ଓଡ଼ିଶାଲାଇଭ୍ ବ୍ୟୁରୋ
ଏକ ବଡ଼ ନିଷ୍ପତ୍ତି କ୍ରମରେ ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ଘୋଷଣା କରିଛନ୍ତି। ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କୁ ପଦୋନ୍ନତି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇସାରିଛନ୍ତି। ଶିକ୍ଷକଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ ମଧ୍ୟ କମ୍ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୬୩ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଉପକୃତ ହେବେ।
ଏହି ନିଷ୍ପତ୍ତି ଫଳରେ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ। ଏଥିସହ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀଗୁଡିକ ମଧ୍ୟ ପୂରଣ ହୋଇପାରିବ। ସବୁଠାରୁ ବଡ଼ କଥା ପ୍ରାଥମିକ ସ୍କୁଲରେ ଶିକ୍ଷକ ଅଭାବ ଜନିତ ଯେଉଁ ସମସ୍ୟା ଥିଲା ତାହା ଦୂର ହେବ। ପଦୋନ୍ନତି ଯୋଗୁଁ ପ୍ରାଥମିକ ବିଦ୍ୟାଳୟଗୁଡିକର ପରିଚାଳନାରେ ଉନ୍ନତି ଆସିବା ସହିତ ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବାପରେ ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪ କୁ ପଦୋନ୍ନତି ପାଇବେ। ଏହାସହିତ ଲେଭେଲ-୪ରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-3କୁ ପଦୋନ୍ନତି ପାଇବେ। ଲେଭେଲ ୫(ବି)ରେ ଥିବା ସହକାରୀ ଶିକ୍ଷକମାନଙ୍କ ପାଇଁ ରେସିଡେନ୍ସି ପିରିଅଡକୁ ଏକ ବର୍ଷରୁ ୬ମାସ କରାଯାଇଥିବାବେଳେ, ଲେଭେଲ-୪ରୁ ଲେଭେଲ-୩କୁ ପଦୋନ୍ନତି ପାଇବା ପାଇଁ ରେସିଡେନ୍ସି ପିରିଅଡର ସୀମା ୨ବର୍ଷରୁ ୧ ବର୍ଷ କରାଯାଇଛି।
ଶିକ୍ଷା ସଂସ୍କାର କ୍ଷେତ୍ରରେ ନବୀନ ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ ନିଶ୍ଚିତରେ। ଉଲ୍ଲେଖ କରାଯାଇପାରେ ଯେ ୨୦୧୯ ବର୍ଷରେ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଲେଭେଲ-୪ ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ ଟି ପଦବୀ ସୃଷ୍ଟି କରାଯାଇଥିଲା ଏବଂ ଲେଭେଲ-୩ ରେ ଥିବା ୯୩୦୫ ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା।
ଏହି ପଦୋନ୍ନତି ଘୋଷଣା ଦ୍ୱାରା ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାଦାନକୁ ଏଣିକି ନିଶ୍ଚିତ କରାଯାଇ ପାରିବ। ରାଜ୍ୟରେ, ବିଶେଷ କରି ଗ୍ରାମାଞ୍ଚଳଗୁଡ଼ିକରେ ଡାକ୍ତରଖାନାରେ ଡାକ୍ତର ଅଭାବ ଭଳି ସ୍କୁଲରେ ଶିକ୍ଷକ ଅଭାବ ମଧ୍ୟ ଏକ ପ୍ରସଙ୍ଗ ହୋଇଥିଲା। ବିରୋଧୀ ଦଳ ସମେତ ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ଏନେଇ ବାରମ୍ବାର ଅଭିଯୋଗ ହେଉଥିଲା। କରୋନା ମହାମାରୀ ଆସିବା ପୂର୍ବରୁ ଅଧିକାଂଶ ସ୍କୁଲରେ ଶିକ୍ଷକ ନଥିବା ଯୋଗୁଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିଲା। ବର୍ତ୍ତମାନ ଅନ୍ତତଃ ଏହି ଅସୁବିଧା ଆଉ ରହିବ ନାହିଁ। ଏବେ ସମୟ ଆସିଛି ଶିକ୍ଷକମାନେ ନିଜ ନିଜ ଦାୟିତ୍ୱକୁ ବୁଝି, ଶିକ୍ଷାର ସର୍ବାଙ୍ଗୀନ ବିକାଶ ଓ ଗୁଣାତ୍ମକ ସଫଳତା ସମ୍ପର୍କରେ ଅଧିକ ସଚେତନ ହେବେ।


















