ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପବିତ୍ର ଜନ୍ମାଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ଧୁମଧାମର ସହ ପାଳନ କରିଛନ୍ତି। ଏହି ଅବସରରେ ଜିଲ୍ଲାର ସମସ୍ତ ମଠ, ମନ୍ଦିର ଓ ପୁରପଲ୍ଲୀ ଆଦି ସବୁଠାରେ ଆନନ୍ଦ ଓ ଉତ୍ସାହର ବାତାବରଣ ଦେଖିବାକୁ ମିଳିଥିଲା।

ପବିତ୍ର ଜନ୍ମାଷ୍ଟମୀରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ପରିଲକ୍ଷିତ ହୋଇଥିଲା। ସକାଳୁ ସକାଳୁ ଭକ୍ତଜନ ମଠ ମନ୍ଦିରରେ ପହଞ୍ଚି ଭଗବାନ ଶ୍ରୀକୃଷ୍ଣକୁ ଦର୍ଶନ କରିବା ସହିତ ପୂଜା ଆରାଧନା କରିଥିଲେ। ଏହି ଅବସରରେ ଜିଲ୍ଲାର ସମସ୍ତ ଶ୍ରୀରାଧାକୃଷ୍ଣ ମନ୍ଦିର, ଓଡ଼ଗାଁ ଶ୍ରୀରଘୁନାଥଜୀଉ ମନ୍ଦିର, କଣ୍ଟିଲୋର ଶ୍ରୀମାଧବ, ମୁଣ୍ଡିଆପଡ଼ାର ଶ୍ରୀରଘୁନାଥ ଆଶ୍ରମ ଠାରୁ ଆରମ୍ଭ କରି ପୁରପଲ୍ଲୀର ଭାଗବତ ଟୁଙ୍ଗୀ ଏବଂ ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ହିନ୍ଦୁ ଧର୍ମର ଏହି ସ୍ୱତନ୍ତ୍ର ପର୍ବରେ ଅନେକ ବ୍ରତଧାରୀ ଉପବାସ ରଖିଥିଲେ। ଏଥିପାଇଁ ସ୍ୱତନ୍ତ୍ର ପୂଜା ନୀତି ସାଙ୍ଗକୁ ବିଭିନ୍ନ ସ୍ଥାନରେ ହରିନାମ ଭଜନ କୀର୍ତ୍ତନର ଆୟୋଜନ କରାଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଜନ୍ମାଷ୍ଟମୀ ପର୍ବ ପାଳନ କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ବିଶ୍ୱହିନ୍ଦୁପରିଷଦ ପକ୍ଷରୁ ଜନ୍ମାଷ୍ଟମୀରେ ସ୍ୱାମୀ ଲକ୍ଷ୍ମାଣାନନ୍ଦ ସରସ୍ୱତୀଙ୍କ ନିଧନ ତିଥିକୁ ବଳିଦାନ ଉତ୍ସବ ରୂପେ ପାଳନ କରାଯାଇଛି।

Comment