ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପ୍ରଥମ ଓମିକ୍ରନ ମୃତ୍ୟୁ ମାମଲା ଗୁରୁବାର ସାମ୍ନାକୁ ଆସିଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଅଞ୍ଚଳର ଓମିକ୍ରନ ଆକ୍ରାନ୍ତ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହିଳାଙ୍କର ଗତ ଡିସେମ୍ବର ୨୭ ତାରିଖରେ ମୃତ୍ୟୁ ହୋଇଥିଲ। ଜିନମ ସିକୁଏନ୍ସି ରିପୋର୍ଟ ଆସିବା ପରେ ସେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ମହିଳା ଜଣକ ଅସୁସ୍ଥ ହୋଇ ଗତ ଡିସେମ୍ବେର ୨୨ ତାରିଖ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। ଡିସେମ୍ବର ୨୩ ତାରିଖରେ ତାଙ୍କର କୋଭିଡ ପଜିଟିଭ ରିପୋର୍ଟ ଆସିଥିଲା। ୨୭ ତାରିଖ ତାଙ୍କର ମୃତ୍ୟୁ ହୋଇଥିଲା। ଜାନୁଆର ୫ ତାରିଖ ରିପୋର୍ଟ ଆସିଥିବା ପରେ ମୃତ ମହିଳାଙ୍କୁ ଓମିକ୍ରନ ହୋଇଥିବା ଜଣାପଡିଲା ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ନେହଲତା ସାହୁ। ଓମିକ୍ରନ ଯୋଗୁଁ ନା ହୃତଘାତରେ ମହିଳାଙ୍କର ମୃତ୍ୟୁ ହୋଇଛି ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି।

ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ସତ୍କାର କାମ ଶେଷ କରିଥିଲେ। ଆଜି ଏହି ଖବର ଜଣାପଡ଼ିବା ପରେ ମୃତକଙ୍କ ଗାଁରେ କୋକୁଆ ଭୟ ଖେଳି ଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଶବ ସତ୍କାରରେ ସାମିଲ ହୋଇଥିବା ଲୋକଙ୍କୁ କୋଭିଡ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶାରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଥିବା ବେଳେ ୪ ଜଣ ସୁସ୍ଥ ହୋଇଛନ୍ତି।

Comment