ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ମହିଳା ହକି ଟିମ୍। ପ୍ରଥମଥର ପାଇଁ ଭାରତୀୟ ମହିଳା ଟିମ୍ ସେମିଫାଇନାଲରେ ପହଞ୍ଚି ଦେଶ ପାଇଁ ଗୌରବ ଆଣିଛି। ଏଭଳି ମୁହୂର୍ତ୍ତରେ ମହିଳା ଦଳର କୋଚ୍ ଏସଜୋର୍ଡ ମାରିନଙ୍କୁ ଭିନ୍ନ ଶୈଳୀରେ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍ ବାଦଶା ତଥା କିଙ୍ଗ ଖାନ୍ ଶାହାରୁଖ ଖାନ୍। ଖାଲି ଶାହାରୁଖ୍ ନୁହଁନ୍ତି ମହିଳା ହକି ଦଳର ବିଜୟରେ ସମଗ୍ର ଦେଶ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।

ହକି ଦଳକୁ ଶାହାରୁଖ ଖାନଙ୍କ ଶୁଭେଚ୍ଛା

ଭାରତୀୟ ମହିଳା ହକି ଟିମ୍ ପ୍ରଥମଥର ଅଲିମ୍ପିକ୍ସର ସେମିଫାଇନାଲରେ ପହଁଞ୍ଚି ଇତିହାସ ରଚିଛି। ଏହି ଟିମ୍‌ର ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହାରି ମଧ୍ୟରେ କିଙ୍ଗ ଖାନ ମଧ୍ୟ କୌତୁକିଆ ଅନ୍ଦାଜରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।

ହକି ଟିମ୍‌ର ବିଜୟ ପରେ କୋଚ୍ ଏସଜୋର୍ଡ ମାରିନ ଏକ ଟୁଇଟ କରି ଲେଖିଥିଲେ, “ସରି ଫ୍ୟାମିଲି, ଆଇ ଆମ୍ କମିଙ୍ଗ ଏଗେନ୍ ଲାଟର” ଅର୍ଥାତ୍ ମୁଁ ପରେ ଆସିବି, ସେଥିପାଇଁ ଦୁଃଖିତ।

ଏହି ଟୁଇଟର ଉତ୍ତର ଦେଇ ଶାହାରୁଖ ଖାନ୍ ଲେଖିଛନ୍ତି, “ହଁ ହଁ କୌଣସି ଅସୁବିଧା ନାହିଁ। ଆସିଲାବେଳେ ଆମର କୋଟି କୋଟି ପରିବାର ସଦସ୍ୟଙ୍କ ପାଇଁ ସାଙ୍ଗରେ କିଛି ସୁନା ନେଇ ଆସିବ। ଏମିତି ବି ସେହି ସମୟରେ ଧନତେରସ୍ ଉତ୍ସବ ଚାଲିଥିବ।”ଉଲ୍ଲେଖଯୋଗ୍ୟ ଯେ, ବଲିଉଡର ସୁପରହିଟ୍ ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ର ମହିଳା ହକି ଟିମର କୋଚ୍ ଥିଲେ ଶାହାରୁଖ ଖାନ୍। ସେଥିରେ ସେ କବୀର ଖାନ୍ ଭୂମିକାରେ ଅଭିନୟ କରିଥିଲେ। ସେହି ଫିଲ୍ମରେ ଦଳକୁ ବିଶ୍ଵକପ୍ ଜିତାଇବାରେ କୋଚ୍ କବୀର ଖାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ରହିଥିଲା। ସେହିପରି ଭାରତୀୟ ମହିଳା ଟିମ୍‌ ସେମିଫାଇନାଲକୁ ଯିବା ପଛରେ ରିଅଲ୍ କୋଚ୍ ଏସଜୋର୍ଡ ମାରିନଙ୍କ ହାତ ରହିଛି।

ଟୋକିଓ ଅଲିମ୍ପିକ୍ସରେ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିବା ଖବର ଦର୍ଶକଙ୍କୁ କୋଚ୍ କବୀର ଖାନଙ୍କ କଥା ମନେ ପକାଇଦେଇଛି।

Comment