ଓଡ଼ିଶାଲାଇଭ୍ ବ୍ୟୁରୋ

home isolation-2

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ପୂର୍ବ ଭ୍ୟାରିଏଣ୍ଟ ଡେଲ୍ଟା ପରି କ୍ଷତିକାରକ ହୋଇନଥିବେଲେ ମଧ୍ୟ ଏହା ଦ୍ରୁତ ସଂକ୍ରମକ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଅଣାୟତ ଦିଗକୁ ଗତି କରୁଛି କରୋନାର ସ୍ଥିତି। ଦିନକୁ ଦିନ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣାକୁ କଡ଼ାକଡ଼ି କରାଯାଇଛି। ଏହି ପରିସ୍ଥିତିରେ ଯଦି କେହି କୋଭିଡ ଆକ୍ରାନ୍ତ ହୁଅନ୍ତି ତେବେ ସେମାନେ ଘରେ ରହି ନିଜର ଯତ୍ନ କିପରି ନେଇପାରିବେ। ସାମାନ୍ୟ ଲକ୍ଷଣ ରହିଥିବା କୋଭିଡ ଆକ୍ରାନ୍ତ ହିଁ ହୋମ ଆଇସୋଲେସନରେ ରହି ନିଜର ଯତ୍ନ ନେଇପାରିବେ। ହୋମ ଆଇସୋଲେସନ ସମୟରେ କିପରି ନିଜର ଯତ୍ନ ନେବେ, କ’ଣ କରିବେ ନ କରିବେ?  କ’ଣ ଖାଇବେ ଆଉ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଆସନ୍ତୁ ଜାଣିବା।

ହୋମ ଆଇସୋଲେସନ ସମୟରେ କେଉଁ ନିମୟମ ପାଳନ କରିବେ ଆକ୍ରାନ୍ତ?

ହୋମ ଆଇସୋଲେସନ ସମୟରେ କୋଭିଡ ଆକ୍ରାନ୍ତ ବ୍ୟକ୍ତି ଘରେ ରହିବେ। କିନ୍ତୁ ପରିବାର ସଦସ୍ୟଙ୍କଠାରୁ ଦୂରେଇ ରହିବେ। ଘରର ଏପରି ଏକ କୋଠରିରେ ରହିବା ଦରକାର ଯେଉଁଠାରେ ପବନ ଯିବା ଆସିବା କରୁଥିବ। ଆକ୍ରାନ୍ତ ଅଲଗା ଟଏଲେଟ ବ୍ୟବହାର କରିବେ। କେବଳ ଆକ୍ରାନ୍ତ ନୁହଁନ୍ତି ପରିବାର ସଦସ୍ୟ ମଧ୍ୟ ସେତିକି ସତର୍କ ଏବଂ ସଜାଗ କରିବା ଆବଶ୍ୟକ। ଆକ୍ରାନ୍ତଙ୍କ ଯତ୍ନ ନେବା ପାଇଁ ପରିବାର ସଦସ୍ୟ ୨୪ ଘଣ୍ଟା ଧ୍ୟାନ ଦେବା ଆବଶ୍ୟକ। ସାମାନ୍ୟ ଲକ୍ଷଣ ଯୁକ୍ତ କୋଭିଡ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଲେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଦରକାର।   

ହୋମ ଆଇସୋଲେସନରେ ଥିଲେ କ’ଣ କରିବେ ?

ହୋମ ଆଇସୋଲେସନରେ ରହିବା ସମୟରେ କୋଭିଡ ଆକ୍ରାନ୍ତ ଘରର ଝରକା କବାଟ ଖୋଲା କରି ରହିବେ। ତିନି ଲେୟର ଯୁକ୍ତ ମାସ୍କ ପିନ୍ଧିବେ। ବ୍ୟବହୃତ ମାସ୍କକୁ ୬ରୁ ୮ ଘଣ୍ଟା ବ୍ୟବଧାନରେ ବଦଳାଇବେ। ହାତକୁ ସାବୁନ କିମ୍ବା ହ୍ୟାଣ୍ଡଓ୍ଵାସରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବେ। ନିଜର ବାସନ କୁସନ, ଟାଓ୍ଵେଲ, ଚାଦର, ବିଛଣା ଆଦି ଅଲଗା ରଖିବେ। ଦିନକୁ ଦୁଇଥର ନିଜର ଶରୀରର ତାପମାତ୍ରା ଏବଂ ଅକ୍ସିଜେନ ମାପ କରିବେ। ଶରୀରରେ ତାପମାତ୍ରା ୧୦୦ ଅତିକ୍ରମ କଲେ ତୁରନ୍ତ ଡାକ୍ତରଖାନାକୁ ଯିବା ଦରକାର।

oxygen_covid19_india

ଅକ୍ସିଜେନ ସ୍ତର SpO2 ରେଟ ୯୪ ତଳକୁ ଖସିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆଇସୋଲେସନ ସମୟରେ ମଦ, ଧୂମ୍ରପାନ ଏବଂ ଅନ୍ୟାନ୍ୟ ନିଶାଠାରୁ ଦୂରେଇ ରହିବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ସହ କୋଭିଡ ନିୟମକୁ ପାଳନ କରିବା ଦ୍ଵାରା କୋଭିଡକୁ ମାତ୍ ଦେଇହେବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

କ’ଣ ଖାଇବେ?

କୋଭିଡ ଆକ୍ରାନ୍ତ ଏହି ସୟରେ ଘର ରନ୍ଧା ଖାଦ୍ୟ ଖାଇବେ। ସତେଜ ଏବଂ ସାଦା ଭୋଜନ ଏହି ସମୟରେ ଶରୀର ପାଇଁ ଭଲ ହୋଇଥାଏ। ମୌସୁମୀ, କମଳା ଖାଇବା ସହ ଡାଲି ଜାତୀୟ ପ୍ରୋଟିନ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ଖାଦ୍ୟରେ ଅଦା, ରସୁଣ ଏବଂ ହଳଦି ପକାଇ ଖାଇବେ। ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଇବା ଦରକାର। ଲୋ ଫ୍ୟାକ୍ଟ ଯୁକ୍ତ କ୍ଷୀର ଏବଂ ଦହି ଖାଇପାରିବେ।

ଏହି ସମୟରେ ଆମିଷ ବାରଣ କରାଯାଇଛି। କିନ୍ତୁ ଯେଉଁମାନେ ଆମିଷ ପ୍ରିୟ ସେମାନେ ସ୍କିନଲେସ ଚିକେନ, ଛୁନାମାଛ ଏବଂ ଅଣ୍ଡା ଖାଇପାରିବେ। ଖାଇବା ପୂର୍ବରୁ ତାକୁ ଭଲ ଭାବେ ସଫା କରି ଖାଇବା ଦରକାର। ଜଣେ କୋଭିଡ ଆକ୍ରାନ୍ତ କମ୍ କଲେଷ୍ଟ୍ରୋଲ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

masur dal

କ’ଣ ଖାଇବା ମନା?

କୋଭିଡ ଆକ୍ରାନ୍ତ ବ୍ୟକ୍ତି ମଇଦା ଯୁକ୍ତ ଖାଦ୍ୟ ଖାଇ ପାରବେ ନାହିଁ। ଯଙ୍କଫୁଡଠାରୁ ଦୂରରେଇ ରହିବା ଭଲ। ଚିପ୍ସ, ପ୍ୟାକେଟ ଜୁସ, ଥଣ୍ଡା ପାନୀୟ, ଖୁଆ, ମଟନ, ଫ୍ରାଏଡ, ପ୍ରୋସେସ୍ଡ ମିଟ ଏବଂ ପାମ୍ ଅଏଲ ଆଦିଠାରୁ ଦୂରେଇ ରହିବା ଭଲ। ଅଣ୍ଡାର କେଶର ସପ୍ତାହକୁ ଥରେ ଖାଇବା ଦରକାର। ସପ୍ତାହକୁ ଦୁଇ ତିନି ଥରରୁ ଅଧିକ ଥର ଆମିଷ ଖାଇପାରିବେ ନାହିଁ।

ହୋମ୍ ଆଇସୋଲେସନର ଅବଧି

ସାଧାରଣ ଭାବେ ହୋମ୍ ଆଇସୋଲେସନର ଅବଧି ରହିଛି ୧୪ ଦିନ। ଯଦି କୋଭିଡ ଆକ୍ରାନ୍ତଙ୍କଠାରେ ୧୦ ଦିନ ପର୍ଯ୍ୟନ୍ତ ଜ୍ଵର ରହିବ ଏବଂ ଅନ୍ୟ କୌଣସି ଲକ୍ଷଣ ନଥିବ ତେବେ ସେ ଡାକ୍ତରଙ୍କ ପରାମର୍ଶ ନେଇ ୧୪ ଦିନ ପୂର୍ବରୁ ଆଇସେଲେସନ ମୁକ୍ତ ହୋଇପାରିବେ।

କେଉଁ ଦିଗ ପ୍ରତି ଧ୍ୟାନ ଦେବେ?

କରୋନା ଭାଇରସ ଶରୀର ସହ ମାନସିକ ଭାବେ ଆକ୍ରାନ୍ତଙ୍କୁ କମଜୋର କରିଦେଇଥାଏ। ତେଣୁ ଏହି ସମୟରେ ଆକ୍ରାନ୍ତଙ୍କୁ ନିଜର ମାନସିକ ସୁସ୍ଥାତା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ନିଜକୁ ଖୁସି ରଖିବା ଦରକାର। ନିଜ ମନ ପସନ୍ଦର ବହି ପଢ଼ିବା ଏବଂ ମୋବାଇଲରେ ପ୍ରିୟଜନଙ୍କ ସହ ଆଳାପ କରି ନିଜକୁ ଖୁସିରେ ରଖିବା। ନିଜକୁ ଏହି ସମୟରେ ଚିନ୍ତା ମୁକ୍ତ ରଖିବା ଆବଶ୍ୟକ। ଯେତେ ସମ୍ଭବ ବିଶ୍ରାମ ନେବା ଜରୁରି।

କେଉଁ ଲକ୍ଷଣ ଉପରେ ଧ୍ୟାନ ଦେବେ?

ସାମାନ୍ୟ ଲକ୍ଷଣ ଯୁକ୍ତ ବ୍ୟକ୍ତି ଯଦି ହୋମ ଆଇସୋଲେସନରେ ରହୁଛନ୍ତି ତେବେ ଅନ୍ୟ ଲକ୍ଷଣ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଆକ୍ରାନ୍ତଙ୍କଠାରେ ଜ୍ଵର ସହ ଯଦି ଶ୍ଵାସ କ୍ରିୟାରେ ସମସ୍ୟା ହୁଏ, ମୁଣ୍ଡ ବିନ୍ଧା ହୁଏ, ମାନସିକ ଭ୍ରମ ହୁଏ କିମ୍ବା ମୁହଁ ନିଳ ପଡେ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଘର ସଦସ୍ୟ ମଧ୍ୟ ସତର୍କ ରହିବେ

ଯଦି ଘରର କୌଣସି ସଦସ୍ୟ କରୋନା ଆକ୍ରାନ୍ତ ହୁଅନ୍ତି ତେବେ ଘରର ଅନ୍ୟ ସଦସ୍ୟ ଯିଏ ସମ୍ପୂର୍ଣ୍ଣ ସୁସ୍ଥ ଥିବେ ସେ ଆକ୍ରାନ୍ତଙ୍କ ଯତ୍ନ ନେଇପାରିବେ। କୋଭିଡ ଆକ୍ରାନ୍ତଙ୍କ ଯତ୍ନ ନେଉଥିବା ବ୍ୟକ୍ତି କ୍ୟାନ୍ସର, ଆସ୍ଥମା, ଡାଏବେଟିସ କିମ୍ବା ବ୍ଲଡପ୍ରେସର ରୋଗୀ ହୋଇନଥିବେ। ଆକ୍ରାନ୍ତଙ୍କ ଯତ୍ନ ନେବା ସମୟରେ ସର୍ବଦା ତିନି ଲେୟର ଯୁକ୍ତି ମାସ୍କ ପିନ୍ଧିବା ଆବଶ୍ୟକ।

ଏହି ସମୟରେ ଆକ୍ରାନ୍ତଙ୍କ ସମେତ ନିଜର ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ। ବାରମ୍ବାର ହାତକୁ ସାବୁନ କିମ୍ବା ହ୍ୟାଣ୍ଡଓ୍ଵାସରେ ଧୁଅନ୍ତୁ। ଆକ୍ରାନ୍ତଙ୍କଠାରୁ ଯେତେ ସମ୍ଭବ ଦୂରତା ରକ୍ଷା କରିବା ଦରକାର। ଆକ୍ରାନ୍ତଙ୍କ ଅଇଁଠା ବାସନ ଉଠାଇବା ସମୟରେ ଡିସପୋଜାଲ ହ୍ୟାଣ୍ଡଗ୍ଳୋବସ୍ ବ୍ୟବହାର କରନ୍ତୁ। ଆକ୍ରାନ୍ତଙ୍କ ରୁମ, ବାଥରୁମ ଏବଂ ଶୌଚାଳୟକୁ ପ୍ରତିଦିନ ଦୁଇଥର ସାନିଟାଇଜ କରନ୍ତୁ। ନିଜ ମୋବାଇଲରେ ଆରୋଗ୍ୟ ସେତୁ ଡାଉନଲୋଡ କରି ୨୪ ଘଣ୍ଟିଆ ନୋଟିଫିକେସନ, ଲୋକେସନ ଟ୍ରାକିଂ ଏବଂ ଜିପିଏସ୍ ଆନ୍ ରଖିବା ଆବଶ୍ୟକ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମ ଓ ଦ୍ଵିତୀୟ ଲହରକୁ ନେଇ ଲୋକଙ୍କ ମନରୁ ଭୟ ନଯାଉଣୁ ପୁଣି ତୃତୀୟ ଲହର ଲୋକଙ୍କୁ ଡରାଇଲାଣି। ଦ୍ଵିତୀୟ ଲହର ଅର୍ଥାତ ଡେଲଟା ଭ୍ୟାରିଏଣ୍ଟରେ ଅନେକ ଯୁବପିଢ଼ି ଆକ୍ରାନ୍ତ ହେବା ସହ କେତେ ଜଣଙ୍କର ମୃତ୍ୟୁ ହୋଇଥିଲା। ତୃତୀୟ ଲହରରେ ୧୮ରୁ କମ୍ ବର୍ଷ ବୟସର ପିଲା କରୋନା ଆକ୍ରାନ୍ତ ହେଉଛନ୍ତି। ଏହାକୁ ନେଇ ଚିନ୍ତା ବଢ଼ିଛି। କୋଭିଡ ନିୟମ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା ଏବଂ ମାସ୍କ ପରିଧାନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

Comment