ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏବେ ତୃତୀୟ ଲହର କରୋନା ସଂକ୍ରମଣ ଆରମ୍ଭ ହୋଇ ତୀବ୍ର ବେଗରେ ବଢ଼ିବାରେ ଲାଗିଛି। ବିଶେଷକରି ଏହି ଲହରରେ ପିଲାମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବାର ପୂର୍ବରୁ ଆକଳନ କରାଯାଇଛି। ତେବେ ଶିଶୁମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମିତ ହେବାର ସମ୍ଭାବନା କେତେ? ଯଦି ପିଲାଟିଏ କରୋନା ପଜିଟିଭ୍ ହେଉଛି, ତାହାର ଯତ୍ନ କିପରି ରଖାଯିବ? ଏ ସମସ୍ତ ବିଷୟରେ ବିସ୍ତୃତ ଭାବରେ କହିଛନ୍ତି କଟକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଅଗ୍ରଓ୍ଵାଲ।ଜନସାଧାରଣ କରୋନା ମହାମାରୀକୁ ନ ଡରି କିଭଳି ସାହସର ସହ ସାମ୍ନା କରିବେ, ସେନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୋଭିଡ୍ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜିର କୋଭିଡ୍ ସଚେତନ କାର୍ଯ୍ୟକ୍ରମରେ ଡାକ୍ତର ସୁନୀଲ କୁମାର ଅଗ୍ରଓ୍ଵାଲ କୋଭିଡ୍‌କୁ ନେଇ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିବା କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି।ପିଲାଙ୍କ କ୍ଷେତ୍ରରେ କରୋନା ହେବାର ଆଶଙ୍କା କେତେ?

ସାଧାରଣତଃ ପିଲାମାନଙ୍କ କ୍ଷେତ୍ରରେ କୋଭିଡ୍ ହେବାର ସମ୍ଭବନା ଖୁବ୍ କମ୍। କାରଣ ପିଲାମାନଙ୍କର ରୋଗପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାଓ୍ଵାର ସାଧାରଣ ବ୍ୟକ୍ତିଙ୍କ ଅପେକ୍ଷା ବହୁତ ଅଧିକ ରହିଥାଏ। ସେମାନେ ସାଧାରଣ ଲୋକଙ୍କ ପରି ଅନ୍ୟ କୋଭିଡ୍ ପଜିଟିଭ୍ ହୋଇଥିବା ବ୍ୟକ୍ତିଙ୍କଠାରୁ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ବହୁତ କମ୍।

କରୋନାର ପ୍ରଥମ ଓ ଦ୍ଵିତୀୟ ଲହରରେ ୧୦ରୁ ୧୫ ପ୍ରତିଶତ ପିଲା କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ତୃତୀୟ ଲହରରେ ୨୦ ପ୍ରତିଶତ ପିଲା କରୋନା ସଂକ୍ରମିତ ହେଉଛନ୍ତି। ଏଥିମଧ୍ୟରୁ ୯୫ ପ୍ରତିଶତ ପିଲାଙ୍କଠାରେ କୋଭିଡ୍‌ର ସାମାନ୍ୟ ଲକ୍ଷଣ ରହୁଛି। ବାକି ୫ ପ୍ରତିଶତରୁ ୪ ପ୍ରତିଶତ ପିଲାଙ୍କଠାରେ କାଶ, ଥଣ୍ଡା ଭଳି ଲକ୍ଷଣ ଦେଖାଯାଏ, ଯାହା ଔଷଧ ଦ୍ଵାରା ଭଲ ହୋଇଯାଏ। କେବଳ ଏକ ପ୍ରତିଶତ ପିଲା ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହେଉଛନ୍ତି।ପିଲାଙ୍କୁ କରୋନା ହେବାର ଲକ୍ଷଣ ସବୁ କ’ଣ?

  • ଯଦି ଘରେ କାହାର କରୋନା ପଜିଟିଭ୍ ବାହାରୁଛି ଏବଂ ସେ ଗୃହ ସଙ୍ଗରୋଧରେ ରହିଛନ୍ତି ସେହି ଘରର ପିଲାଙ୍କଠାରେ ଥଣ୍ତା, କାଶ, ଜ୍ଵର ଭଳି ଲକ୍ଷଣ ଦେଖାଗଲେ ତାହା କୋଭିଡ୍‌ର ଲକ୍ଷଣ।
  • ପିଲାକୁ ଯଦି ବାରମ୍ଵାର ତରଳ ଝାଡ଼ା ହେଉଛି, ତେବେ ଏହା ମଧ୍ୟ କରୋନାର ଲକ୍ଷଣ ହୋଇପାରେ।
  • ଉପରୋକ୍ତ ଦୁଇଟି ଲକ୍ଷଣ ଦେଖାଗଲେ ପିଲାଙ୍କର କରୋନା ପରୀକ୍ଷା କରିବା ନିହାତି ଆବଶ୍ୟକ।

କେଉଁ ବୟସ ବର୍ଗର ପିଲାଙ୍କୁ କରୋନା ହେବାର ସମ୍ଭାବନା ଅଧିକ?

ସାଧାରଣତଃ ୧୮ ବର୍ଷରୁ କମ୍ ବୟସ ବର୍ଗଙ୍କୁ ଆମେ କିଶୋର କିଶୋରୀ ବା ପିଲାଙ୍କ ବର୍ଗରେ ହିସାବକୁ ନେଇଥାଉ। ତେବେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କରୋନା ହେବାର ଲକ୍ଷଣ ସାଧାରଣତଃ ଅଧିକ। କାରଣ ଏହି ବୟସର ପିଲାମାନଙ୍କର ଅନ୍ୟ ବୟସର ପିଲାଙ୍କ ଅପେକ୍ଷା ଇମ୍ୟୁନିଟି ପାଓ୍ଵାର କମ୍। ତେଣୁ ଦେଶରେ ଏବେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ୍ ଟିକା ଦିଆଯାଉଛି।

ସେହିପରି ୧୨ରୁ ୧୫ ବର୍ଷ ବର୍ଗରେ ଥିବା ପିଲାମାନେ ମଧ୍ୟ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ମାତ୍ର ୧୨ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରେରେ କରୋନା ହେବାର ଲକ୍ଷଣ କମ୍।ପିଲାଟିଏ କରୋନା ସଂକ୍ରମିତ ହେଲେ, ତାହାର ଯତ୍ନ କିପରି ନେବେ?

ସାଧାରଣ ବ୍ୟକ୍ତିଟିଏ ପରି କୋଭିଡ୍ ସଂକ୍ରମିତ ପିଲା ମଧ୍ୟ ୭ ଦିନ ସଙ୍ଗରୋଧରେ ରହିବା ଆବଶ୍ୟକ। ମାତ୍ର ୬ ବର୍ଷରୁ କମ୍ ବୟସର ପିଲା ସଙ୍ଗରୋଧରେ ରହିପାରିବେ ନାହିଁ। ପିଲାକୁ ତାର ମା’ ପାଖରେ ରଖିବାକୁ ହେବ। ତେଣୁ ପିଲାର ମା’ଙ୍କ ସମେତ ଘରର ସମସ୍ତ ସଦସ୍ୟ ଦୁଇ ଡୋଜ୍ କୋଭିଡ୍ ଟିକା ନେବା ଆବଶ୍ୟକ। ଯଦି ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସର କେହି ସଦସ୍ୟ ଘରେ ଅଛନ୍ତି ତାଙ୍କୁ କୋଭିଡ୍‌ର ବୁଷ୍ଟର ଡୋଜ୍ ମଧ୍ୟ ଦେବା ଆବଶ୍ୟକ।

ପିଲାଟିଏ କୋଭିଡ୍ ସଂକ୍ରମିତ ହେବାର ପ୍ରଥମ ୨ ଦିନ ଜ୍ଵରରେ ପଡ଼ିଥାଏ। ତେଣୁ ଏହି ସମୟରେ ପାରାସିଟାମଲ୍ ବଟିକା ନିୟମିତ ଦେବା ଆବଶ୍ୟକ। ଜ୍ଵର ନ ହୋଇଥିଲେ ମଧ୍ୟ ପ୍ରଥମ ଦୁଇ ଦିନ ପିଲାକୁ ଏହି ବଟିକା ଦେବା ଜରୁରୀ। ସେହିପରି ପିଲାର ଯଦି ପତଳା ଝାଡ଼ା ହେଉଥାଏ, ତାକୁ ଓଆର୍‌ଏସ୍ ଦେବାକୁ ପଡ଼ିବ। ଏଥିସହିତ ପ୍ରତିଦିନ ପରି ଖାଦ୍ୟରେ ଭାତ, ଡାଲି ଆଦି ଦେବା ଆବଶ୍ୟକ।ପିଲାମାନଙ୍କ ପାଇଁ ମାସ୍କ କେତେ ଜରୁରୀ?

କରୋନା ପ୍ରତିହତ ପାଇଁ ମାସ୍କ ସବୁଠାରୁ ବଡ଼ ଅସ୍ତ୍ର ହୋଇଛି। ତେବେ ପିଲାଙ୍କ କ୍ଷେତ୍ରରେ ମାସ୍କ ପିନ୍ଧିବାର ବିଶେଷ ଆବଶ୍ୟକତା ନାହିଁ। ମାସ୍କ ପିନ୍ଧିବା ଦ୍ଵାରା ପିଲାମାନେ ରୁନ୍ଧି ହୋଇଥାନ୍ତି। ତେଣୁ ପିଲାଙ୍କ ଚାରିପାଖରେ ପ୍ରଚଳିତ ବ୍ୟକ୍ତିମାନେ କରୋନା ଟିକା ନେବା ଆବଶ୍ୟକ। ସେହିପରି ଯଦି ପିଲାଙ୍କୁ ଘରଠାରୁ କୌଣସି ବାହାର ସ୍ଥାନକୁ ନେଉଥାନ୍ତି ତେବେ ସାଧାରଣ କପଡ଼ା ମାସ୍କ ପିନ୍ଧାଇବା ହିଁ ଯଥେଷ୍ଟ। ୬ ବର୍ଷରୁ କମ୍ ବୟସର ପିଲାଙ୍କର ଇମ୍ୟୁନିଟି ପାଓ୍ଵାର ଅଧିକ ରହିଥିବାରୁ ଏହି ବର୍ଗର ପିଲାଙ୍କୁ ମାସ୍କ ପିନ୍ଧାଇବାର ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

Comment