ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର-ନଭେମ୍ଵରରେ କରୋନାର ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବରୁ ସତର୍କ କରାଇଥିଲେ। ହେଲେ ଏବେ ଦେଶରେ ଆଉ କୌଣସି ନୂଆ କୋଭିଡ ଭ୍ୟାରିଆଣ୍ଟ ମିଳିନାହିଁ। ତେଣୁ ତୃତୀୟ ଲହର ଆସିବାର ସମ୍ଭାବନା ଖୁବ୍ କମ୍। ପ୍ରଥମ ଏବଂ ଦ୍ୱିତୀୟ ଲହର ମଧ୍ୟରେ ଥିବା ବ୍ୟବଧାନକୁ ହିସାବକୁ ନେଇ ଏଭଳି ଆକଳନ କରିଛନ୍ତି ବିଶେଷଜ୍ଞ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ କରାଯାଇଥିବା ଅନ୍ୟାନ୍ୟ ଅଧ୍ୟୟନରୁ ଭାଇରସ ମ୍ୟୁଟେଟ ହେବା ନେଇ କୌଣସି ସଙ୍କେତ ମିଳି ନାହିଁ। ତେଣୁ ତୃତୀୟ ଲହରର ଆଶଙ୍କା ବିଶେଷତଃ ନାହିଁ।ଅନ୍ୟପଟେ ଜେନୋମିକ୍ ସିକ୍ୱେନ୍ସିଂରୁ ଜଣାପଡ଼ିଛି ଯେ, ଭାଇରସ୍ ଆଉ ତାର ରୂପ ବଦଳାଉ ନାହିଁ। ତେଣୁ ଯଦିଓ ସଂକ୍ରମଣ ରହିବ ତେବେ ତାହା ସେଭଳି ବ୍ୟାପକ ହେବାର ସମ୍ଭାବନା ନାହିଁ। ତଥାପି କୋଭିଡର ଆଚରଣକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରି ସୁଦ୍ଧା ଦେଶର ସବୁ ନାଗରିକଙ୍କର ଟିକାକରଣ ହେବା ଜରୁରୀ ବୋଲି ବିଷେଶଜ୍ଞମାନେ କହିଛନ୍ତି।  ଦେଶରୁ ତୃତୀୟ ଲହରର ଆଶଙ୍କା ଟଳିଥିବା ବେଳେ କରୋନା ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଇତି ମଧ୍ୟରେ ରାଜ୍ୟରେ କୋଟିଏରୁ ଅଧିକ ଲୋକ କୋଭିଡ ଟିକାର ଉଭୟ ଡୋଜ ନେଇସାରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। କୋଭିଡକୁ ନିୟନ୍ତ୍ରଣରେ ରଖିବା ପାଇଁ ହେଲେ ସମୂହ ଟିକାକରଣ ନିତାନ୍ତ ଜରୁରୀ ବୋଲି କୁହାଯାଇଥିଲା। ସେହି ଦୃଷ୍ଟିରୁ ଆମେ ଏକ ପ୍ରକାର ସୁରକ୍ଷିତ ସ୍ଥିତିରେ ପହଞ୍ଚିଛୁ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comment