ଅଭିପ୍‌ସା ବରାଳ

ଓଡ଼ିଶାର ପୁଅ ପ୍ରମୋଦ ଭଗତ। ନିଜର ସଙ୍ଘର୍ଷ ଓ ସଫଳତା ପାଇଁ ବିଶ୍ଵ କ୍ରୀଡ଼ା ଦରବାରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି ସମସ୍ତେ ତାଙ୍କୁ ‘ବିଶ୍ଵ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ’ ନାମରେ ଜାଣନ୍ତି।

ଆତ୍ମ ବିଶ୍ଵାସ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍ ମାନିଥାଏ ସବୁ ବାଧକ। ଯଦି ମନରେ କୌଣସି ଜିନିଷ କରି ଦେଖାଇବାର ଜିଦ୍ ରହିବ, ତେବେ କୌଣସି ବି ଅସମ୍ଭବ କାମ ଜଣେ ସମ୍ଭବ କରିପାରିବ। ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଓଡ଼ିଆ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ।

ଥରେ କିମ୍ବା ଦୁଇ ଥର ନୁହେଁ ତିନି ତିନିଥର ମେଡାଲ ଜିତି ବିଶ୍ଵ ଦରବାରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରାଜ୍ୟ ଏବଂ ଦେଶକୁ ମଧ୍ୟ ଗୌରବାନ୍ଵିତ କରିଛନ୍ତି ପ୍ରମୋଦ। ଏବେ ତାଙ୍କର ପରିଚୟ ଖାଲି ଓଡ଼ିଆ ପୁଅ କିମ୍ବା ଓଡ଼ିଶାର ପୁଅ ନୁହେଁ, ଏବେ ସେ ହେଉଛନ୍ତି ବିଶ୍ଵ ଚାମ୍ପିଅନ ପ୍ରମୋଦ ଭଗତ।ଏଭଳି ସଫଳତା ଓ ଟାଇଟଲ୍ ପାଇବା ପାଇଁ ପ୍ରମୋଦଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଅନେକ ପରିଶ୍ରମ କରିବାକୁ ପଡ଼ିଛି। ଏବେବି ସେ ତାଙ୍କର ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ଅଗଷ୍ଟ ୨୪ରେ ଟୋକିଓରେ ଆରମ୍ଭ ହେବାକୁ ଥିବା ପାରା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ।

ଟୋକିଓ ପାରା ଅଲିମ୍ପିକ୍ସରେ ଚମକିବେ ଓଡ଼ିଆ ପୁଅ

ଓଡ଼ିଶାର ବରଗଡ଼ ଜିଲ୍ଲା ଅତାବିରାରେ ୧୯୮୮ ମସିହା ଜୁନ୍ ୪ରେ ପ୍ରମୋଦ ଭଗତଙ୍କ ଜନ୍ମ। ବାପା କୈଳାଶ ଭଗତ ଓ ମା’ କୁସୁମ ଦେବୀଙ୍କର ଗେହ୍ଲା ପୁଅ ହେଉଛନ୍ତି ପ୍ରମୋଦ। ବାପା ମା’ଙ୍କ ବ୍ୟତୀତ ଓଡ଼ିଶା ଏବଂ ଭାରତର ମଧ୍ୟ ଗେହ୍ଲା ପୁଅ ହୋଇପାରିଛନ୍ତି ପ୍ରମୋଦ ଭଗତ। ଏହି ଓଡ଼ିଆ ପୁଅ ଏବେ ଟୋକିଓରେ ଖେଳିବେ। ତାଙ୍କରି ଉପରେ ସମସ୍ତଙ୍କ ନଜର ରହିଛି। ଏମିତିକି ତାଙ୍କଠାରୁ ଦେଶ ପଦକ ଆଶା ରଖିଛି।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଟୋକିଓ ପାରାଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଚାଲିଛି। ଏହି ପାରାଲିମ୍ପିକ୍ସ ଅଗଷ୍ଟ ୨୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୫ରେ ଶେଷ ହେବ। ଏଥିରେ ଭାରତର ୫୪ଜଣିଆ ଦଳ ମୋଟ ୯ଟି କ୍ରୀଡ଼ା ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ।ଦୁବାଇ ପାରା-ବ୍ୟାଡମିଣ୍ଟନ ପୁରୁଷ ଏକକ ଟାଇଟଲ୍ ଜିତିଥିଲେ ପ୍ରମୋଦ

ଦୁବାଇ ପାରା ବ୍ୟାଡମିଣ୍ଟନ ପୁରୁଷ ଏକକ ଟାଇଟଲ୍ ଜିତିଥିଲେ ଓଡିଆ ପୁଅ ପ୍ରମୋଦ ଭଗତ। ବିଶ୍ଵ ପାରା ବ୍ୟାଡମିଣ୍ଟନ ମାନ୍ୟତାର ନମ୍ବର ଓ୍ଵାନ ଖେଳାଳି ହେଉଛନ୍ତି ପ୍ରମୋଦ। ଦୁବାଇରେ ହୋଇଥିବା ମ୍ୟାଚରେ ଭାରତର ଅନ୍ୟତମ ଖେଳାଳି ନୀତେଶ କୁମାରଙ୍କ ବିପକ୍ଷରେ ଖେଳି ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ତାହା ପ୍ରମୋଦଙ୍କ ୧୭ ତମ ଅନ୍ତର୍ଜାତୀୟ ପୁରୁଷ ଏକକ ଟାଇଟଲ୍ ଥିଲା।

୧୪ ବର୍ଷ ବୟସରୁ ଖେଳିଥିଲେ ବ୍ୟାଡମିଣ୍ଟନ

ପ୍ରମୋଦ ଛଅ ବର୍ଷ ବୟସରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ। ଫଳରେ ଅନ୍ୟ ପିଲାଙ୍କ ତୁଳନାରେ କୌଣସି କାମ କରିବାକୁ ତାଙ୍କୁ ଟିକେ କଷ୍ଟ ହେଉଥିଲା ସତ, କିନ୍ତୁ ସେ ତାକୁ ନିଜର କମଜୋର୍ ଭାବି ଅଟକି ଯାଇନଥିଲେ।

ପିଲାବେଳେ ପ୍ରତିଦିନ ସେ ନିଜ ସାଙ୍ଗମାନଙ୍କୁ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖୁଥିଲେ। କିନ୍ତୁ ସେ ନିଜେ ଖେଳିପାରୁନଥିବାରୁ ତାଙ୍କ ମନରେ ଆଘାତ ଲାଗୁଥିଲା। କିଛି ବର୍ଷ ଏମିତି ବିତିଗଲା। ଶେଷରେ ୨୦୦୨ ମସିହାରେ ସେ ବି ଖେଳିବେ ବୋଲି ମନରେ ଜିଦ୍ ଧରିଲେ, ଆଉ ତାଙ୍କ ଜିଦ୍ ଆଗରେ ସବୁ କିଛି ଫିକା ପଡ଼ିଥିଲା। ସେହିଠାରୁ ଆରମ୍ଭ ହୋଇଥିଲା ପ୍ରମୋଦଙ୍କ ବ୍ୟାଡମିଣ୍ଟନ ଯାତ୍ରା। ତା’ ପରଠାରୁ ସେ କେବେ ପଛକୁ ଫେରି ଚାହିଁନାହାଁନ୍ତି।ପ୍ରଥମେ ୨୦୦୬ରେ ଜାତୀୟସ୍ତରରେ ଖେଳିଥିଲେ ପ୍ରମୋଦ

ପ୍ରମୋଦ ଯେତେବେଳେ ପ୍ରଥମ ଥର ପାଇଁ ଖେଳିବା ଆରମ୍ଭ କଲେ, ସେତେବେଳେ ସେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ଛାତ ଉପରେ ଅଭ୍ୟାସ କରୁଥିଲେ। ଧିରେଧିରେ ସେହି ଅଭ୍ୟାସ ପ୍ରମୋଦଙ୍କୁ ଗ୍ରାଉଣ୍ଡ ଆଡ଼କୁ ଆକର୍ଷିକ କରିଥିଲା। ଜିଲ୍ଲାସ୍ତରରେ ସକ୍ଷମ ପିଲାଙ୍କ ସହ ଖେଳି ସେମାନଙ୍କୁ ପରାସ୍ତ କରିବାପରେ ଶେଷରେ ୨୦୦୬ ମସିହାରେ ଜାତୀୟସ୍ତରରେ ପ୍ରତିଯୋଗିତାମୂଳକ ପାରା ବ୍ୟାଡମିଣ୍ଟନରେ ଖେଳିଥିଲେ।

ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ଭାବରେ ପ୍ରଥମ ଅର୍ଜୁନ ପୁରସ୍କାର ପାଇଥିବା ଓଡ଼ିଆ ଖେଳାଳି

କୀଡ୍ରା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଅର୍ଜୁନ ପୁରସ୍କାର ଦିଆଯାଇଥାଏ। ଆଥଲେଟ୍ ପ୍ରମୋଦ ଭଗତ ହେଉଛନ୍ତି ଓଡ଼ିଶାର ପ୍ରଥମ ଭିନ୍ନକ୍ଷମ କ୍ରୀଡ଼ାବିତ୍, ଯିଏକି ଅର୍ଜୁନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ପ୍ରମୋଦଙ୍କୁ ମିଶାଇ ରାଜ୍ୟର ୮ଜଣ କ୍ରୀଡ଼ାବିତ୍ ଏହି ପୁରସ୍କାର ପାଇସାରିଛନ୍ତି।

ପ୍ରମୋଦ ନିଜର ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଥମେ ଜିଲ୍ଲାସ୍ତରୀୟ ଓ ପରେ ବିଶ୍ଵ ସ୍ତରୀୟ ଚାମ୍ପିଅନ ହୋଇପାରିଛନ୍ତି।ନିଜ କ୍ୟାରିୟରରେ ଅର୍ଜନ କରିଥିବା ପଦକ

ପ୍ରମୋଦ ନିଜ କ୍ୟାରିୟର ଭିତରେ ଅନେକ ପଦକ ରାଜ୍ୟ ଏବଂ ଦେଶକୁ ଉପହାର ଦେଇଛନ୍ତି। ସେ ଜାତୀୟ ସ୍ତରରେ ୩୦ଟି ସ୍ୱର୍ଣ୍ଣ ୧୪ଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି। ଏଥିସହ ୨୦୧୯ ଅଗଷ୍ଟ ମାସ ସୁଧା ଅନ୍ତର୍ଜାତୀୟ ସ୍ତରରେ ୧୮ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତିଥିଲେ। କେବଳ ୨୦୧୯ ମସିହାରେ ହିଁ ସେ ୧୦ଟି ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି।

Comment