି। ପୂରା ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର କମିସନ ଗଠନ କରିପାରନ୍ତି ବୋଲି ଅନୁମାନ କରାଯାଉଛି।ଏହି ଘଟଣାର ତଦନ୍ତ ଦାୟିତ୍ଵ କୌଣସି କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କୁ ଦିଆଯାଉ ବୋଲି ଆବେଦନକାରୀମାନେ କୋର୍ଟଙ୍କ ପାଖରେ ନିବେଦନ କରିଛନ୍ତି।

ମୌସୁମୀ ଅଧିବେଶନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପେଗାସସ ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିଥିଲା। ତେବେ ଏହାକୁ ଅସ୍ତ୍ର କରି ବିରୋଧୀ ଦଳ ଏବେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଗୋଟିଏ ପଟେ ବିରୋଧୀ ପେଗାସସକୁ ନେଇ ତଦନ୍ତ କରିବାକୁ ଦାବି କରୁଥିବାବେଳେ ଅନ୍ୟପଟେ କେନ୍ଦ୍ର ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ତେଣୁ ଉଭୟ ଗୃହରେ ହଟ୍ଟଗୋଳ ଲାଗିରହିଛି। ଯାହାଫଳରେ ଚଳିତ ଅଧିବେଶନରେ ଗୋଟିଏ ଦିନ ବି ଗୃହ କାର୍ଯ୍ୟ ଠିକ ଭାବେ ପରିଚାଳନା ହୋଇନାହିଁ।ସରକାର ସାଧାରଣ ନାଗରିକ, ରାଜନେତା, ସାମାଜିକ କର୍ମୀ ଓ ସାମ୍ବାଦିକଙ୍କ ଉପରେ ପେଗାସସକୁ ବ୍ୟବହାର କରି ଗୁଇନ୍ଦାଗିରି କରିଛନ୍ତି। କେନ୍ଦ୍ର ସରକାର କିମ୍ବା କୌଣସି ଭାରତୀୟ ତଦନ୍ତକାରୀ ଏଜେନ୍ସି ପେଗାସସ୍‌ ସ୍ପାଇୱେର ବ୍ୟବହାର କରିବାକୁ ଲାଇସେନ୍ସ ପାଇଛନ୍ତି କି ନାହିଁ, ସେକଥା ସାର୍ବଜନୀନ କରାଯାଉ। ସରକାର ସିଧାସଳଖ କିମ୍ବା ପରୋକ୍ଷରେ ସର୍ଭେଲାନ୍ସ ପଦ୍ଧତିକୁ ଲୋକଙ୍କ ଉପରେ ଆପଣାଇଛନ୍ତି କି ନାହିଁ, ସେକଥା ମଧ୍ୟ ଜଣାନ୍ତୁ ବୋଲି ଆବେଦନକାରୀମାନେ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ଚର୍ଚ୍ଚିତ ପେଗାସସ ବିବାଦର ରାୟ ଆସିବା ପରେ ଗୃହରେ ସ୍ୱାଭାବିକ ଅବସ୍ଥା ଫେରିବ ବୋଲି ଆଶା କରାଯାଉଛି।

Comment