ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାରେ ଖସୁଛି କରୋନା ମିଟର
  • ବଢୁଛି ୧୮ ବର୍ଷରୁ କମ୍ ବୟସ୍କ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
  • କୋଭିଡ ତୃତୀୟ ଲହରରେ ପିଲାଙ୍କୁ ବେଶୀ ବିପଦ
  • ସେପ୍ଟେମ୍ଵରରୁ ପିଲାଙ୍କ ପାଇଁ ଆସିପାରେ କରୋନା ଟିକା

ଓଡ଼ିଶାର କରୋନା ଗ୍ରାଫ୍ ଏବେ ଖସିବାରେ ଲାଗିଛି। କୋଭିଡର ଦୈନିକ ସଂକ୍ରମଣ ହଜାରେ ପାଖାପାଖି ରହିବା ପରେ ମହାମାରୀ ଦାଉରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ ୧୮ ବର୍ଷରୁ କମ୍ ବୟସ ମଧ୍ୟରେ ଥିବା ପିଲାମାନେ ଅଧିକ ମାତ୍ରାରେ ସଂକ୍ରମିତ ହେଉଥିବା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ପିଲାଙ୍କଠାରେ ସଂକ୍ରମଣ ଏପରି ବଢ଼ିବା, ରାଜ୍ୟକୁ କରୋନାର ତୃତୀୟ ଲହର ଆସିବା ନେଇ ସଙ୍କେତ ଦେଲାଣି ବୋଲି ଚର୍ଚ୍ଚା ହେଉଛି।ରାଜ୍ୟରେ ୧୮ ବର୍ଷରୁ କମ୍ ବୟସ୍କ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଅଗଷ୍ଟ ୧୪ରୁ ସରକାର ଦୈନିକ କରୋନା ରିପୋର୍ଟରେ ସେହି ବର୍ଗର ତଥ୍ୟ ପ୍ରଦାନ କରୁଛନ୍ତି। ଯଦି ଗତ ୧୪ରୁ ୧୮ ତାରିଖ, ପାଞ୍ଚ ଦିନର କରୋନା ରିପୋର୍ଟକୁ ଅନୁଧ୍ୟାନ କରାଯାଏ ତେବେ ଏହି ୫ ଦିନରେ ରାଜ୍ୟରୁ ମୋଟ୍ ୪,୬୮୦ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଯେଉଁଥିରୁ ୧୮ ବର୍ଷରୁ କମ୍ ବୟସ୍କ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୦୪।

ଅଗଷ୍ଟ ୧୪ରେ ରାଜ୍ୟରୁ ମୋଟ୍ ୬୯,୦୩୫ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୧୦୫୮ଟି ନମୁନା କରୋନା ପଜିଟିଭ୍ ଆସିଥିଲା, ଯେଉଁଥିରେ ୧୮ ବର୍ଷରୁ କମ୍ ବୟସର ୧୩୮ ଜଣ କରୋନା ଆକ୍ରାନ୍ତ ଥିଲେ। ସେହିପରି ୧୫ରେ ରାଜ୍ୟରୁ ମୋଟ୍ ୬୨,୧୧୯ଟି ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୮୬୮ଟି ପଜିଟିଭ୍ ଆସିଥିବା ବେଳେ ୧୮ ବର୍ଷରୁ କମ୍ ବୟସ୍କ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୦୪।

ସେହିକ୍ରମରେ ୧୬ରେ ରାଜ୍ୟରୁ ମୋଟ୍ ୫୦,୭୨୭ଟି ନମୁନା ପରୀକ୍ଷା ହୋଇଥିଲା। ଯେଉଁଥିରୁ ୭୨୦ଟି ନମୁନା ପଜିଟିଭ୍ ଆସିଥିଲା। ଏଥିମଧ୍ୟରେ ୧୮ ବର୍ଷରୁ କମ୍ ୯୬ ଜଣ ଆକ୍ରାନ୍ତ ରହିଥିଲେ। ସେହିପରି ୧୭ରେ ମୋଟ୍ ୬୯,୦୦୮ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିରେ ୧୮ ବର୍ଷରୁ କମ୍ ବୟସ୍କ ୧୩୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୯୯୩। ଏହାପରେ ୧୮ରେ ରାଜ୍ୟରୁ ୬୬,୨୮୧ଟି ନମୁନା ପରୀକ୍ଷା କରାଇଥିଲା। ଏଥିର୍ ମୋଟ୍ ଆକ୍ରାନ୍ତ ଥିଲେ ୧୦୪୧ ଜଣ। ସେହିପରି ୧୮ ବର୍ଷରୁ କମ୍ ବୟସର ଥିଲେ ୧୨୮ ଜଣ।  ତୃତୀୟ ଲହରରେ ଶିଶୁଙ୍କୁ ଅଧିକ ବିପଦ

କରୋନାର ପ୍ରଥମ ଏବଂ ଦ୍ଵିତୀୟ ଲହର ପରେ ଆଗକୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ତେବେ ଏହି ଲହରରେ ପିଲାମାନେ ବିଶେଷଭାବେ ପ୍ରଭାବିତ ହେବେ ବୋଲି ସେମାନେ କହିଛନ୍ତି। କାରଣ ଦେଶରେ ଏବେ କେବଳ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଇଛି। ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଟିକାକରଣ ବ୍ୟବସ୍ଥା ହୋଇନାହିଁ। ତେଣୁ ପିଲାମାନେ ତୃତୀୟ ଲହରରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଅନେକ।

ଅନ୍ୟପଟେ ତୃତୀୟ ଲହର ପିଲାଙ୍କୁ ଅଧିକ ସଂକ୍ରମିତ କରିବାର ସମ୍ଭାବନା ରଖୁଥିଲେ ହେଁ, ଏହା ସେମାନଙ୍କ ପାଇଁ ଅତ୍ୟଧିକ ଗୁରୁତର ସ୍ଵାସ୍ଥ୍ୟାବସ୍ଥା ସୃଷ୍ଟି କରିବ ନାହିଁ ବୋଲି ମଧ୍ୟ ଅନେକ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। କାରଣ ବଡ଼ମାନଙ୍କ ଅପେକ୍ଷା ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ। ତେଣୁ ସେମାନେ କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ବେଶୀ ଗୁରୁତର ଅବସ୍ଥାକୁ ଯିବାର ସମ୍ଭାବନା କମ୍।ସେପ୍ଟେମ୍ଵରରେ ପିଲାଙ୍କ ପାଇଁ କରୋନା ଟିକା

ଗୋଟିଏ ପଟେ ପିଲାମାନଙ୍କୁ କରୋନା ଟିକା ଦେବାକୁ ଅନୁମତି ମିଳି ନଥିବା ବେଳେ ଅନ୍ୟପଟେ ତୃତୀୟ ଲହରରେ ପିଲାମାନେ କରୋନାରେ ବେଶୀ ଆକ୍ରାନ୍ତ ହେବା ନେଇ ଶଙ୍କା ପ୍ରକାଶ ପାଉଛି। ତେଣୁ ପିଲାମାନଙ୍କୁ ମଧ୍ୟ କରୋନା ଟିକା ଦେବାପାଇଁ ଅନୁମତି ଦେବାକୁ ବିଭିନ୍ନ ମହଲରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହାରି ମଧ୍ୟରେ ପିଲାଙ୍କୁ କରୋନା ଟିକା ଦେବା ନିମନ୍ତେ ଯୋଗ୍ୟ ଟିକାର ପରୀକ୍ଷଣ ସଫଳ ହୋଇଥିବା ଟିକା କମ୍ପାନି ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ କହିଛି। ଏଥିଲାଗି ଦେଶରେ ପିଲାଙ୍କୁ ଟିକା ଦେବା ପାଇଁ ଅନୁମତି ଦେବାକୁ ସରକାରଙ୍କୁ, କମ୍ପାନି ଏକ ପ୍ରସ୍ତାବ ମଧ୍ୟ ଦେଇଛି।

Comment