ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏବେ ବର୍ଷାର ଅଭାବ ଦେଖାଦେଇଛି। ୧୯ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ରହିଛି। ଆଷାଢ଼ ସରି ଆସିଲାଣି। କିନ୍ତୁ ଏଯାଏଁ ବେଉଷଣ ହୋଇନାହିଁ। ଲୁଚକାଳି ଖେଳୁଛି ମୌସୁମୀ। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୨୭ ପ୍ରତିଶତ କମ୍ ବର୍ଷା ହୋଇଛି। ୪୦୫ ମିଲିମିଟର ବଦଳରେ ୨୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

୧୯ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ଭଦ୍ରକ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭଦ୍ରକରେ ୫୯ ପ୍ରତିଶତ ବର୍ଷା ହୋଇଥିବାବେଳେ ଯାଜପୁରରେ ୫୧ପ୍ରତିଶତ କମ୍ ବର୍ଷା ହୋଇଛି। ସେହିପରି କେନ୍ଦୁଝର ଓ ବଲାଙ୍ଗିରରେ ସ୍ୱାଭାବିକଠାରୁ ୪୪ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଗଜପତିରେ ୪୨ ଓ ସମ୍ବଲପୁରରେ ୪୦ ପ୍ରତିଶତ କମ୍ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଛି।ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆପାତକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି। ଓୟୁଏଟି ପକ୍ଷରୁ କୃଷି ବିଭାଗକୁ ଦିଆଯାଇଥିବା ଏହି ଯୋଜନାରେ ମରୁଡ଼ି ହେଲେ କ’ଣ କରାଯିବ ଓ ଚାଷର ସୁରକ୍ଷା ପାଇଁ କ’ଣ କରାଯିବ, ତାହାର ସବିଶେଷ ଉଲ୍ଲେଖ ରହିଛି। ଏବର୍ଷ ରାଜ୍ୟର ୫ଟି ଜିଲ୍ଲାର ୨୭ ବ୍ଲକରେ ମରୁଡ଼ି ହୋଇଥିବା କଥା ସରକାର ଘୋଷଣା କରିଛନ୍ତି।

ଓଡ଼ିଶା ତଥା ସାରା ଦେଶରେ ମୌସୁମୀ ବାୟୁ ଉପରେ କୃଷି କାର୍ଯ୍ୟ ନିର୍ଭର କରିଥାଏ ଓ ଜୁନ ପହିଲାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ବର୍ଷାର ଗତି ଉପରେ ନଜର ରଖାଯାଇଥାଏ। ଏବର୍ଷ ଜୁନ ୧୦ରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥିଲା। ତେବେ ଅନିୟମିତ ବୃଷ୍ଟିପାତ ଯୋଗୁଁ ଖରିଫ ଫସଲ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି। ଇତି ମଧ୍ୟରେ ରାଜ୍ୟରେ ମୌସୁମୀ ସମୟ ୪୦ଦିନ ଅତିବାହିତ ହୋଇସାରିଛି। ଜୁନରେ ସ୍ୱାଭାବିକ ଥିଲା ବର୍ଷା। ଜୁଲାଇ ବେଳକୁ ନିଅଣ୍ଟ ବଢ଼ିଛି। ଆଗକୁ ଡବଲ୍ ଲଘୁଚାପ ଆସୁଛି। ଏହି ଲଘୁଚାପ ନିଅଣ୍ଟିଆ ବର୍ଷାକୁ ଭରଣା କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।ଏମାସ ଶେଷ ବେଳକୁ ବର୍ଷା ବଢ଼ିପାରେ। କାରଣ ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୭ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହି ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଓ ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର। ସେମାନଙ୍କ ଅକଳନ ଅନୁସାରେ ଜୁଲାଇ ୨୬ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଲଘୁଚାପ ଯୋଗୁଁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ।

LEAVE A REPLY

Please enter your comment!
Please enter your name here