ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘କୋଭିଡ ସମୟରେ ମା’ ଓ ଶିଶୁମାନେ କୁପୋଷଣର ଶିକାର ହେବା ଆଶଙ୍କା ସୃଷ୍ଟି ହୋଇଛି। ବିଶେଷକରି ଆଦିବାସୀ ବା ଦୁର୍ଗମ ଅଞ୍ଚଳରେ ଯୋଗାଯୋଗରେ ସମସ୍ୟା ଥିବାରୁ ସେଠାରେ ବିଭିନ୍ନ ସୁବିଧା ପହଞ୍ଚିପାରୁନି। ତେବେ ବର୍ତ୍ତମାନ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହେଲେ ଉଭୟ ମା’ଓ ଶିଶୁଙ୍କୁ କୁପୋଷଣରୁ ରକ୍ଷା କରାଯାଇପାରିବ’’, ‘କେତେ ନୂଆ ବାଟ’ ଭିଡିଓ ସିରିଜରେ ସାମିଲ ହୋଇ ୟୁନିସେଫ ଓଡ଼ିଶାର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟୀ ଏହା କହିଛନ୍ତି।

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି। ଏଥିରେ ସୌରଭ ଭଟ୍ଟାଚାର୍ଯ୍ୟୀ ଯୋଡ଼ି ହୋଇ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇଛନ୍ତି।

ରାଜ୍ୟରେ ୨୩ ପ୍ରତିଶତ ହେଲେ ଆଦିବାସୀ। ଭୌଗଳିକ ଅସୁବିଧା ଯୋଗୁଁ ଏମାନଙ୍କ ନିକଟରେ ସୁବିଧା ଠିକ୍‌ ସମୟରେ ପହଞ୍ଚିପାରେ ନାହିଁ। ଏହାଛଡ଼ା ସଚେତନତାର ଅଭାବ ଯୋଗୁଁ ମଧ୍ୟ ଏମାନେ ପୋଷକ ତତ୍ୱରେ ଭରପୂର ଖାଦ୍ୟ ଖାଇପାରନ୍ତି ନାହିଁ। ଜଙ୍ଗଲଜାତ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଥିଲେ ମଧ୍ୟ ଏମାନେ ତାହା ବ୍ୟବହାର କରିପାରନ୍ତି ନାହିଁ। ଫଳରେ ଆଦିବାସୀ ଶିଶୁମାନେ ଅଧିକ କୁପୋଷଣର ଶିକାର ହୋଇଥାନ୍ତି। ଫଳରେ ଶାରୀରିକ ଅଭିବୃଦ୍ଧି ଠିକ୍‌ରେ ହୋଇପାରେ ନାହିଁ। ତେଣୁ ଏମାନଙ୍କ ପୋଷଣ ପାଇଁ ଅଧିକ ଧ୍ୟାନ ଦିଆଯାଉଛି। ତୃଣମୂଳସ୍ତରରେ ଅଙ୍ଗନବାଡ଼ି, ଆଶାକର୍ମୀ ଏଥିପାଇଁ ଅଧିକ କାମ କରୁଛନ୍ତି ବୋଲି କହିଛନ୍ତି ସୌରଭ ଭଟ୍ଟାଚାର୍ଯ୍ୟୀ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘କୋଭିଡ୍ ସମୟରେ ପୁଷ୍ଟିକର ଖାଦ୍ୟ ଅଧିକ ଖାଇବାର ଆବଶ୍ୟକତା ରହିଛି। ଯେମିତିକି ଓମେଗା-୩ ଯୁକ୍ତ ଖାଦ୍ୟ ଯଥା; ମାଛ, ସାମୁଦ୍ରିକ ମାଛ, ଓ୍ଵାଲନଟ୍, ଫଲିକ୍ ଏସିଡ୍‌, ସୋୟାବିନ୍, ଶାଗ, ପାଚିଲା ଆମ୍ବ, ବିଟ୍, ଭିଟାମିନ୍ ବି-୧୨ପୂର୍ଣ୍ଣ ଖାଦ୍ୟ ମାଛ, ମାଂସ, ଅଣ୍ଡା, କ୍ଷୀର, ଦହି, ଭିଟାମିନ୍ ବି-୬ ଥିବା ସୂର୍ଯ୍ୟମୁଖୀ ତେଲ, ମାଛ, ସଜନା ଶାଗ, କଦଳୀ, ମସୁର ଖାଇଲେ ଜଣେ ଗର୍ଭବତୀ ମହିଳା ସୁସ୍ଥ ରହିବେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ।’’

ସେହିପରି ଘରେ ଥିବା ମହିଳା ଓ ଶିଶୁମାନେ କିପରି ଖାଦ୍ୟ ଅଭାବର ସମ୍ମୁଖୀନ ହେବେ ନାହିଁ ସେ ନେଇ ସରକାର ଅହରହ ଉଦ୍ୟମ କରୁଛନ୍ତି। ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ନିଷ୍ଠାପର ଭାବେ କାମ କରୁଛନ୍ତି। ସେମାନଙ୍କ ଫଲିକ୍‌ ଏସିଡ୍‌ ଆଇରନ ବଟିକା ମଧ୍ୟ ଦିଆଯାଉଛି। ଏହାସହିତ  ସେମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଠିକ୍ ହେବା ସହ ଶିଶୁ ଓ ମାଆମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ବୋଲି ପୋଷଣ ବିଶେଷଜ୍ଞଙ୍କ ମତ ରଖିଛନ୍ତି।

କୋଭିଡ୍‌ ସମୟରେ ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, କରୋନା ଯୋଦ୍ଧାଙ୍କ କାହାଣୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ, ୟୁନିସେଫର ଭୂମିକା ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍ ୨। ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତକାର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ଏମ୍‌ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେଉଛି।

Comment