ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କରୋନାର ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ୍ ବା ଏକକ ଟିକା ଦିଆଯିବ। ଆମେରିକୀୟ କମ୍ପାନି ଜନସନ୍ ଆଣ୍ଡ ଜନସନ୍ ପକ୍ଷରୁ ତିଆରି ହୋଇଥିବା କରୋନାର ଏହି ସିଙ୍ଗଲ ଡୋଜ୍‌ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି। ଏନେଇ ଶନିବାର କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି।ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ରଭାବେ ବ୍ୟବହାର କରାଯାଉଥିବା ଟିକା ଏବେ ଦୁଇଟି ଡୋଜରେ ଲୋକଙ୍କୁ ଦିଆଯାଉଛି। ଏହାଦ୍ଵାରା ଗୋଟିଏ ଡୋଜ୍ ନେବାର କିଛିଦିନ ବ୍ୟବଧାନ ପରେ ପୁଣିଥରେ ଆଉ ଏକ ଡୋଜ୍ ନେବାକୁ ପଡିଥାଏ। ଏହି ପ୍ରକ୍ରିୟାରେ ଅଧିକ ସମୟ ଲାଗୁଥିବା ବେଳେ ଦେଶରେ ବିଭିନ୍ନ ସ୍ଥାନରେ ଟିକାର ଅଭାବ ମଧ୍ୟ ଦେଖାଦେଉଛି। ତେବେ ଜନସନ୍ ସିଙ୍ଗଲ ଡୋଜ୍ ଟିକା ଦ୍ଵାରା ଦେଶରେ ଆଉ ଟିକାର ଅଭାବ ରହିବ ନାହିଁ କି ଦ୍ଵିତୀୟ ଡୋଜ ପାଇଁ ଲୋକଙ୍କୁ ଅଯଥା ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଗୋଟିଏ ଥରରେ ସମସ୍ତଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇପାରିବ। ଏହାଦ୍ଵାରା ଉଭୟ ଜନସାଧାରଣ ଓ ସରକାର ମଧ୍ୟ ଆଶ୍ୱସ୍ତି ପାଇବେ। ତେଣୁ ଏହି ଏକକ ଟିକା ସମୂହ ଟିକାକରଣ କ୍ଷେତ୍ରରେ ନିଶ୍ଚିତରେ ଏକ ମାଇଲଖୁଣ୍ଟ ହେବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।ଭାରତରେ ପ୍ରଥମଥର ପାଇଁ ଏପରି ଏକ ସିଙ୍ଗଲ ଡୋଜ୍ ବା ଏକକ ଟିକା ଦିଆଯିବ। କାରଣ ପୂର୍ବରୁ କୌଣସି କମ୍ପାନି ସିଙ୍ଗଲ ଡୋଜ୍‌ ଟିକାର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିନଥିଲେ। ତେଣୁ ଅଗଷ୍ଟ ୫ରେ ଜନସନ୍ ଆଣ୍ଡ ଜନସନ୍‌ ଭାରତରେ ତା’ର ସିଙ୍ଗଲ ଡୋଜ୍‌ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିଲା।ପୂର୍ବରୁ ବିଭିନ୍ନ ସଂସ୍ଥା, ଜନସନ୍‌ର ସିଙ୍ଗଲ ଡୋଜ କରୋନା ଟିକାକୁ ନେଇ କ୍ଲିନକାଲ ଟ୍ରାଏଲ ଶେଷ କରିଛନ୍ତି। ଏହି ପରୀକ୍ଷଣରୁ ଜନସନ୍ ସିଙ୍ଗଲ ଡୋଜ୍‌ ଟିକା କରୋନା ଭୂତାଣୁ କ୍ଷେତ୍ରରେ ୮୫ ପ୍ରତିଶତ ପ୍ରଭାବୀ ବୋଲି ଜଣାପଡ଼ିଛି। ଏହି ଟିକା କରୋନାର ବିଭିନ୍ନ ଭାରିଏଣ୍ଟକୁ ନାଶ କରିବାରେ ଫଳପ୍ରଦ ହେଉଥିବା ବେଳେ ଆକ୍ରାନ୍ତଙ୍କୁ ଗୁରୁତର ହେବାରୁ ମଧ୍ୟ ରକ୍ଷା କରୁଛି। ଜନସନ୍ ଟିକା ନେବାର ୨୮ ଦିନ ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେଉଛି। ତେଣୁ ଭାରତରେ ଏହାର ବ୍ୟବହାର ଏକ ଗେମ ଚେଞ୍ଜର ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Comment