ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଜଣ ନେବେ ବୁଷ୍ଟର ଡୋଜ 
  • ଦ୍ଵିତୀୟ ଡୋଜ ଟିକାକରଣର ୯ ମାସ ପରେ ବୁଷ୍ଟର ଡୋଜ
  • ୩ ହଜାର ୬୧୬ଟି କେନ୍ଦ୍ରରେ ଚାଲୁ ରହିଛି ଟିକାକରଣ 
  • ସ୍ଵାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ଵ ବହୁବିଧ ରୋଗୀଙ୍କୁ ପ୍ରିକସନ ଡୋଜ

ଦିନକୁ ଦିନ କରୋନାର ସ୍ଥିତି ବିଗିଡ଼ିବାକୁ ଲାଗିଲାଣି। କୋଭିଡ଼ ମୁକାବିଲା ପାଇଁ ସାରା ଦେଶରେ ‘ପ୍ରିକସନ’ ଡୋଜ ଟିକାକରଣ ଆରମ୍ଭ ହୋଇଛି। ଶୁକ୍ରବାରଠାରୁ ରାଜ୍ୟରେ ପ୍ରିକସନ ଡୋଜର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ସ୍ଵାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ଵ ବହୁବିଧ ରୋଗରେ ପୀଡ଼ିତଙ୍କୁ ଏହି ବୁଷ୍ଟର ଡୋଜ ଦିଆଯାଉଛି। ଦ୍ଵିତୀୟ ଡୋଜ କୋଭିଡ ଟିକାକରଣର ୯ ମାସ ଅର୍ଥାତ ୩୯ ସପ୍ତାହ ପରେ ଏହି ଟିକା ଦିଆଯାଇପାରିବ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟର ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଜଣ ଏହି ବୁଷ୍ଟର ଡୋଜ ନେବେ। ଏଥିପାଇଁ ରାଜ୍ୟରେ ମୋଟ ୩ ହଜାର ୬୧୬ଟି କେନ୍ଦ୍ର ଚାଲୁ ରହିଛି। କେବଳ ୧୩୪୦ଟି କେନ୍ଦ୍ର ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ପାଇଁ ରହିଛି। ବୁଷ୍ଟର ଡୋଜ ପାଇଁ ପଞ୍ଜିକରଣ କରାଇବାର ଆବଶ୍ୟକତା ନାହିଁ। କେବଳ ସ୍ଲଟ ବୁକ୍ କରି ଟିକାକରଣ କରାଯାଇପାରିବ। ବୟସ୍କଙ୍କୁ କୌଣସି ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ଯେଉଁମାନଙ୍କର ଦ୍ଵିତୀୟ ଡୋଜକୁ ୯ ମାସ ପୂରଣ ହୋଇଛି ସେମାନଙ୍କ ମୋବାଇଲକୁ CoWin ପୋର୍ଟାଲୁ ଏସ୍ଏମ୍ଏସ୍ ପଠାଯାଇଛି। ସେମାନେ କେନ୍ଦ୍ରକୁ ଆସି ଟିକା ନେଇପାରିବେ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲ ପାଇଁ ବ୍ୟାପକ ଦପକ୍ଷେପ ଗ୍ରହଣ କରାଯାଇଛି। ସର୍ଭିଲାନ୍ସ, ଟେଷ୍ଟିଂ ଏବଂ ଟିକାକରଣ ଉପରେ ଗୁରୁତ୍ଵ ଦିଆଯାଉଛି। ପରିସ୍ଥିତି ଅଣାୟତ ହେଉଥିବାରୁ ସରକାରଙ୍କ ପକ୍ଷରୁ କୋଭିଡ଼ ନିୟମକୁ କଡ଼ାକଡ଼ି କରାଯାଇଛି। ଗତ ୭ ତାରିଖଠାରୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। କୋଭିଡ଼ ନିୟମକୁ ପାଳନ କରିବା ସହ ନିହାତି ଜରୁରି ନହେଲେ ଘରୁ ନବାହାରିବାକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment