ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣରୁ ଆପଣ ଯଦି ସୁସ୍ଥ ହୋଇ ଫେରିଛନ୍ତି, ତେବେ ଏହାପରେ ଶରୀରର ମାଂସପେଶୀ ଶକ୍ତ କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏସବୁ ପାଇବା ପାଇଁ ହେଲେ ଖାଦ୍ୟ ତାଲିକା ବା ଡାଏଟ୍‌ ଲିଷ୍ଟରେ କେଉଁ କେଉଁ ଖାଦ୍ୟକୁ ସାମିଲ କରିବାକୁ ହେବ, ଜାଣନ୍ତୁ।

କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ ଆପଣଙ୍କ ଶରୀରରେ ଥକ୍କାପଣ, ଦୁର୍ବଳତା, ମାନସିକ ଅସ୍ଥିରତା ଏସବୁ ଲାଗିରହିଥାଏ। ତେଣୁ ଏ ସବୁ ଅସୁସ୍ଥତାକୁ ଅତିକ୍ରମ କରିବା ପାଇଁ ଆପଣଙ୍କ ଖାଦ୍ୟରେ ଅଧିକ ମାତ୍ରାରେ ପ୍ରୋଟିନ, ଭିଟାମିନ୍‌ ଓ ମିନେରାଲ୍ସ ରହିବା ଉଚିତ୍। ନଚେତ୍ ପୋଷଣ ଅଭାବରୁ ଆପଣଙ୍କଠାରେ ଅବସାଦ, ଥକ୍କାପଣ, ଦୁର୍ବତଳା, ସ୍ମରଣ ଶକ୍ତି ଓ ଏକାଗ୍ରତା ନଷ୍ଟ ହେବା ଭଳି ଲକ୍ଷଣ ଦେଖାଦେବ।ଆପଣଙ୍କ ଗୋଟିଏ ଦିନର ଖାଦ୍ୟ ତାଲିକା ଏହିପରି

ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍‌, ଆଇସିଏମ୍‌ଆରର ସୁପାରିଶ୍ ଅନୁସାରେ ଜଣେ ବ୍ୟକ୍ତିଙ୍କ ଦୈନିକ ଖାଦ୍ୟ ତାଲିକା ବା ଡେଲି ଡାଏଟ୍ ସନ୍ତୁଳିତ ଓ ସୁଷମ ହେବା ଉଚିତ୍। ସେହି ଅନୁସାରେ ଗୋଟିଏ ଦିନର ଖାଦ୍ୟ ଭିତରେ ଆପଣ ୪ଟି ରୁଟି, ୪ କପ୍ ଭାତ, ଗୋଟିଏ କପ୍ ଡାଲି, ସାଢ଼େ ୭ କପ୍ ପରିବା ତରକାରୀ, ୭/୮ ପିସ୍ ସାଲାଡ୍‌, ଅଧା କପ୍ ମାଛ/ମଟନ୍‌/ଚିକେନ/ଅଣ୍ଡା, ଦେଢ଼କପ୍ କ୍ଷୀର (ପ୍ରତି କପ୍‌ ୨୦୦ ମିଲିଲିଟର), ଯେକୌଣସି ଗୋଟିଏ ଫଳ, ୩୫ ଗ୍ରାମ୍ ତେଲ ଘିଅ, ୨୫ ଗ୍ରାମ୍ ଶର୍କରା ରହିବ।

ସବୁଦିନିଆ ଖାଦ୍ୟ ତାଲିକାରେ ଏହି ସବୁ ଖାଦ୍ୟ ରହିବା ଜରୁରୀ

  • ଶରୀର ପାଇଁ ଶକ୍ତିର ମୁଖ୍ୟ ଉତ୍ସ ଥିବା କାର୍ବୋହାଇଡ୍ରେଟ୍‌ ଗହମ, ଓଟ୍ସ ଭଳି ଶସ୍ୟ ଖାଦ୍ୟରେ ରଖନ୍ତୁ।
  • ମାଂସ, ମାଛ, ଅଣ୍ଡା ହେଉଛି ପ୍ରୋଟିନ୍‌ର ବଡ଼ ଉତ୍ସ। ବୋନ୍‌ ସୁପ୍‌ କିମ୍ବା ଚିକେନ୍ ସୁପ୍ ମଧ୍ୟ ଭଲ।
  • ଯଦି ଆପଣ ଶାକାହାରୀ, ତେବେ ଆପଣଙ୍କ ପାଇଁ ମସୁର ଡାଲି, ବିନ୍ସ, ସୋୟାବିନ୍‌, କୋଳି ଲାଭଦାୟକ ରହିବ।
  • ହରିଡ଼ା, ପିସ୍ତା ବାଦାମ, କାଜୁ ବାଦାମରେ ଅଧିକ ମାତ୍ରାରେ ଜିଙ୍କ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଫ୍ଲ୍ୟୁ ଭଳି ଲକ୍ଷଣକୁ ଦୂର କରିଥାଏ।
  • ପ୍ରୋଟିନ୍‌ ତଥା ରୋଗ ପ୍ରତିରୋଧକ ଶକ୍ତି ପାଇଁ ଦିନକୁ ଥରେ କ୍ଷୀର ହଳଦୀ ପିଅନ୍ତୁ। କଞ୍ଚା ଛେନା, ଘିଅ, ଲହୁଣୀ ଖାଆନ୍ତୁ।
  • ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମନକୁ ପ୍ରଫୁଲ୍ଲ ରଖୁଥିବା ଡାର୍କ ଚକାଲୋଟ୍ ଖାଆନ୍ତୁ।
  • ଡାଏଟ୍‌‌ରେ ଫାଇବର ଜାତୀୟ ଖାଦ୍ୟ ସାମିଲ କରନ୍ତୁ। ପ୍ରଚୁର ପାଣି ପିଅନ୍ତୁ।
  • ଆପଣ ଯଦି ଖାଦ୍ୟର ସ୍ୱାଦ କିମ୍ବା ରୁଚି ହରାଇ ବସୁଛନ୍ତି, ତେବେ ମଧ୍ୟ ନିୟମିତ ବ୍ୟବଧାନରେ ଖାଦ୍ୟ ଗ୍ରହଣ କରିବେ। ଯଦି ଖାଦ୍ୟ ପାଟିକୁ ଖାଇବାଯୋଗ୍ୟ ଲାଗୁନି, ତେବେ ତା’ ସହ ଆଚାର କିମ୍ବା ଜାମ୍‌ ନିଅନ୍ତୁ।
  • ଖାଦ୍ୟ ଗିଳିବାରେ ଅସୁବିଧା ହେଉଥିଲେ, ଫଳ ପରିବାକୁ ପେଷ୍ଟ କିମ୍ବା ଛୋଟ ଛୋଟ ଖଣ୍ଡ କରି ଖାଇପାରିବେ।

‘ଇନ୍ଦ୍ରଧନୁ’ ପରି ହେବା ଉଚିତ୍ ଖାଦ୍ୟ ପ୍ଲେଟ୍‌‌

ଆମର ଖାଦ୍ୟ ତାଲିକା ଇନ୍ଦ୍ରଧନୁ ପରି ହେବା ଉଚିତ୍। ଅର୍ଥାତ୍ ଆମ ଖାଦ୍ୟ ପ୍ଲେଟ୍‌‌ରେ ସବୁ ରଙ୍ଗ (ପ୍ରକାର)ର ପନିପରିବା ଓ ଫଳ ରହିବା ଜରୁରୀ।ପ୍ରଚୁର ଭିଟାମିନ୍ ଓ ମିନେରାଲ ପାଇବାକୁ ହେଲେ ଆପଣଙ୍କୁ ଦିନକୁ ଅତି କମ୍‌ରେ ୫ ପ୍ରକାର ସବୁଜ ପନିପରିବା ଖାଇବାକୁ ପଡ଼ିବ। ଫଳରେ ‘ଫ୍ରୁକ୍ଟୋଜ୍‌’ ନାମରେ ଏକ ପ୍ରାକୃତିକ ଶର୍କରା ରହିଛି, ଯାହାକୁ ଶରୀର ସହଜରେ ଗ୍ରହଣ କରିନିଏ। ତେଣୁ ଫଳ ଖାଇବା ଦ୍ୱାରା ଶୀଘ୍ର ଶକ୍ତି ଓ ସ୍ଫୁର୍ତ୍ତି ମିଳେ।

Comment