ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ସ୍ଥିତି ଆସ୍ତେ ଆସ୍ତେ ସୁଧୁରୁଛି। କୋଭିଡର ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିବା ପରେ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ ସୋମବାର ରାଜ୍ୟରୁ ୭୨୦ଟି ନୂଆ ପଜିଟିଭ କେସ୍ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ଶୂନରୁ ୧୮ ବର୍ଷ ବୟସର କେବଳ ୯୬ଟି କେସ୍ ରହିଛି। ସେହିପରି କ୍ଵରେଣ୍ଟାଇନ ସେଣ୍ଟରରୁ ୪୨୧ ଜଣ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୨୯୯ ଜଣ।

ରାଜ୍ୟରେ ୧୮ ବର୍ଷରୁ କମ୍ ବୟସ୍କ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଅଗଷ୍ଟ ୧୪ରୁ ସରକାର ଦୈନିକ କରୋନା ରିପୋର୍ଟରେ ସେହି ବର୍ଗର ତଥ୍ୟ ପ୍ରଦାନ କରୁଛନ୍ତି। ସରକାରୀ ତଥ୍ୟ ଅନୁସାରେ ଅଗଷ୍ଟ ୧୪ରେ ରାଜ୍ୟରୁ ଶୂନରୁ ୧୮ ବର୍ଷ ବର୍ଗର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮ ରହିଥିବା ବେଳେ ଅଗଷ୍ଟ ୧୫ରେ ଥିଲା ୧୦୪।ସରକାରଙ୍କ ସମନ୍ଵିତ ପଦକ୍ଷେପ ଓ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଗତ କିଛି ଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର କମିବାରେ ଲାଗିଛି। କରୋନା କେସ୍ ଖସୁଥିବାରୁ ସରକାର କଟକଣା କୋହଳ କରିଛନ୍ତି। କିନ୍ତୁ ଆଗକୁ ପାର୍ବଣ ଋତୁ ଆସୁଛି। ଇତିମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ମଧ୍ୟ ଖୋଲିସାରିଛି। ତେଣୁ ଏବେ ସୁଧାର ସ୍ଥିତିରେ ଥିବା ସଂକ୍ରମଣ ପୁଣି ପୂର୍ବ ପରି ପିକ୍କୁ ଚାଲିଯିବାର ସମ୍ଭାବନା ଦେଖାଗଲାଣି। ଏଣୁ ଢିଲା ନ ଦେଇ ସମସ୍ତେ କୋଭିଡ୍ ଉପଯୋଗୀ ନିୟମ ମାନିଲେ ହିଁ ମହାମାରୀ ଦାଉରୁ ରକ୍ଷା ମିଳିବ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି।ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ କହିବା ଅନୁଯାୟୀ, ଦେଶରେ ମାତ୍ର ୧୨ ପ୍ରତିଶତ ଶିଶୁ କରୋନା ଆକ୍ରାନ୍ତ ହେଉଛନ୍ତି। ଶିଶୁମାନେ ଆକ୍ରାନ୍ତ ହେଲେ ମଧ୍ୟ ତାଙ୍କଠାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉନାହିଁ, ଯାହାକି ଆଶ୍ଵସ୍ଥିର କଥା। ମାତ୍ର ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା, ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଟିକା ଦିଆଯାଇ ନଥିବାରୁ ସେମାନଙ୍କ ସଂକ୍ରମଣ ସମ୍ଭାବନା ଅଧିକ ରହୁଛି।ସେହିପରି ଜଣେ ଶିଶୁରୋଗ ବିଶେଷଜ୍ଞ କହିଛନ୍ତି ଯେ, ବଡ଼ଙ୍କ ପରି ଛୋଟପିଲାମାନେ ମଧ୍ୟ କରୋନା ନିୟମ ମାନି ଚଳିବା ଉଚିତ୍। ଯଦିଓ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ତେଣୁ ସେମାନଙ୍କୁ ସଂକ୍ରମଣ ଆଶଙ୍କା କମ୍ ରହିଛି। ତଥାପି କରୋନା ସତର୍କତା ନମାନିଲେ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବ ଏଥିରେ ଦ୍ଵିମତ ନାହିଁ।

Comment