ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ
  • ପିଲାଙ୍କ ପାଇଁ କରାଯାଇଛି ୧,୧୭୯ ବେଡ୍ ବ୍ୟବସ୍ଥା
  • ଆବଶ୍ୟକ ହେଲେ ବଢ଼ିବ ବେଡ୍ ସଂଖ୍ୟା

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ନିଜ କାୟା ବିସ୍ତାର କରିବା ଆରମ୍ଭ କରିଛି। କରୋନାର ତୃତୀୟ ଲହର ପିଲାଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ରହିଛନ୍ତି। ଶିଶୁଙ୍କ ପାଇଁ ବର୍ତ୍ତମାନ ୧,୧୭୯ଟି ବେଡ୍ ବ୍ୟବସ୍ଥା କରାଯାଇଛି। ଏଗୁଡିକ ମଧ୍ୟରେ ୯୩୭ଟି ଜେନେରାଲ, ୨୪୨ଟି ଆଇସିୟୁ ଏବଂ ୧୧୦ଟି ଭେଣ୍ଟିଲେଟର ରହିଛି। ଆବଶ୍ୟକ ପଡ଼ିଲେ ବେଡ ସଂଖ୍ୟା ବୃଦ୍ଧି କରାଯିବ। ଟିକାକରଣକୁ ଅଗ୍ରଗତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଓମିକ୍ରନ ସ୍ଥିତି ସମ୍ପର୍କରେ ସମୀକ୍ଷା କରି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ କହିଛନ୍ତି।

କରୋନାର ପ୍ରଥମ ଲହରରେ ଅଧିକାଂଶ ପ୍ରାପ୍ତ ବୟସ୍କ ଆକ୍ରାନ୍ତ ହୋଇଥିଲେ। ଦ୍ଵିତୀୟ ଲହର ସମୟରେ ଅଧିକାଂଶ ଯୁବପିଢ଼ି ଆକ୍ରାନ୍ତ ହେବା ସହ ଅନେକ ପ୍ରାଣ ହରାଇଥିଲେ। ତୃତୀୟ ଲହର ଶିଶୁମାନଙ୍କ ପାଇଁ କ୍ଷତିକାରକ ହେବ ବୋଲି ପୂର୍ବରୁ ଆକଳନ କରାଯାଇଛି। ଏବେ ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ଏହାକୁ ନେଇ ରାଜ୍ୟ ସରକାର ଚିନ୍ତାବ୍ୟକ୍ତ କରିଛନ୍ତି।

ରାଜ୍ୟରେ ଓମିକ୍ରନ ଉପର ମୁହାଁ ହେବା ସହ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। ଲଗାତର ଦୁଇଦିନ ହେଲା ରାଜ୍ୟର ଦୈନିକ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪୨୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment