ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ଼ କଟକଣା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ ଲାଇନ୍ ଅନୁସାରେ ଶୁକ୍ରବାର ରାତି ୯ଟା ଠାରୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ। ରାସ୍ତା କଡ଼ରେ ଥିବା ସମସ୍ତ ଦୋକାନ, ବଜାର, ମଲ୍, ହୋଟେଲ, ରେସ୍ତୋରାଁ ଏବଂ ବାର୍ ଆଦି ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଜରୁରୀ ସେବାଗୁଡ଼ିକ ବନ୍ଦ କରାଯିବ ନାହିଁ। କଟକ-ଭୁବନଶ୍ଵର ଟ୍ଵିନ ସିଟିରେ ଯାଞ୍ଚ କାର୍ଯ୍ୟକୁ କଡ଼ାକଡ଼ି କରାଯିବ। ଯାଞ୍ଚ କାର୍ଯ୍ୟ ପାଇଁ ପ୍ରତି ଛକରେ ପୋଲିସ୍ ଫୋର୍ସ ମୁତୟନ ରହିବେ।

କଟକ ଓ ଭୁବନଶ୍ଵରର ପ୍ରମୁଖ ସ୍ଥାନଗୁଡ଼ିକରେ ଯାଞ୍ଚ କାର୍ଯ୍ୟ ପାଇଁ ୨୫ ପ୍ଲାଟୁନ ପୋଲିସ୍ ଫୋର୍ସ ଓ ୧୦୦ରୁ ଅଧିକ ପୋଲିସ ଅଧିକାରୀ ମୁତୟନ ରହିବେ। ଆଇନ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ-ଭୁବନେଶ୍ଵର ଟ୍ଵିନ ସିଟି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରୟିଦର୍ଶୀ ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟାରେ ବୃଦ୍ଧି ହେଉଛି। ବର୍ତ୍ତମାନ ତୃତୀୟ ଲହର ଆରମ୍ଭ ହୋଇଥିବାରୁ ସମସ୍ତଙ୍କୁ କୋଭିଡ ନିୟମକୁ ମାନି ଚଳିବାକୁ ପଡ଼ିବ। ଜନସାଧାରଣଙ୍କର ସହଯୋଗ ରହିଲେ କୋଭିଡ ମହାମାରୀର ମୁକାବିଲା କରିହେବ ବୋଲି ଟ୍ଵିନ ସିଟି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗତ ୫ ତାରିଖ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ ଗାଇଡ ଲାଇନ ଜାରି କରାଯାଇଥିଲା। ନୂତନ ଗାଇଡ ଲାଇନ ଆଜିଠାରୁ କାର୍ଯ୍ୟକାରୀ ହେବ। ଜାନୁଆରୀ ୭ରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ କଟକଣା ଲାଗୁ କରାଯିବ।

Comment