ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କାଜୁବାଦାମ ଶିଳ୍ପର ପ୍ରୋତ୍ସାହନ, ଏହାର ପ୍ରସାର ଏବଂ ଦେଶ ବିଦେଶରେ ଓଡ଼ିଶାର କାଜୁକୁ ଲୋକପ୍ରିୟ କରିବା କ୍ଷେତ୍ରରେ ଏ.କେ.ଏମ୍‍ ଆଗ୍ରୋ ଗ୍ରୁପ୍‍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟରେ କାଜୁ ବାଦାମର ଚାଷ, ଉତ୍ପାଦନ, ଚାଷୀଙ୍କଠାରୁ ସମୟକ୍ରମେ ସଂଗ୍ରହ, ଫସଲର ପ୍ରକ୍ରିୟାକରଣ ଏବଂ ଏହାର ବିକ୍ରୟ ତଥା ରପ୍ତାନୀ ଆଦି କ୍ଷେତ୍ରରେ ଏ.କେ.ଏମ୍‍ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି।

ରାଜ୍ୟରେ କାଜୁ ବ୍ୟବସାୟ ବ୍ୟାପକମାତ୍ରାରେ ବୃଦ୍ଧି ପାଇବା ସହିତ ଦେଶ ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଯୋଗଦାନ ରହିଛି। ବିଶେଷକରି କରୋନା ମହାମାରୀ ଜନିତ ବଜାରର ଅର୍ଥନୈତିକ ମାନ୍ଦା ପରିସ୍ଥିତିକୁ ଭ୍ରୁକ୍ଷେପ ନକରି ଏ.କେ.ଏମ୍‍ ତା’ର ବ୍ୟବସାୟକୁ ଆଗକୁ ବଢ଼ାଇ ଚାଲିଛି।

ଏନେଇ ଏ.କେ.ଏମ୍ କମ୍ପାନିର ଅଧ୍ୟକ୍ଷ ଅଜିତ କୁମାର ମିଶ୍ର କହିଛନ୍ତି, “ଏବର୍ଷ ୩୦କୋଟି ଟଙ୍କାର ବ୍ୟବସାୟ କରିଥିବା ଏହି କମ୍ପାନି ‘ମେକ୍‍ ଇନ୍‍ ଓଡ଼ିଶା’ ଧ୍ଵନିକୁ ସାକାର କରିବା ସହିତ ରାଜ୍ୟରେ କାଜୁ ବ୍ୟବସାୟକୁ ‘ଭୋକାଲ ଫର୍‍ ଲୋକାଲ’ ଅର୍ଥାତ୍‍ ସ୍ଥାନୀୟ ଉତ୍କର୍ଷତାର ଆଧାରରେ ବାସ୍ତବଧର୍ମୀ ରୂପ ଦେବାକୁ ଚାହୁଁଛି।”

୨୦୧୭ ମସିହାରେ ଏ.କେ.ଏମ୍‍ ଆଗ୍ରୋ ପ୍ରୋସେସିଂ ପ୍ରାଇଭେଟ୍‍ ଲିମିଟେଡ କମ୍ପାନି ଖୋର୍ଦ୍ଧାଠାରେ ପ୍ରତିଷ୍ଠା ହୋଇଥିଲା। ଏହାର ପ୍ରକ୍ରିୟାକରଣ କାରଖାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମସିହା ଫେବ୍ରୁଆରୀ ୨୪ତାରିଖରେ ଉଦ୍‍ଘାଟନ କରିଥିଲେ। ପ୍ରଥମେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ବୈଷୟିକ ଉପକରଣ ଦ୍ଵାରା ଖାଇବା ତେଲ ଓ ପନିପରିବାର ପ୍ରକ୍ରିୟାକରଣ ହୋଇଥିଲା। ବର୍ତ୍ତମାନ ଏହି କମ୍ପାନି କାଜୁ ବାଦାମ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଛି।

ଓଡ଼ିଶାରେ ମୁଖ୍ୟତଃ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ କାଜୁ ବାଦାମ ଚାଷ କରୁଛନ୍ତି। ରାଜ୍ୟରେ ବଜାରଗତ ସୁବିଧା ସୁଯୋଗ ଅଭାବରୁ ଚାଷୀମାନେ ପ୍ରାୟତଃ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ବର୍ତ୍ତମାନ ଏ.କେ.ଏମ୍‍ର କମ୍ପାନି ଦ୍ଵାରା କାଜୁ ଚାଷୀମାନଙ୍କର ସମସ୍ୟା ଅନେକାଂଶରେ ଦୂର ହୋଇଥିବା ଲକ୍ଷ୍ୟ କରାଯାଉଛି। ଏହି କମ୍ପାନି ସିଧାସଳଖ ଚାଷୀଙ୍କଠାରୁ କାଜୁ କିଣୁଛି। ଫଳରେ ଚାଷୀମାନେ ତାଙ୍କ ଫସଲର ସର୍ବାଧିକ ଦର ପାଇପାରୁଛନ୍ତି।

ଓଡ଼ିଶାରେ ସାଧାରଣତଃ କାଜୁ ଅମଳ ମେ’ ଏବଂ ଜୁନ୍‍ ମାସରେ କରାଯାଇଥାଏ। ଖୋର୍ଦ୍ଧା କାରଖାନାଠାରେ ଥିବା ଏ.କେ.ଏମ୍ କମ୍ପାନିର ୧୭ ଏକର ପରିମିତ ଭଣ୍ଡାର ଗୃହରେ ବ୍ୟାପକ ମାତ୍ରାରେ ଶସ୍ୟ ନିରାପଦରେ ରକ୍ଷଣାବେକ୍ଷଣ ପାଇଁ ଆଧୁନିକ ବ୍ୟବସ୍ଥା କରାଯାଇଛି। କମ୍ପାନି ଦ୍ୱାରା ସଂଗୃହୀତ କାଜୁକୁ ସେଠାରେ ରଖାଯାଉଛି। ରାଜ୍ୟରେ ଉତ୍ପାଦନ ହେଉଥିବା କାଜୁର ପ୍ରକ୍ରିୟାକରଣ ମାତ୍ର ଦୁଇ/ତିନି ମାସ ମଧ୍ୟରେ ସରୁଛି।

ଆଞ୍ଚଳିକ ପ୍ରକ୍ରିୟାକରଣ ୟୁନିଟ୍‍ଗୁଡ଼ିକ ସେମାନଙ୍କର ବ୍ୟବସାୟକୁ ବର୍ଷ ସାରା ଚାଲୁ ରଖିବା ପାଇଁ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କେରଳ ଏବଂ ଆଫ୍ରିକାରୁ ଅଣାଯାଉଥିବା କାଜୁ ବାଦାମ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏବେ ଏ.କେ.ଏମ୍‍ର ହସ୍ତକ୍ଷେପ ଯୋଗୁଁ ରାଜ୍ୟର ପ୍ରକ୍ରିୟାକରଣ ୟୁନିଟ୍‍ଗୁଡ଼ିକୁ ବହୁଭାବରେ ଫାଇଦା ମିଳୁଥିବା ଦେଖିବାକୁ ମିଳୁଛି। କାଜୁ ଅମଳ ହେଉନଥିବା ମାସଗୁଡ଼ିକରେ ଖୋର୍ଦ୍ଧାସ୍ଥିତ ଗୋଦାମରୁ କାଜୁ ସହଜରେ ରପ୍ତାନୀ କରିପାରୁଛି ଏହି କମ୍ପାନି।

ଦୁବାଇରେ ଅବସ୍ଥାପିତ ଏ.କେ.ଏମ୍‍ର ନିର୍ଦ୍ଦେଶକ ଅମୀୟ କୁମାର ମିଶ୍ର କହିଛନ୍ତି, “ଶିଳ୍ପ ଜଗତରେ ଏ.କେ.ଏମ୍‍ ଆଗ୍ରୋ ୟୁନିଟ୍‍ର ଆଦର୍ଶରେ ଦେଶ ବିଦେଶର ଶିଳ୍ପସଂସ୍ଥାମାନେ ନିଶ୍ଚିତ ଭାବେ ଅନୁପ୍ରାଣିତ ହେବେ ଏବଂ ସେମାନଙ୍କ ପାଇଁ ଏହା ଏକ ‘ରୋଲ୍‍ ମଡେଲ’ ସାବ୍ୟସ୍ତ ହେବ”।

ଏ.କେ.ଏମ୍‍ର ପରିଚାଳନା କର୍ତ୍ତୃପକ୍ଷ ପୃଥିବୀର ବୃହତ୍‍ କାଜୁ ଉତ୍ପାଦନକାରୀ ଦେଶମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରକ୍ଷା କରିଆସୁଛନ୍ତି। ୨୦୧୯ ମସିହାରେ ସାରା ପୃଥିବୀରେ ୪୦ଲକ୍ଷ ଟନ୍‍ର କାଜୁ ବାଦାମ ଉତ୍ପାଦନ ହୋଇଛି। ଏ.କେ.ଏମ୍‍ ଏବେ ମଧ୍ୟପ୍ରାଚ୍ୟ, ଭିଏତ୍‍ନାମ ଏବଂ ପଶ୍ଚିମ ଆଫ୍ରିକାକୁ କାଜୁ ବାଦାମ ରପ୍ତାନୀ କରୁଛି।

ଏହି କମ୍ପାନିର ଅନ୍ୟତମ ନିର୍ଦ୍ଦେଶକ ଭବାନୀ ଶଙ୍କର ସ୍ୱାମୀ କହିଛନ୍ତି, “ଓଡ଼ିଶାରେ କାଜୁ ବ୍ୟବସାୟ କରିବା ସାଙ୍ଗକୁ ଯେଭଳି କାଜୁ କାରଖାନା ଦ୍ଵାରା ବାୟୁ ପ୍ରଦୂଷଣ ଭଳି ସମସ୍ୟା ସୃଷ୍ଟି ନହେବ ଏବଂ ପରିବେଶଗତ ସନ୍ତୁଳନକୁ ରକ୍ଷା କରାଯିବ ସେଥିପ୍ରତି ଏ.କେ.ଏମ୍‍ କମ୍ପାନି ସର୍ବଦା ପ୍ରୟାସରତ ଓ ପ୍ରତିଜ୍ଞାବଦ୍ଧ”।

Comment