ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୪୧ ବର୍ଷ ପରେ ଭାରତକୁ ହକିରେ ପଦକ ମିଳିଛି। ଗୁରୁବାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ୍। ଏହି ବିଜୟ ପାଇଁ ସମଗ୍ର ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନ୍ୟପଟେ ହକି ଦଳର ଏହି ବିଜୟକୁ କ୍ରିକେଟର ବିଶ୍ଵ କପ୍ ସହ ତୁଳାନ କରାଯାଇଛି। ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଭାରତୀୟ ପୁରୁଷ ହକି ଦଳର ବିଜୟକୁ ୧୯୮୩, ୨୦୦୭ ଓ ୨୦୧୧ରେ ଜିତା ଯାଇଥିବା କ୍ରିକେଟ ଟିମର ବିଶ୍ଵ କପ ବିଜୟଠାରୁ ବଡ ବିଜୟ ବୋଲି କହିଛନ୍ତି।

ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ ପରେ ସବୁଠି ଉତ୍ସବର ମାହୋଲ। ହକିର ଏନ୍ତୁଡିଶାଳ କୁହାଯାଉଥିବା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ ଷ୍ଟାଡିୟମରେ ମଧ୍ୟ ଉତ୍ସବ ମନାଯାଇଥିଲା ଏଥିରେ ସାମିଲ ଥିଲେ ପୂର୍ବତନ ହକି ଖେଳାଳି ଲାଜାରୁଜ ବାର୍ଲା ଓ ବରିଷ୍ଠ ହକି କୋଚ୍ ଅମୂଲ ନନ୍ଦ ବିହାରୀ।

ହକି ଟିମରେ ସାମିଲଥିବା ସୁନ୍ଦରଗଡ଼ର ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା ଐତିହାସିକ ବିଜୟ ଆଣିଥିବାରୁ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।ଭାରତୀୟ ହକିକୁ ଓଡ଼ିଶାର ଅବଦାନ

ଭାରତୀୟ ହକି ଦଳର ଏହି ଉଲ୍ଲେଖନୀୟ ବିଜୟର ଶ୍ରେୟ ଓଡ଼ିଶାକୁ ମିଳିବା ସ୍ୱାଭାବିକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମ୍ବେଦନଶୀଳ ସମୟରେ ଭାରତୀୟ ହକିକୁ ସାହାଯ୍ୟର ହାତ ବଢ଼ାଇଥିଲେ। ସାହାରା ଇଣ୍ଡିଆ ଯେତେବେଳେ ହକିର ପ୍ରାୟୋଜନରୁ ଓହରି ଯାଇଥିଲା ଠିକ୍ ସେହି ସମୟରେ ୫ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ପାଲଟିଥିଲା ଓଡ଼ିଶା। ତେଣୁ ଭାରତୀୟ ପୁରୁଷ ହକି ଦଳ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପାଇଥିବା ସଫଳତା ସବୁଠାରୁ ବେଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନନ୍ଦିତ କରିଛି।

ଦୁର୍ଭାଗ୍ୟର ବିଷୟ ଅନ୍ୟ କୌଣସି ରାଜ୍ୟ ଖେଳ ଓ ଖେଳାଳୀଙ୍କୁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଉନାହାନ୍ତି। ଏହି ଦୃଷ୍ଟିରୁ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତଭାବେ ଏକ ବ୍ୟତିକ୍ରମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟପରେ ଭିଡିଓ କନଫରେସିଂ ଜରିଆରେ ଖେଳାଳିମାନଙ୍କ ସହିତ କଥା ହୋଇଥିଲେ ନବୀନ ପଟ୍ଟନାୟକ। ଏହି ଚିତ୍ତାକର୍ଷକ ବିଜୟ ପାଇଁ ନବୀନ ଶୁଭେଚ୍ଛା ଜଣାଇବା ସହିତ ୧୭ତାରିଖରେ ବିଜୟୀ ଦଳ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି।

Comment